ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱଲଙ୍କୁ ବଡ ଝଟକା। ଅବକାରି ଦୁର୍ନିତିକୁ ନେଇ ନୂଆ ରିପୋର୍ଟ ଜାରି କଲେ ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(ସିଏଜି)। ଦିଲ୍ଲୀରେ ଆମ୍ ଆଦମି ଦଳ ଦ୍ୱାରା ଲଗାଯାଇଥିବା ଏହି ନୂଆ ଅବକାରୀ ନିୟମ ପାଇଁ ସରକାରଙ୍କୁ ୨ ହଜାର ୨ କୋଟିର ରାଜସ୍ୱ ହାନି ହୋଇଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ମଙ୍ଗଳବାର ଦିଲ୍ଲିର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ରିପୋର୍ଟକୁ ବିଧାନସଭାରେ ଜାରି କରିଛନ୍ତି।
ଏହି ଅବକାରୀ ଦୁର୍ନିତିରେ ଅର୍ଥ ହେରଫେର ହୋଇଥିବା ନେଇ ଆପ୍ ର ହାଇ ଭୋଲ୍ଟେଜ ନେତାମାନଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁପଖ୍ୟମନ୍ତ୍ରୀ ମନିଷ ସିଶୋଦିଆ, ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂ ଓ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୌନଙ୍କୁ ଗିରଫ କରାଯାଇଥିଲା। ତେବେ ତଦନ୍ତରେ ବିଳମ୍ୱ କାରଣରୁ ସୁପ୍ରିମ କୋର୍ଟ ସମସ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ଚଳିତ ବିଧାନସଭା ଅଧିବେଶନରେ ବାକିଥିବା ସମସ୍ତ ୧୪ଟି ସିଏଜି ରିପୋର୍ଟକୁ ମଧ୍ୟ ଗୃହିତ କରାଯିବ ବୋଲି ବିଜେପି ଘୋଷଣା କରିଛି।
ସୂଚନା ମୁତାବକ, ଆପ୍ ଦ୍ୱାରା ଦିଲ୍ଲୀରେ ୨୦୧୭-୧୮ରୁ ୨୦୨୦-୨୧ ଯାଏ ଲଗାଯାଇଥିବା ଏହି ନୂତନ ଅବକାରି ନୀତିରେ ଅନେକ ଭୁଲ ରହିଥିଲା ବୋଲି ସିଏଜିଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି। କାରଣ ସରେଣ୍ଡର କରାଯାଇଥିବା ଲାଇସେନ୍ସ ଗୁଡିକୁ ରି-ଟେଣ୍ଡର କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ୮୯୦ କୋଟି ଓ ଜୋନାଲ ଲାଇସେନ୍ସକୁ ଦିଆଯାଇଥିବା ରିହାତି ପାଇଁ ସରକାରଙ୍କୁ ମୋଟ୍ ୯୪୧ କୋଟି ଟଙ୍କାର କ୍ଷତି ହୋଇଥିଲା।
ଏ ସବୁ ଭିତରେ ଦିଲ୍ଲୀ ସରକାର ୨୦୨୧ ମସିହା ଡିସେମ୍ୱର ୨୮ ତାରିଖରୁ ୨୦୨୨ ମସିହା ଜାନୁଆରି ୨୭ ତାରିଖ ମଧ୍ୟରେ କୋଭିଡ-୧୯ ପ୍ରତିବନ୍ଧକ ପାଇଁ ୧୪୪ କୋଟି ଟଙ୍କା ଛାଡ କରିଥିଲେ। ଏହି ଟଙ୍କା ଛାଡ ପାଇଁ ଅବକାରୀ ବିଭାଗ ନିଜ ଆଡୁ ପଦକ୍ଷେପ ନେଇଥିଲା। ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହା ସହ ଜୋନାଲ ଲାଇସେନ୍ସ ପ୍ରାପକଙ୍କ ନିକଟରୁ ପ୍ରାପ୍ତ ହୋଇଥିବା ସୁରକ୍ଷା ଜମାରୁ ୨୭ କୋଟି ଟଙ୍କାର ମଧ୍ୟ ହିସାବ ମିଳିପାରୁ ନାହିଁ। ଏହା ସହ ଆୱାର୍ଡ ଲାଇସେନ୍ସ ଗୁଡିକରେ ଅନିୟମିତତା, ଅବକାରି ମୁଲ୍ୟ ନିର୍ଦ୍ଧାରଣରେ ସ୍ୱଚ୍ଛତାରେ ଅଭାବ, ଅନୁପଯୁକ୍ତ ମାନ ନିର୍ଦ୍ଧାରଣ ପାଇଁ ସିଏଜି ରିପୋର୍ଟରେ ଆପ୍ କୁ ଦୋଷ ଦେଇଛନ୍ତି।
ଏହି ରିପୋର୍ଟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଧାନସଭାରେ ରେଖା ଗୁପ୍ତା ବିଧାନ ସଭାରେ ଗୃହିତ କରାଇଥିଲେ ଏହି ଅବସରରେ ସମସ୍ତ ଆପ୍ ର ସମସ୍ତ ବିଧାୟକ ଏହାର କଡା ବିରୋଧ କରିଥିଲେ। ଏଣୁ ଆଜି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ମୋଟ ୧୨ ଜଣ ବଧାୟକଙ୍କୁ ଗୃହରୁ ବହିଷ୍କାର କରାଯାଇଛି।