ବର୍ଷା ଋତୁରେ ଗରମ ଗରମ ଚା'ର ଚୁସ୍କି ନେବାକୁ କାହାକୁ ଭଲ ନ ଲାଗେ । ଏହି ଋତୁରେ ପ୍ରାୟ ଲୋକ ଅଧିକ ଚା' ପସନ୍ଦ କରିଥାନ୍ତି । ଅବଶ୍ୟ ଦୁଗ୍ଧ ଚା' ଅଧିକ ପିଇବା ଅନୁଚିତ୍ । ଚାଲନ୍ତୁ ଜାଣିବା ଏମିତି କିଛି ଚା', ଯାହା ସ୍ୱାସ୍ଥ୍ୟପ୍ରଦ ହେବା ସହ ବର୍ଷା ଋତୁରୁ ହେଉଥିବା ସଂକ୍ରମଣଠାରୁ ଦୂରେଇ ରଖିବ । ବର୍ଷା ଆସିବା ମାତ୍ରେ ଆରମ୍ଭ ହୋଇଯାଏ ଟାଇଫଏଡ୍, ଡେଙ୍ଗୁ ଓ ମେଲେରିଆ ପରି ଜ୍ୱର ଓ ସଂକ୍ରମଣଜନିତ ସମସ୍ୟା । ତେଣୁ ଏହି ଋତୁରେ ବ୍ୟକ୍ତିଗତ ହାଇଜିନ୍କୁ ଅଧିକ ଗୁରୁତ୍ୱ ଦେବା ଜରୁରି । ଏହାବ୍ୟତୀତ ବାହାର ଖାଦ୍ୟ, ଦୂଷିତ ପାଣି ଓ ମଶା ଆଦିଙ୍କଠାରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ । ସେହିପରି ଚା ପିଇବାର ଥିଲେ ଦୁଗ୍ଧ ଚା' ପରିବର୍ତ୍ତେ କିଛି ଭିନ୍ନ ଚା' ମଧ୍ୟ ନେଇପାରିବେ, ଯାହା ଆପଣଙ୍କୁ ସ୍ୱାଦ ଦେବା ସହ ସୁସ୍ଥ ରଖିଥାଏ ।
ଅଦା ଚା': ଅଦା ଚା' ହଜମ ପ୍ରକ୍ରିୟାକୁ ତୀବ୍ର କରିଥାଏ । ଏହାବ୍ୟତୀତ ମନକୁ ଶାନ୍ତ ମଧ୍ୟ କରିଥାଏ । ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଲଢିବାରେ ସହଯୋଗ କରିଥାଏ ।
ତୁଳସୀ ଚା': ତୁଳସୀରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ରହିଥାଏ, ଯାହା ଶ୍ୱାସପ୍ରଶ୍ୱାସଜନିତ ସମସ୍ୟାରୁ ମୁକ୍ତି ଦେବା ସହ ସ୍ୱାସ୍ଥ୍ୟକୁ ବଢାଇଥାଏ । ବର୍ଷାଦିନେ ତୁଳସୀ ଚା' ବେଶ୍ ଉପକାରୀ ।
ଡାଳଚିନି ଚା': ଡାଳଚିନିରେ ଶରୀରରକୁ ଗରମ ରଖିବାର ଗୁଣ ରହିଥାଏ । ଏହା ରକ୍ତ ସଞ୍ଚାଳନକୁ ତୀବ୍ର କରିଥାଏ । ଏଥିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ବର୍ଷାଦିନେ ଶରୀର ପାଇଁ ଖୁବ୍ ହିତକର ।