ଭୁବନେଶ୍ୱର,୨୫/୨(ବିଜୟ ମିଶ୍ର): ଗଙ୍ଗୁଆ ନଦୀ ଅବବାହିକାର ୨ଟି ବଡ଼ ଉପନଦୀ ଶୁଖିଗଲାଣି । ଏବେ କିଛି କିଛି ନର୍ଦ୍ଦମା ମିଶ୍ରିତ ଜଳ ଦେଖିବାକୁ ମିଳୁଛି । ହେଲେ ବେଶୀ ଡେରି ନୁହେଁ, ଆସନ୍ତା ୨ ବର୍ଷ ମଧ୍ୟରେ ଏହି ୨ ପ୍ରାକୃତିକ ଜଳଉତ୍ସ ଆଉ ଦିଶିବନି । ନଦୀ କଡ଼ରେ ଅତି ଅବ୍ୟବସ୍ଥିତ ଢଙ୍ଗରେ ନିର୍ମିତ ୩୫୦ରୁ ଊଦ୍ଧ୍ୱର୍ ଆପାର୍ଟମେଣ୍ଟ ଓ ଶତାଧିକ ପ୍ଲଟିଂ ସ୍କିମ୍ରୁ ନିର୍ଗତ ନର୍ଦ୍ଦମା, ସ୍ୱେରେଜର ବାହକ ପାଲଟିବ । କାହିଁକି ନା ଏହି ୨ ନଦୀଦ୍ୱୟର ଉତ୍ପତ୍ତିସ୍ଥଳକୁ କବଜା କରିଛି ବିଡିଏ । ସେଠାରେ ନିର୍ମାଣ ଚାଲିଛି ବିଶାଳ ହାଉସିଂ ପ୍ରୋଜେକ୍ଟ। ନିର୍ମାଣ ଓ ଜନବସତିକୁ ପାଣି ଯୋଗାଇବା ଲାଗି ସେହି ଅଞ୍ଚଳରେ ମାଟିତଳୁ ବାହାରୁଥିବା ଜଳଉତ୍ସକୁ ଖୋଳିତାଡ଼ି ଅଟକାଇ ଦେଇଛି । ଗଙ୍ଗୁଆ ନଦୀର ନର୍ଦ୍ଦମା ଜଳ ଦୟାନଦୀରେ ମିଶୁଛି । ଏହାର ପ୍ରଭାବରେ କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ଲୋକେ ମରିବା ମନରୁ ଲିଭିନି। ଏପଟେ ଏହି ୨ ନଦୀରୁ ଆହୁରି ନର୍ଦ୍ଦମା ପାଣି ଗଙ୍ଗୁଆରେ ମିଶିବା ଏକ ପରିବେଶଗତ ଘୋର ଦୁର୍ଦ୍ଦଶାର ବାଟ ଫିଟାଇବା ନିଶ୍ଚିତ ହୋଇଛି । ଦୟା ନଦୀ ଅବବାହିକାରେ ଥିବା ଶହ ଶହ ଗାଁ ଲୋକଙ୍କ ମୁଣ୍ଡ ଉପରେ ବିପଦ ଘନେଇ ଆସୁଛି ।
ପାଇକରାପୁର-ନାରଗୋଦା ଅଞ୍ଚଳ ଏହି ଉପନଦୀ ଦ୍ୱୟର ଉତ୍ପତ୍ତିସ୍ଥଳ । ତମାଣ୍ଡୋ, ନଁପୁଟ ଅଞ୍ଚଳ ଦେଇ କୁହା, ବୀରବନ୍ଧ ଗହିର ବିଲରେ ପ୍ରବାହିତ ହୋଇ ଗଙ୍ଗୁଆ ନଦୀରେ ଏହି ୨ ଉପନଦୀ ମିଶିଛି । ଗଙ୍ଗୁଆ ନଦୀରେ ମିଶିଥିବା ୨୨ଟି ଝରଣା ମଧ୍ୟରୁ ଏହି ୨ଟି ସବୁଠାରୁ ପ୍ରଶସ୍ଥ ଓ ସଜଳା । ଉତ୍ପତ୍ତିସ୍ଥଳ ନାରଗୋଦା ମୌଜା ଗହିର ବିଲରେ ଥିଲା ପଟିଆ ଦହଲ । ୨୭ ଏକର ପରିମିତ ଜମିର ମାଟିତଳୁ ଅନବରତ ସ୍ୱଚ୍ଛ ଜଳ ବାହାରୁଥିଲା । ଇଂରେଜଙ୍କ ଅମଳରୁ ଏହି ଜଳଉତ୍ସ ଭୂସଂସ୍କାର ଆଇନ ମୁତାବକ ସଂରକ୍ଷିତ । ହେଲେ ଏହି ଅଞ୍ଚଳର ୭୭୦ ଏକର ଜମିରେ ବିଡିଏ ନିର୍ମାଣ କରୁଛି ବିଶାଳ କଂକ୍ରିଟ୍ ଜଙ୍ଗଲ । ପ୍ରାୟ ୨୦୦ ହେବ ଆପାର୍ଟମେଣ୍ଟ ଓ ଅସଂଖ୍ୟ କୋଠା ନିର୍ମାଣ ଚାଲିଛି । ପ୍ରକଳ୍ପ ନିର୍ମାଣ ପାଇଁ ବିପୁଳ ପରିମାଣର ଜଳ ଆବଶ୍ୟକ । ତାହା ସହିତ ନିର୍ମାଣ ସରିଥିବା ଜନବସତିରେ ଜଳ ଯୋଗାଣ ପାଇଁ ବିଡିଏ ଏହି ଜଳଉତ୍ସକୁ କବଜା କରିନେଇଛି । ପଟିଆ ଦହଲକୁ ଖୋଳି ସେଥିରୁ ପାଣି ବୋହି ନେଉଛି । ଆପାର୍ଟମେଣ୍ଟର ବର୍ଜ୍ୟଜଳ ଏହି ନାଳରେ ଛାଡ଼ୁଛି । ଫଳରେ ଏଠାରୁ ବାହାରିଥିବା ଏହି ୨ ଉପନଦୀକୁ ଆଉ ସ୍ୱଚ୍ଛ ପାଣି ମିଳୁନାହିଁ । ଉପରମୁଣ୍ଡ ପ୍ରାୟ ଶୁଖିଗଲାଣି । ତା’ ସହିତ ନଦୀର ତଳମୁଣ୍ଡ ଉଭୟ ତଟରେ ୧୧୦ଟି ଘରୋଇ ଆପାର୍ଟମେଣ୍ଟର ନିର୍ଗତ ସ୍ୱେରେଜ, ନର୍ଦ୍ଦମା ନଦୀଗର୍ଭରେ ପଡ଼ୁଛି । ଫଳରେ ତଳମୁଣ୍ଡରେ ଏବେ ନର୍ଦ୍ଦମା ମିଶ୍ରିତ କଳା ରଙ୍ଗର ପାଣି ପ୍ରବାହିତ ହୋଇ ଗଙ୍ଗୁଆରେ ପଡ଼ୁଛି ।
ଏହି ୨ ଉପନଦୀ ବ୍ୟତୀତ ଆଉ ୩ଟି ଝରଣାର ଅବସ୍ଥା ବି ଶୋଚନୀୟ । ରାଜଧାନୀ ଉପକଣ୍ଠ ଓରକଳ, ବୋତଣ୍ଡା ଓ ବୀରବନ୍ଧ ଦେଇ ପ୍ରବାହିତ ଜୋରଧାର, ଲଙ୍କ ନାଳ, ଭଙ୍ଗିଆ ନାମିତ ପ୍ରାକୃତିକ ନାଳରୁ ସ୍ୱଚ୍ଛ ଜଳ ଉଭେଇ ଗଲାଣି । ଭରତପୁର ଜଙ୍ଗଲରୁ ବାହାରି ଓୟୁଏଟି, ଗଣ୍ଡମୁଣ୍ଡା ଦେଇ ଜୋର ଧାର ସରକନ୍ତରା ଲେଭଲକ୍ରସିଂ ନିକଟ ରେଳବାଇ କଲଭର୍ଟ ତଳେ ଆରପଟକୁ ଯାଇଛି । କୋଚିଲାପୁଟ, ଏବରଙ୍ଗ ଗହିରରେ ପ୍ରବାହିତ ହୋଇ କପିଳପ୍ରସାଦ-ଜଟଣୀ ରାସ୍ତା ଓରକଳ ବ୍ରିଜ୍ ତଳେ ଯାଇ ଗଙ୍ଗୁଆ ନଦୀରେ ପଡ଼ିଛି । ୨୦ ବର୍ଷ ତଳେ ଏହି ପ୍ରାକୃତିକ ନାଳରେ ସ୍ୱଚ୍ଛ ଜଳର ପ୍ରଖର ସ୍ରୋତ ଥିଲା । ଏହାକୁ ଆଧାର କରି ହୁଏତ ଏହି ଝରଣାର ନାମ ଜୋରଧାର