ବାରିପଦା,୨୫/୦୨: ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥିରେ 'ଆମେ ମୟୂରଭଞ୍ଜିଆ' ସଂଗଠନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରନ୍ନତତ୍ତ୍ୱବିତ୍ ଐତିହାସିକ ତଥା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୂର୍ବତନ ସଂଗ୍ରହାଧକ୍ଷ ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପଦ୍ମଶ୍ରୀ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅବଦାନକୁ ମନ ପକାଇଛି ମୟୂରଭଞ୍ଜ ।
ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୂଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀଙ୍କ ଆହ୍ୱାନ କ୍ରମେ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବରପୁତ୍ରଙ୍କୁ ସମ୍ମାନ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସଂସ୍କୃତି ଭବନ ପରିସରରେ ଥିବା ଡ଼କ୍ଟର ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗା ପ୍ରାସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ ଯୋଗ ଦେଇଥିଲେ ।
ଡ଼ଃ ପାଣିଗ୍ରାହୀଙ୍କ କୃତି ଓ କୀର୍ତ୍ତି ବାବଦରେ ଆଲୋକପାତ କରିବା ସହ ସେ ଜଣେ ପ୍ରଖ୍ୟାତ ଐତିହାସିକ ତଥା ସୁସାହିତ୍ୟିକ ବୋଲି କହିବା ସହ ତମାମ ମୟୂରଭଞ୍ଜିଆଙ୍କ ପାଇଁ ଗର୍ବ ଏବଂ ଗୌରବ ବୋଲି କହିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଡ଼ଃ ତରୁଣ କୁମାର ଓଝା ଡ଼ଃ ପାଣିଗ୍ରାହୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ପଥ ଅନୁସରଣ କରି ଆଗକୁ ବଢିବାକୁ ହେବ ବୋଲି କହିଥିଲେ । ସେହିପରି ଉପସ୍ଥିତ ଅନ୍ୟମାନେ ଡ଼ଃ ପାଣିଗ୍ରାହୀଙ୍କ ସାମଗ୍ରିକ ସାହିତ୍ୟ କୃତି ଓ ତାଙ୍କର ପ୍ରତନାତାତ୍ତ୍ୱିକ ଗବେଷଣା ଉପରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଖ୍ୟାତ ଐତିହାସିକ ଓ ପ୍ରାବନ୍ଧିକ ପଦ୍ମଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୟୁରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଠାରେ ଜନ୍ମଗ୍ରହଣ କରିଥିଲେ । ଅଧ୍ୟାପନା ସହିତ ପ୍ରତ୍ନତତ୍ତ୍ଵ ଗବେଷଣାରେ ଜଡିତ ରହି ବହୁ ନୂତନ ଐତିହାସିକ ତଥ୍ୟର ସନ୍ଧାନ ଦେଇଥିଲେ । ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ୱିକ ଅବଶେଷ' ବିଷୟରେ ଇଂରାଜୀରେ ଲିଖିତ ତାଙ୍କର ଗବେଷଣା ଗ୍ରନ୍ଥ ଏକ ଉପାଦେୟ ସୃଷ୍ଟି । ଓଡ଼ିଆ ଭାଷାରେ ମୌଳିକ ପ୍ରବନ୍ଧ ଲେଖି ପ୍ରତିଭାବାନ୍ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଇତିହାସରେ ସ୍ଵତନ୍ତ୍ର ସ୍ଥାନ ଅଧିକାରୀ କରିଥିଲେ । ସତ୍ୟ ସହିତ ତଥ୍ୟର ସମନ୍ଵୟ, ଅକାଟ୍ୟ ଯୁକ୍ତି ଓ ସରଳ ବୋଧଗମ୍ୟ ଭାଷାରେ ରଚିତ ତାଙ୍କର ପ୍ରବନ୍ଧଗୁଡ଼ିକ ଅନୁପମ ମର୍ଯ୍ୟାଦାପୂର୍ଣ୍ଣ ଥିଲା ।
ପ୍ରବନ୍ଧ ମାନସ, ଇତିହାସ ଓ କିମ୍ବଦନ୍ତୀ, ସାରଳା ସାହିତ୍ୟର ଐତିହାସିକ ଚିତ୍ର ଓ ଆମ୍ବ ,‘ମୋ ସମୟର ଓଡ଼ିଶା’ ପୁସ୍ତକ ତାଙ୍କ ଜୀବନାଦର୍ଶର ସର୍ବତ୍ତୋମ କୃତି । ମୟୂରଭଞ୍ଜର ଏହି କୃତିସନ୍ତାନ ତଥା ମହାନ ଗବେଷକ, ଐତିହାସିକଙ୍କ ଜନ୍ମ ୧୯୦୯ ମସିହା ଡିସେମ୍ବର ମାସ ୦୧ ତାରିଖ ଏଵଂ ୧୯୮୭ ମସିହା ଫେବୃଆରୀ ମାସ ୨୫ ତାରିଖରେ କଟକଠାରେ ମହାପ୍ରୟାଣ ହୋଇଥିଲା ।