ଆମେ ଆମ ଉତ୍ପାଦନ ଓ ରପ୍ତାନି ବଢ଼ାଇବା ସହିତ ପ୍ରାକୃତିକ ସଂପଦର ସଂରକ୍ଷଣ ଓ ସଦୁପଯୋଗ କରି ସ୍ୱାବଲମ୍ବନ ପଥରେ ସ୍ୱାଭିମାନର ସହ ବଞ୍ଚିବାକୁ ଅଭ୍ୟାସ କଲେ ଏବଂ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ମିତବ୍ୟୟିତାକୁ ଆପଣାଇଲେ ଗ୍ରାମ ସ୍ୱରାଜ ଓ ସ୍ୱଚ୍ଛତା ଆଧାରରେ ପୁଣି ଆମ ଅର୍ଥନୀତି ସୁଦୃଢ଼ ହୋଇ ସୁନାର ଭାରତ ପୁନଃ ପ୍ରତିଷ୍ଠିତ ହେବ ।
ବଢ଼ିଚାଲୁଥିବା ଋଣବୋଝ ଯୋଗୁ ନିଯୁକ୍ତି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଥିଯୋଗୁଁ ବେକାରୀ, ବେରୋଜଗାରୀ ଓ ମୁଦ୍ରାସ୍ପୀତି ସମସ୍ୟା ଉତ୍କଟତର ହେବା ସଙ୍ଗେ ସଙ୍ଗେ ବିତ୍ତୀୟ ବିଶୃଙ୍ଖଳା ବଢ଼ିବଢ଼ି ଚାଲିଛି । ଋଣଚାପ ବୃଦ୍ଧି ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ସରକାର ବ୍ୟାପକ ଛଟେଇ କରୁଛନ୍ତି । ଋଣଗ୍ରସ୍ତ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଆଦିରେ ସମସ୍ୟା କେତେ ଭୟଙ୍କର ତାହା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି । ବସ୍ତୁତଃ ଅନେକ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଋଣଚାପରେ ଚେପା ହୋଇଯାଉଥିବା ବେଳେ ଏବେଠାରୁ ଆମ ରାଜ୍ୟ ଓ ଦେଶ ଏଥିପ୍ରତି ସତର୍କ ନହେଲେ ଭବିଷ୍ୟତ ଅନ୍ଧାର ହୋଇପାରେ ।
ଓଡ଼ିଶାର ଋଣବୋଝ ୧୯୯୫-୯୬ ବର୍ଷରେ ୯୨୧୮.୫୦ କୋଟି ଟଙ୍କା ଥିଲା । ୧୯୯୯-୨୦୦୦ ବେଳକୁ ଏହା ୧୮,୧୦୦ କୋଟି ଟଙ୍କା ଥିବାବେଳେ ୨୦୦୦-୦୧ ବର୍ଷ ବେଳକୁ ୨୧,୦୦୧ କୋଟି ଟଙ୍କାକୁ ଟପିଥିବା ସରକାରୀ ହିସାବ କୁହେ । ଆମ ରାଜ୍ୟର ଋଣଭାର ବଢ଼ିବଢ଼ି ୨୦୧୩-୧୪ ବର୍ଷ ବେଳକୁ ୩୭,୫୭୦ କୋଟି ୮୯ଲକ୍ଷ ଟଙ୍କା ହୋଇଥିଲା । ପରବର୍ତ୍ତୀ ସମୟରେ ଋଣଚାପ କମିବା ପରିବର୍ତ୍ତେ ଏହା ବଢ଼ିବଢ଼ି ୯୬,୩୧୦ କୋଟି ଟଙ୍କାରେ ପହଞ୍ଚିଥିଲା ବୋଲି ୨୬.୦୭.