ରଖାଯାଇଛି । ହେଲେ ବର୍ତ୍ତମାନ ସ୍ରୋତ କ୍ଷୀଣ । ସେ ପୁଣି କେବଳ ନର୍ଦ୍ଦମା ଓ ସ୍ୱେରେଜ ପାଣି । ଏପଟେ ରଙ୍ଗିଆ, ଝାରିଆ ଉପନଦୀ ଶୁଖିଯିବାରୁ ସେଥିରୁ ବାହାରିଥିବା ଲଙ୍କ ନାଳ ଓ ଭଙ୍ଗିଆ ନାଳରେ ପାଣି ନାହିଁ କହିଲେ ଚଳେ । ଉପନଦୀ, ନାଳରେ ଜଳଜୀବ ଆଉ ନାହାନ୍ତି । ଯାହା ପାଣି ବୋହୁଛି ତାହା ବ୍ୟବହାର ଅଯୋଗ୍ୟ । ୨୦୧୪- ୧୫ ପର୍ଯ୍ୟନ୍ତ ବିକାଶ ଦାଉରୁ ବର୍ତ୍ତି ଯାଇଥିବା ଗଙ୍ଗୁଆ ନଦୀର ଏହି ୫ଟି ପ୍ରାକୃତିକ ଝରଣା କାଳକ୍ରମେ ନର୍ଦ୍ଦମା ଡ୍ରେନ୍ ପାଲଟିଗଲା । ହେଲେ ସରକାର ଚେତିଲେ ନାହିଁ କି କୌଣସି ପରିବେଶବିତ କିମ୍ବା ତଥାକଥିତ ସ୍ୱେଚ୍ଛାସେବୀ ପରିବେଶର ଏହି ଦୁର୍ବାର ଲୁଣ୍ଠନକୁ ବିରୋଧ କଲେ ନାହିଁ । ୨ ବର୍ଷ ହେବ ତଳମୁଣ୍ଡ ଓ ଉପରମୁଣ୍ଡରେ ପାନୀୟ ଜଳ ସଂକଟ ଉପୁଜିଲାଣି । ଏହି ୫ଟି ନାଳର ଦୁଃଖଦ ଅବକ୍ଷୟ ଉପରେ ପଧାନସାହି ପଞ୍ଚାୟତର ସରପଞ୍ଚ ଅନାମ ଚରଣ ସେନାପତି ମୁହଁ ଖୋଲିଛନ୍ତି।
ସେ କହିଛନ୍ତି ରଙ୍ଗିଆ, ଝାରିଆ ଉପନଦୀର ସଂରକ୍ଷଣ ପାଇଁ ପଞ୍ଚାୟତବାସୀଙ୍କ ତରଫରୁ ଆମେ ଜିଲ୍ଲାପାଳଙ୍କୁ ଅନେକ ଥର ଅବଗତ କରିଛୁ। ହେଲେ ବିଡିଏ ଓ ବିଡିଓ ଅନବରତ ଭାବେ ନଦୀ ତଟ ଗହିର ବିଲରେ ଆପାର୍ଟମେଣ୍ଟ ଓ ପ୍ଲଟିଂ ସ୍କିମ୍କୁ ମଞ୍ଜୁରୀ ଦେଇ ଚାଲିଛନ୍ତି । ଫଳରେ ନଦୀ ନାଳ ଗୁଡ଼ିକ ନର୍ଦ୍ଦମା, ସ୍ୱେରେଜରେ ଲଟପଟ ହୋଇ ସତ୍ତା ହରାଇଲାଣି । ସେହିଭଳି ଭୁବନେଶ୍ୱର ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି, ଉକ୍ତ ଉପନଦୀ ଦ୍ୱୟ ଖୋର୍ଦ୍ଧା ଜଳସମ୍ପଦ ଡିଭିଜନ ଦାୟିତ୍ୱରେ ରହଛି । ଉଭୟ ନଦୀର ସଂରକ୍ଷଣ ତଥା ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଉକ୍ତ ଡିଭିଜନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।