ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି । ଜାମିଆ ନଗରରେ ପୋଲିସ ଟିମ୍ ଉପରେ ଆକ୍ରମଣ ଅଭିଯୋଗରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଛି। ରାଉଜ୍ ଆଭେନ୍ୟୁ କୋର୍ଟରୁ ଆଗୁଆ ଜାମିନ ମଞ୍ଜୁର ହୋଇଛି।
ରାଉଜ୍ ଆଭେନ୍ୟୁ କୋର୍ଟ ୨୫,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଅମାନତୁଲ୍ଲା ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ, କୋର୍ଟ ଦିଲ୍ଲୀ ପୋଲିସର ତଦନ୍ତରେ ସହଯୋଗ କରିବାକୁ ଅମାନତୁଲ୍ଲା ଖାନଙ୍କୁ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଯେତେବେଳେ ମାମଲା ସହିତ ଜଡିତ ତଦନ୍ତକାରୀ ଅଧିକାରୀ ତାଙ୍କୁ ତଦନ୍ତ ପାଇଁ ଡାକିବେ, ତାଙ୍କୁ ଯିବାକୁ ପଡିବ। ଏହା ସହିତ, କୋର୍ଟର ଅନୁମତି ବିନା ଅମାନତୁଲ୍ଲା ଖାନ ଦେଶ ଛାଡିବେ ନାହିଁ।
ହେଲେ ଦିଲ୍ଲୀ ପୋଲିସ ଅମାନତୁଲ୍ଲା ଖାନଙ୍କ ଆଗୁଆ ଜାମିନକୁ ବିରୋଧ କରିଥିଲା। ପୂର୍ବରୁ, କୋର୍ଟ ଅମାନତୁଲ୍ଲା ଖାନଙ୍କୁ ଫେବୃଆରୀ ୨୫ ପର୍ଯ୍ୟନ୍ତ ଗିରଫଦାରୀରୁ ଅସ୍ଥାୟୀ ଆଶ୍ୱସ୍ତି ଦେଇଥିଲେ। ପୋଲିସ କହିଛି ଯେ ବିଧାୟକଙ୍କ ସମ୍ପୃକ୍ତି ଆଇନ ଶୃଙ୍ଖଳା ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରିଥିଲା।
ପ୍ରକୃତରେ, ଅମାନତୁଲ୍ଲା ଖାନଙ୍କ ବିରୁଦ୍ଧରେ ଜାମିଆ ନଗରରେ ପୋଲିସ ଟିମ୍ ଉପରେ ଆକ୍ରମଣର ନେତୃତ୍ୱ ନେବା ଏବଂ ଜଣେ ଅଭିଯୁକ୍ତକୁ ହାଜତରୁ ଖସିଯିବାରେ ସାହାଯ୍ୟ କରିବାର ଅଭିଯୋଗ ଅଛି। ଫେବୃଆରୀ ୧୦ ତାରିଖରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ପୋଲିସ ଅଭିଯୋଗ କରିଛି ଯେ ସେ ହତ୍ୟା ଉଦ୍ୟମ ଅଭିଯୁକ୍ତ ଶାହବାଜ ଖାନଙ୍କୁ ହାଜତରୁ ମୁକ୍ତ କରିବାରେ ଭିଡ଼ର ନେତୃତ୍ୱ ନେଇଥିଲେ ସେ। ଯେତେବେଳେ ପୋଲିସ କ୍ରାଇମବ୍ରାଞ୍ଚ ଟିମ୍ ଶାହବାଜ ଖାନଙ୍କୁ ଗିରଫ କରିବାକୁ ଗଲା, ଅମାନତୁଲ୍ଲା ଖାନ ତାଙ୍କ ସମର୍ଥକ ମାନଙ୍କ ସହିତ ସେଠାରେ ପହଞ୍ଚି ପୋଲିସକୁ ଠେଲା ପେଲା କରିବା ଆରମ୍ଭ କରିଦେଲେ । ଆଉ ଏହି ସମୟରେ ଶାହବାଜ ଖାନ ଫେରାର୍ ହୋଇଗଲେ।