୨୦୨୪ରେ ସରକାର ସ୍ୱୀକାର କରିଥିଲେ। ୨୦୨୪-୨୫ ଆର୍ଥକ ବର୍ଷରେ ଓଡ଼ିଶାର ଋଣବୋଝ ପରିମାଣ ୧,୨୫,୫୫୦ କୋଟି ଟଙ୍କା ହେବ ବୋଲି ଓଡ଼ିଶା ସରକାରଙ୍କ ବଜେଟ୍ ଆକଳନ ଥିଲା । ୨୦୨୫-୨୬ବର୍ଷ ପାଇଁ ରାଜ୍ୟ ସରକାର ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ସେଥିରେ ୪୭,୪୦୦ କୋଟି ଟଙ୍କା ବର୍ଷକରେ ଋଣ କରିବେ ଏବଂ ବର୍ଷ ଶେଷ ବେଳକୁ ରାଜ୍ୟର ଋଣବୋଝ ପରିମାଣ ୧,୩୪,୯୧୪ କୋଟି ଟଙ୍କାରେ ପହଞ୍ଚିବ ବୋଲି ସରକାର ଆକଳନ କରିଛନ୍ତି । ଅବଶ୍ୟ ୨୦୨୫-୨୬ ବର୍ଷରେ ରାଜ୍ୟ ସରକାର ଋଣ ବାବଦରେ ୨୩,୨୦୦ କୋଟି ଓ ସୁଧ ବାବଦରେ ୬,୫୦୦ କୋଟି ଟଙ୍କା ଶୁଝିବାକୁ ଯାଉଛନ୍ତି । ମୋଟାମୋଟି ଭାବେ ୨୦୨୫-୨୬ ବର୍ଷ ପାଇଁ ଓଡ଼ିଶାର ଯେଉଁ ୨ଲକ୍ଷ ୯୦ହଜାର କୋଟି ଟଙ୍କାର ମୂଳ ବଜେଟ୍ ରହିଛି ସେଥିରୁ ୧୬.୩ ପ୍ରତିଶତ ଋଣରୁ ଆସିବ ଏବଂ ବଜେଟ୍ ବ୍ୟୟର ୯.୫ ପ୍ରତିଶତ ଋଣ ଓ ସୁଧ ଶୁଝିବାରେ ଯିବ ।
ଅର୍ଥନୀତି ଓ ଯୋଜନା ବିଶାରଦମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ, ଓଡ଼ିଶାର ଋଣଚାପ ଯେଉଁଭାବରେ ବଢ଼ି ଚାଲିଛି ତାହା ଅବ୍ୟାହତ ରହିଲେ ୨୦୩୦ ବେଳକୁ ଓଡ଼ିଶାର ଋଣ ପରିମାଣ ୨ଲକ୍ଷ କୋଟି ଟଙ୍କାକୁ ଟପି ସାରିଥିବ । ତେବେ ସରକାରଙ୍କ ପାଇଁ ଆଶ୍ୱାସନାର କଥା ହେଉଛି ଯେ, ଋଣ ପରିଚାଳନା ଲାଗି ଏଫ୍ଆରବିଏମ୍ ଆଇନରେ ଯେଉଁ ସୀମା ରହିଛି ଓଡ଼ିଶା ତାହାକୁ ଅତିକ୍ରମ କରୁନାହିଁ । ମୋଟାମୋଟି ଭାବେ ୨୦୨୪-୨୫ରେ ଓଡ଼ିଶାରେ ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ହାରାହାରି ଋଣ ପରିମାଣ ୨୬,୬୫୭ ଟଙ୍କା ଥିବାବେଳେ ୨୦୨୫- ୨୬ରେ ତାହା ୨୮,୭୦୫ ଟଙ୍କାକୁ ବୃଦ୍ଧି ପାଇବାକୁ ଯାଉଛି ।
ଅନ୍ୟପକ୍ଷରେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେଲାବେଳକୁ ଦେଶ ଉପରେ ଦେଣା ରହିଥିଲା ୨୫୦୦ କୋଟି ଟଙ୍କାରୁ କମ୍ । ଏବେ ତାହା ଲଗାମଛଡ଼ା ଭାବେ ବଢ଼ି ଚାଲିଛି । ୨୦୨୫-୨୬ ବର୍ଷର ମୂଳ କେନ୍ଦ୍ରୀୟ ବଜେଟ୍ ୫୦,୬୫,୩୪୫ କୋଟି ଟଙ୍କା ଥିବାବେଳେ ଏଥିପାଇଁ ଋଣରୁ ଆସିବ ୧୫,୬୮,୯୩୬ କୋଟି ଟଙ୍କା । ଏବେ ଦେଶର ଋଣବୋଝ ପ୍ରାୟ ୨୦୦ଲକ୍ଷ କୋଟି ଟଙ୍କା ବୋଲି କୁହାଯାଉଥିବା ବେଳେ ରାଜ୍ୟ ସରକାରମାନଙ୍କ ଋଣବୋଝର ପରିମାଣ ୧୦୦ଲକ୍ଷ କୋଟି ଟଙ୍କା ଟପି ସାରିଲାଣି । ଏଭଳି ସ୍ଥିତିରେ ଋଣ ଚାପରେ ଆମେ ଉବୁଟୁବୁ ହୋଇ ଏକପ୍ରକାର ଅଣନିଃଶ୍ୱାସୀ ହୋଇପଡୁଛୁ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଋଣ ନିଶାରେ ମାତିଥିବା ବେଳେ ଆମେ କିଭଳି ଋଣମୁକ୍ତ ହେବୁ ସେ ଚିନ୍ତା କାହାର ଥିବା ଭଳି ମନେ ହେଉନାହିଁ ।
