ମୁମ୍ବାଇ,୨୫/୦୨: ବଲିଉଡ ସୁପରଷ୍ଟାର ଗୋବିନ୍ଦା । ସେ ତାଙ୍କ ଅଭିନୟ ପାଇଁ ବେଶ୍ ପରିଚିତ । ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ପତ୍ନୀ ସୁନିତା ଆହୁଜାଙ୍କ ସହ ବିବାହର ୩୭ ବର୍ଷ ପରେ ତାଙ୍କର ଛାଡ଼ପତ୍ର ହେବାକୁ ଯାଉଛି ।
ତେବେ କିଛି ରିପୋର୍ଟ ଅନୁସାରେ, ଗୋବିନ୍ଦା ଓ ସୁନୀତା ଅହୁଜାଙ୍କ ଛାଡପତ୍ରର ଗୁଜବ ଚାଲିଛି । ଏଥିସହ ଦୁଇ ଜଣଙ୍କ ଅଲଗା ହେବାର କାରଣ ଜଣେ ମରାଠୀ ଅଭିନେତ୍ରୀ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ, ଉଭୟଙ୍କ ଛାଡପତ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଏହି ଗୁଜବ ଉପରେ ଗୋବିନ୍ଦା କିମ୍ବା ସୁନୀତାଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି । ତେବେ କିଛି ଦିନ ପୂର୍ବରୁ ଗୋବିନ୍ଦାଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଏବଂ ଗୋବିନ୍ଦା ଏକାଠି ରହୁନାହାଁନ୍ତି। ସେମାନଙ୍କ ସମ୍ପର୍କରେ ଅନେକ ବର୍ଷ ଧରି ଅନେକ ଘଟଣା ଘଟୁଛି।
ଯଦିଓ ସମସ୍ତେ ଜାଣନ୍ତି ଅଭିନେତା ଗୋବିନ୍ଦା ଅଭିନେତ୍ରୀ ନୀଲମଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ମାଆଙ୍କ ଜିଦରେ ଅଭିନେତା ସୁନୀତାଙ୍କୁ ବିବାହ କରିଥିଲେ। ବିବାହ ପରେ ସୁନିତା ଏବଂ ଗୋବିନ୍ଦା ସବୁବେଳେ ଖୁସି ଥିବା ଦେଖାଯାଇଛି ଏବଂ ଏବେ ଏହି ଦମ୍ପତିଙ୍କ ଛାଡପତ୍ରର ଗୁଜବକି ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଫ୍ୟାନ୍ସ ଏହି ଗୁଜବକୁ ବିଶ୍ୱାସ କରିପାରୁନଥିବା ବେଳେ ସମସ୍ତେ ଆଶା କରୁଛନ୍ତି ଏହି ଗୁଜବ ମିଥ୍ୟା ହୋଇଥାଉ।