ନୂଆଦିଲ୍ଲୀ,୨୫/୦୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ଼ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ଥିବା ବେଳେ ଏହାର ଗଭୀରତା ୯୧ କିଲୋମିଟର ରହିଛି।
ତେବେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କୋଲକାତାରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ସହରଠାରୁ ବହୁତ ଦୂରରେ ରହିଛି। ସେହିପରି ଚଳିତ ବର୍ଷ ଜାନୁଆରୀ ୮ ତାରିଖରେ ମଧ୍ୟ କୋଲକାତାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଉତ୍ତର ବଙ୍ଗରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯଦିଓ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଏହା ପୂର୍ବରୁ, ଗତ ମଧ୍ୟରାତ୍ରିରେ ପ୍ରାୟ ୧୨:୨୩ ସମୟରେ ମଣିପୁରର ଉଖରୁଲରେ ଏକ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ୩.୨ ଏବଂ ଗଭୀରତା ୧୦ କିଲୋମିଟର ଥିଲା। ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ରିପୋର୍ଟ ହେଉଛି। ଯାହା ଯୋଗୁଁ ଲୋକମାନେ ଆତଙ୍କିତ ଅଛନ୍ତି। ନିକଟରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଏକକାଳୀନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
ସେହିପରି ଆଜି ଓଡିଶାର ରାଜଧାନୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି।ଯାହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ଫେବୃଆରୀ ୨୩ ତାରିଖ ଦିନ ଅପରାହ୍ନ ୩ଟା ୨୪ ମିନିଟରେ ଉତ୍ତର ପ୍ରଦେଶର ଗାଜିଆବାଦରେ ୨.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁସାରେ, ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ଆସିଥିଲା। ଏହି ସପ୍ତାହର ଆରମ୍ଭରେ, ଫେବୃଆରୀ ୧୭ ତାରିଖ ସକାଳେ, ଦିଲ୍ଲୀରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ଭୟଭୀତ ଲୋକମାନେ ଘରୁ ବାହାରକୁ ପଳାଇଥିଲେ ।