ଋଣର ସିଧାସଳଖ ପ୍ରଭାବ ପଡୁଛି ଦେଶର ବାଣିଜ୍ୟିକ ନିଅଣ୍ଟ ଉପରେ । ଆମେ ବାଧ୍ୟ ହୋଇ ବିଦେଶରୁ ଅଧିକ ସାମଗ୍ରୀ ଆମଦାନି କରୁଥିବା ବେଳେ କମ୍ ସାମଗ୍ରୀ ରପ୍ତାନି କରୁଛୁ । ୧୯୫୦-୫୧ ବେଳକୁ ଆମ ଦେଶର ବାଣିଜ୍ୟିକ ନିଅଣ୍ଟ ପରିମାଣ ମାତ୍ର ୨କୋଟି ଟଙ୍କା ଥିବାବେଳେ ଏହା ବଢ଼ିବଢ଼ି ୨୦୧୨-୧୩ ବର୍ଷରେ ୧୦,୩୪,୮୪୩ କୋଟି ଟଙ୍କାରେ ପହଞ୍ଚିଥିଲା। ଏହା କମିବା ପରିବର୍ତ୍ତେ ପୁଣି ବୃଦ୍ଧି ପାଇ ୨୦୨୨-୨୩ ବର୍ଷରେ ବାଣିଜ୍ୟିକ ନିଅଣ୍ଟ ପରିମାଣ ୨୧,୨୮,୨୫୧ କୋଟି ଟଙ୍କାର ସର୍ବକାଳୀନ ରେକର୍ଡ କରିଥିଲା ।
କେନ୍ଦ୍ର ସରକାରଙ୍କ ୨୦୨୪-୨୫ ବର୍ଷର ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ, ଉକ୍ତ ବର୍ଷର ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ପ୍ରଥମ ୯ ମାସରେ ଦେଶର ବାଣିଜ୍ୟିକ ନିଅଣ୍ଟ ପରିମାଣ ୧୭,୬୮,୭୦୫ କୋଟି ଟଙ୍କା ବୋଲି ପ୍ରାଥମିକ ଆକଳନ କରାଯାଇଛି । ବାଣିଜ୍ୟିକ ନିଅଣ୍ଟ ଓ ଋଣ ବୃଦ୍ଧି ଯୋଗୁଁ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଓ ସ୍ୱର୍ଣ୍ଣଭଣ୍ଡାର ଗୁରୁତର ଭାବେ ପ୍ରଭାବିତ ହେଉଥିବାବେଳେ ଟଙ୍କାର ଅବମୂଲ୍ୟାୟନ ବଢ଼ି ଚାଲିଛି । ଦେଶ ସ୍ୱାଧୀନ ହେଲାବେଳକୁ ଗୋଟିଏ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ଗୋଟିଏ ଭାରତୀୟ ଟଙ୍କା ସହ ସମାନ ଥିବାବେଳେ ଏବେ ଡଲାରର ମୂଲ୍ୟ ପ୍ରାୟ ୮୮ଟଙ୍କା ହେଲାଣି । ଏ ପରିପ୍ରେକ୍ଷୀରେ ଆମର ଗତି କୁଆଡ଼େ? ଓଡ଼ିଶାର ଋଣ ଚାପ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ୯୦ ଦଶକର ଶେଷଭାଗରେ ବିତ୍ତୀୟ ଶୃଙ୍ଖଳା ରକ୍ଷା ଏବଂ ମିତବ୍ୟୟିତା ଅବଲମ୍ବନ ପାଇଁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା କରିଥିଲେ ।
