କଟକ, ୨୫/୦୨: ପଦ୍ମଶ୍ରୀ-୨୦୨୩ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର ଆବେଦନକାରୀ ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣାର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଅଦାଲତରେ ବ୍ୟକ୍ତିଗତ ଉପସ୍ଥିତ ହୋଇ ଜବାବ ଦାଖଲ କରିଛନ୍ତି । ବିଭିନ୍ନ ରେକର୍ଡପତ୍ର ମଧ୍ୟ ଦାଖଲ କରିଛନ୍ତି । କିନ୍ତୁ ପଦ୍ମଶ୍ରୀ ସମ୍ମାନ ପାଇଥିବା ଢେଙ୍କାନାଳର ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର ନିଜେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖିବାକୁ ଆବେଦନ କରିଥିଲେ । ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ହାଜର ହେବାକୁ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୨୩ରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ଏହାକୁ ବିରୋଧ କରି ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣାର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ହିଁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ତାଙ୍କ ନାମଧାରୀ ଅନ୍ୟ ଜଣେ ଏହି ସମ୍ମାନ ହାତେଇ ନେଇଛନ୍ତି ବୋଲି ଆବେଦନକାରୀ ଅଦାଲତଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହାଇକୋର୍ଟ ଗତ ୧୧ ତାରିଖରେ ମାମଲାର ପ୍ରାଥମିକ ଶୁଣାଣି କରି ସରକାରଙ୍କୁ ନୋଟିସ୍ କରିବା ସହ ଉଭୟପକ୍ଷଙ୍କୁ ଆଜି ଅର୍ଥାତ୍ ୨୪ ତାରିଖ ଅପରାହ୍ଣ ୨ଟାରେ ଅଦାଲତରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଥାଉକି, ଆବେଦନକାରୀ ଶ୍ରୀ ମିଶ୍ର ପିଟିସନ୍ରେ ଅଭିଯୋଗ କରିଛନ୍ତି ଯେ ସେ ଜଣେ ଡାକ୍ତର ଏବଂ ଲେଖକ । ଓଡ଼ିଆ ଏବଂ ଅନ୍ୟ ଭାଷାରେ ସେ ୨୯ଟି ପୁସ୍ତକ ଲେଖିଛନ୍ତି । ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ଲାଗି ତାଙ୍କୁ ମନୋନୀତ କରାଯାଇଥିଲା । ୨୦୨୩ ମସିହା ପାଇଁ ତାଙ୍କ ନାମ ପଦ୍ମଶ୍ରୀ ଲାଗି ଘୋଷଣା ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କ ନାମରେ ଅନ୍ୟ ଜଣେ ବ୍ୟକ୍ତି ପଦ୍ମଶ୍ରୀ ହାତେଇଛନ୍ତି । ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ି ଏହି ମାମଲା ରୁଜୁ କରିଛନ୍ତି ।