ନୂଆଦିଲ୍ଲୀ, ୨୫।୨: ୫୦ ବର୍ଷ କିମ୍ୱା ଏହାଠୁ ଅଧିକ ବୟସର ହୋଇଥିଲେ ଆପଣଙ୍କୁ ବି ହୋଇପାରେ ଏହି ରୋଗ । ୯୦% ଭାରତୀୟଙ୍କ ଶରୀରରେ ଲୁଚି ରହିଛି ଏହି ମାରାତ୍ମକ ଭାଇରସ । ଜାଣିନାହାନ୍ତି ୫୬.୬% ଲୋକ । ଶରୀରର ସ୍ନାୟୁରେ ଶୁପ୍ତ ଅବସ୍ଥାରେ ରହିଥାଏ ଏହି ଭାଇରସ । ଯାହା ବୟସ ବୃଦ୍ଧି ସହିତ ଏକ ବିପଜ୍ଜନକ ରୂପ ନେଇପାରେ । ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ଏହି ଭାଇରସ ୫୦ ବର୍ଷ କିମ୍ୱା ତା’ଠାରୁ ଅଧିକ ବୟସର ୯୦% ଭାରତୀୟଙ୍କ ଶରୀରରେ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ୫୬.୬% ଲୋକଙ୍କ ପାଖରେ ଏହା ବିଷୟରେ କୌଣସି ଜ୍ଞାନ ନାହିଁ । ଏହି ଭାଇରସ ହେଉଛି, ଭାରିସେଲା-ଜୋଷ୍ଟର, ଯାହା ପୂର୍ବରୁ ଚିକେନପକ୍ସ ସୃଷ୍ଟି କରିଥିଲା ଏବଂ ଏବେ ଶରୀରରେ ନିଷ୍କ୍ରିୟ ରହିଛି ।
ଭାରିସେଲା-ଜୋଷ୍ଟର ଭାଇରସ (VZV) ହେଉଛି ସମାନ ଭାଇରସ ଯାହା ପିଲାମାନଙ୍କ ଚିକେନପକ୍ସ ସୃଷ୍ଟି କରେ । ଏହି ଭାଇରସ ଆମ ଶରୀରର ସ୍ନାୟୁରେ ଶୁପ୍ତ ଅବସ୍ଥାରେ ରହିଥାଏ, କିନ୍ତୁ ବୟସ ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ସହିତ ଏହା ପୁଣି ସକ୍ରିୟ ହୋଇପାରେ । ଏହି କାରଣରୁ, ଶିଙ୍ଗଲ୍ସ ନାମକ ଏକ ରୋଗ ହୁଏ । ଯାହା ବହୁତ ଯନ୍ତ୍ରଣାଦାୟକ ହୋଇପାରେ । ଶିଙ୍ଗଲ୍ସ ଏକ ଚର୍ମ ରୋଗ ଯାହା ଶରୀରରେ ଲାଲ ରଙ୍ଗର ଫୋଟକା ସୃଷ୍ଟି କରିପାରେ । କିନ୍ତୁ, ଏହା କେବଳ ଚର୍ମ ପର୍ଯ୍ୟନ୍ତ ସୀମିତ ନୁହେଁ, ଏହି ରୋଗ ପ୍ରଭାବରେ ପ୍ରବଳ ଜଳାପୋଡ଼ା, ଝିମଝିମ୍ ଅନୁଭବ ଇତ୍ୟାଦି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । କିଛି ଗମ୍ଭୀର କ୍ଷେତ୍ରରେ, ଭାଇରସ ଆଖିକୁ ବ୍ୟାପିପାରେ, ଯାହା ଦୃଷ୍ଟିଶକ୍ତି ହରାଇପାରେ । ଏହା ବ୍ୟତୀତ, ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଶିଙ୍ଗଲ୍ସରେ ପୀଡ଼ିତ ଲୋକଙ୍କ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ଅଧିକ ଥାଏ ।