ସରକାରୀ ତଥ୍ୟ ମୁତାବକ ୨୦୧୧ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକରେ ୧,୪୧,୪୮୪ ପଦବି ଖାଲି ପଡ଼ିଥିବା ୧୯.୧୧.୨୦୧୮ରେ ବିଧାନସଭାରେ କୁହାଯାଇଥିଲା । ୨୦୧୫ମାର୍ଚ୍ଚ ଶେଷ ବେଳକୁ ଖାଲି ପଦବି ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବଢ଼ି ୧,୪୭,୫୨୨ରେ ପହଞ୍ଚିଥିଲା । ୯.୧୨.୨୦୨୪ରେ ଓଡ଼ିଶା ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୩୧.୧୨.୨୦୨୩ ସୁଦ୍ଧା ରାଜ୍ୟ ସରକାରଙ୍କ କ, ଖ, ଗ ଓ ଘ ବର୍ଗରେ ୨,୦୫,୨୨୮ ପଦବି ଖାଲି ପଡ଼ିଛି । ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକୁ ହିସାବକୁ ନେଲେ ଏହି ସଂଖ୍ୟା ଢେର ଅଧିକ ହୋଇପାରେ । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଓଡ଼ିଶା ସରକାରଙ୍କ ୧୯,୨୯୯ଟି "କ' ବର୍ଗର, ୪୪,୮୮୬ଟି "ଖ' ବର୍ଗର, ୧,୦୪,୦୪୨ଟି "ଗ' ବର୍ଗର ଓ ୩୭,୦୦୧ଟି "ଘ' ବର୍ଗର ଚାକିରି ଖାଲି ପଡ଼ିଥିଲା । ବିଶ୍ୱବିଦ୍ୟାଳୟ, ସ୍ୱାୟତ୍ତ ଶାସନ ସଂସ୍ଥା, ନିଗମ, ବୋର୍ଡ, ଅନୁଦାନପ୍ରାପ୍ତ ଅନୁଷ୍ଠାନ ଆଦିକୁ ହିସାବକୁ ନେଲେ ଏହି ସଂଖ୍ୟା ଅଧିକ ହେବ । ଓଡ଼ିଶାରେ ନୂଆ ବିଜେପି ସରକାର ଗଠନ ହେବାର ପ୍ରଥମ ୮ମାସ ଭିତରେ ୨୬ହଜାର ନିଯୁକ୍ତି ଦିଆଯାଇଛି ଏବଂ ୫ବର୍ଷ ଭିତରେ ୧ଲକ୍ଷ ୬୫ ହଜାର ସରକାରୀ ଚାକିରିରେ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି ।
୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଓଡ଼ିଶା ସରକାରଙ୍କର ୨,୦୫,୨୨୮ ପଦବି ଖାଲି ପଡ଼ିଥିବାବେଳେ ୫ବର୍ଷରେ ଅବସର, ଇସ୍ତଫା, ଦଣ୍ଡବିଧାନ ଓ ଅନ୍ୟାନ୍ୟ କାରଣରୁ ଆଉ ଲକ୍ଷାଧିକ ପଦବି ଖାଲି ହେବ । ଲୋକଙ୍କୁ ନ୍ୟାୟ ଦେବାପାଇଁ ଥିବା ଓଡ଼ିଶା ହାଇକୋର୍ଟରେ ଏବେ ପ୍ରାୟ ଅଧା ବିଚାରପତି ପଦବି ଖାଲି ପଡ଼ିଥିବା ବେଳେ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜ ଆଦିରେ ପାଖାପାଖି ୬୦ ପ୍ରତିଶତ ପଦବି ଖାଲି । ପ୍ରାଥମିକ ବିଦ୍ୟାଳୟରୁ ହାଇସ୍କୁଲ, କଲେଜ ଓ ସରକାରୀ ଡାକ୍ତରଖାନାଗୁଡ଼ିକରେ ବି ମାଳମାଳ ପଦବି ଖାଲି । ରାଜ୍ୟର ଅଧଡଜନରୁ ଅଧିକ ବିଶ୍ୱବିଦ୍ୟାଳୟରେ ତ କୁଳପତି ନାହାନ୍ତି । ଅନ୍ୟ ଦପ୍ତରଗୁଡ଼ିକରେ ପିଅନ, କିରାଣିଙ୍କ ଠାରୁ ଆରମ୍ଭ କରି ମାଳମାଳ ପଦବି ଖାଲି ପଡ଼ିଛି । ଏମିତିକି ଆଇଏଏସ୍ ଓ ଆଇପିଏସ୍ ପାହ୍ୟାରେ ଓଡ଼ିଶାରେ ପ୍ରାୟ ଏକ-ତୃତୀୟାଂଶ ପଦବି ଖାଲି ପଡ଼ିଥିବା କଥା ବିଗତ ଓ ବର୍ତ୍ତମାନର ସରକାର ସ୍ୱୀକାର କରିଆସୁଛନ୍ତି ।
ଏଣେ କୁହାଯାଉଛି ଯେ, କର୍ମନିଯୁକ୍ତି ପାଇଁ ସରକାରୀ ଚାକିରି ଏକମାତ୍ର ମାଧ୍ୟମ ନୁହେଁ । ତେଣୁ ରାଜ୍ୟରେ ବିଦେଶୀ ଓ ପୁଞ୍ଜିପତିମାନଙ୍କ ଅର୍ଥ ଖଟାଇ ପ୍ରଗତି କରିବା ପାଇଁ ପ୍ରାୟ ଗତ ୫ଦଶନ୍ଧି ଧରି ଲୋକଙ୍କୁ ମିଠା ବୋଳଦିଆ ବିଷ ବଟିକା ଖୁଆଇବା ଭଳି ବାତାବରଣ ସୃଷ୍ଟି କରାଯାଇଛି । ନିଜେ ସରକାର କରୁଥିବା ଋଣ ପରିଶୋଧ କରୁନଥିବା ବେଳେ ସାରା ଦେଶରେ ବଡ଼ ବଡ଼ ପୁଞ୍ଜିପତିମାନଙ୍କ ବିପୁଳ ପରିମାଣର ଋଣ ଛାଡ଼ ହେଉଛି । ନିରବ ମୋଦି, ବିଜୟ ମାଲ୍ୟାଙ୍କ ଭଳି ବ୍ୟବସାୟୀମାନେ ନିରବରେ କୋଟି କୋଟି ଟଙ୍କା ଋଣ ଉଠାଇ ଦେଶରୁ ଖସିଯାଇ ବିଜୟମାଳା ପିନ୍ଧି ବୁଲୁଛନ୍ତି । ତେଣେ ଋଣ ଖିଲାପି ଯୋଗୁ ଏନ୍ପିଏ ବଢ଼ୁଛି । ଚାଷ ଓ ଛୋଟକାଟର ବେପାର ପାଇଁ ଯେଉଁମାନେ ଋଣ କରି ବିଭିନ୍ନ କାରଣରୁ ଠିକଣା ସମୟରେ ଶୁଝିପାରୁ ନାହାନ୍ତି ସେମାନଙ୍କ ସଂପତ୍ତି କୋରଖ ହେଉଛି । ଅଥଚ ସମ୍ବିଧାନ ସମାନତାର ଅଧିକାର ଦେଇଥିବା ବେଳେ ପୁଞ୍ଜିପତିମାନେ କିନ୍ତୁ ଅନ୍ୟମାନଙ୍କ ଠାରୁ ନିଜକୁ ଭିନ୍ନ ମନେ କରୁଛନ୍ତି । ଗୋଟିଏ ସମୟରେ କୁହାଯାଉଥିଲା- ‘ପ୍ରତି ହାତକୁ ଦେବାରେ କାମ ପ୍ରତି କ୍ଷେତକୁ ପାଣି, ହସି ହସିକା ପ୍ରଗତି ଦେବ ଆମ ଧରଣୀ ରାଣୀ' ।
ଏବେ ତ ମାଗଣା ବଣ୍ଟନ ବ୍ୟବସ୍ଥାରେ ସବଳ ହାତକୁ ଦୁର୍ବଳ କରିଦିଆଯାଉଛି ଏବଂ ଭତ୍ତା ରାଜନୀତିର ପଶାପାଲିରେ ନିଶା ବେପାରୀ ଓ ଜୁଆଡ଼ିମାନେ ମୁନାଫା ଉଠାଉଛନ୍ତି । କଥାରେ ଅଛି "ବସି ଖାଇଲେ ନଈବାଲି ସରେ' । ଆମେ ଆମ ଉତ୍ପାଦନ ଓ ରପ୍ତାନି ବଢ଼ାଇବା ସହିତ ପ୍ରାକୃତିକ ସଂପଦର ସଂରକ୍ଷଣ ଓ ସଦୁପଯୋଗ କରି ସ୍ୱାବଲମ୍ବନ ପଥରେ ସ୍ୱାଭିମାନର ସହ ବଞ୍ଚିବାକୁ ଅଭ୍ୟାସ କଲେ ଏବଂ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ମିତବ୍ୟୟିତାକୁ ଆପଣାଇଲେ ଗ୍ରାମ ସ୍ୱରାଜ ଓ ସ୍ୱଚ୍ଛତା ଆଧାରରେ ପୁଣି ଆମ ଅର୍ଥନୀତି ସୁଦୃଢ଼ ହୋଇ ସୁନାର ଭାରତ ପୁନଃ ପ୍ରତିଷ୍ଠିତ ହେବ । ଏଥିଲାଗି ଲୋଡ଼ା ପଡୁଛି ସୁଶୃଙ୍ଖଳ, ସେବାପରାୟଣ, ତ୍ୟାଗନିଷ୍ଠ, ଦରଦୀ ସତ୍ୟାଗ୍ରହୀମାନଙ୍କ ସଂକଳ୍ପବଦ୍ଧ ସାଧନା ।