ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ବେଧଡ଼କ ଚାଲିଛି ନକଲି ମୃଦୁ ପାନୀୟ ବେପାର, ସବୁ ଜାଣି ଚୁପ୍‌ ବସିଛି ପୁଲିସ୍‌, ପ୍ରଶାସନ

Published By : Prameya | March 25, 2025 1:53 PM

କାକଟପୁର,୨୫/୦୩: କାକଟପୁର ଅଞ୍ଚଳରେ  ବେଧଡ଼କ ଭାବେ ଚାଲିଛି ନକଲି ମୃଦୁ ପାନୀୟ କାରବାର । ବିନା ଲାଇସେନ୍ସରେ ବିକ୍ରି ହେଉଛି ପାଣି ପାଉଚ୍‌, ପାଣି ବୋତଲ, ସୋଢ଼ା ଓ ବିଭିନ୍ନ  ପ୍ରକାର ଥଣ୍ଡା ପାନୀୟ । ପୁଲିସ୍‌ ଓ ଜିଲ୍ଲା ପ୍ରଶାସନର  ଅଧିକାରୀମାନେ ସବୁ ଜାଣି ଚୁପ୍‌ ବସିଛନ୍ତି ।  

ଏହି ନକଲି ମୃଦୁ ପାନୀୟ ପିଇବା ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ପେଟ ରୋଗରେ ଆକ୍ରାନ୍ତ  ହେଉଛନ୍ତି ବୋଲି ଅଞ୍ଚଳର ଜଣେ ପ୍ରତିଷ୍ଠିତ ଡାକ୍ତର  ପ୍ରକାଶ କରିଛନ୍ତି । ଦୋକାନରେ ଯେଉଁ କମ୍ପାନି  ଗୁଡ଼ିକର ପାଣି ପାଉଚ୍‌, ପାଣି ବୋତଲ ଓ ଥଣ୍ଡା  ବିକ୍ରି ହେଉଛି ଅଧିକାଂଶ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ  କରୁଥିବା ଅଭିଯୋଗ ହୋଇଛି । କାରଣ ଏହାର  ବ୍ୟବହାର ଓ ଅବଧି ସଂପର୍କରେ କୌଣସି ସୂଚନା  ଦିଆଯାଉନି 

କେତେକ ମାଲିକ ଅଧିକ ଲାଭ ଆଶାରେ  ବାହାରୁ ନାମୀଦାମୀ କମ୍ପାନିର ଲୋଗୋ ଥିବା ଜରି  ଓ ଖାଲି ବୋତଲ କିଣି ଏଠାରେ ଦୂଷିତ ଜଳ ସହିତ ବିଭିନ୍ନ ପ୍ରକାର ଫ୍ଲେଭର ମିଶାଇ ମୃଦୁ  ପାନୀୟ ପ୍ରସ୍ତୁତ କରୁଛନ୍ତି । ପରେ ଏହାକୁ ସିଲ୍‌  କରି ବଜାରକୁ ଛାଡୁଛନ୍ତି । ପାଣି ଓ ଥଣ୍ଡା ଉତ୍ପାଦନ ପ୍ରସ୍ତୁତ କରିବା  ପାଇଁ ସରକାରଙ୍କ ଏକାଧିକ ନୀତି ନିୟମ ରହିଛି ।  କମ୍ପାନିର ଟ୍ରେଡ୍‌ମାର୍କ, ପାଣିର ଟେଷ୍ଟିଂ ସାର୍ଟିଫିକେଟ୍‌, ଲାବୋରେଟୋରି ସାର୍ଟିଫିକେଟ, ବିଏସ୍‌ଆଇ,  ଆଇଏସ୍‌ଆଇ ମାନ୍ୟତା ସାର୍ଟିଫିକେଟ୍‌, ଫୁଡ୍‌  ଲାଇସେନ୍ସ ଆଦି ଏକାଧିକ ସର୍ତ୍ତାବଳୀ ରହିବା ବାଧ୍ୟତାମୂଳକ । ଏଠାରେ ଥିବା ବେନାମୀ ପାଣି  କମ୍ପାନିମାନେ ଏସବୁ ନୀତି ନିୟମକୁ ଦଳିମକଚି  ଦେଉଛନ୍ତି । କେବଳ ଲୋକ ଦେଖାଣିଆ ଭାବେ  ଫୁଡ୍‌ ଲାଇସେନ୍ସ ହାତେଇ ପାଣି ଉତ୍ପାଦନ  ହେଉଥିବା କାରଖାନା କାନ୍ଥରେ ଟାଙ୍ଗୀ ଦେଇ  ଦୀର୍ଘଦିନ ଧରି ବେପାର ଚଳାଇ ଆସୁଛନ୍ତି।  

ପାଣି ପାଉଚ୍‌ ଓ ଥଣ୍ଡା ବୋତଲ କିଛିଦିନ ରହିବା ପରେ ଏହାର ସ୍ୱାଦ ଏବଂ ଗନ୍ଧ ଅଲଗା ଲାଗୁଥିବା ଅଭିଯୋଗ ହେଉଛି । ପାଣି ଓ ଥଣ୍ଡା ପ୍ୟାକିଂ ପୂର୍ବରୁ ଏହାର ନମୁନା ବିଆଇସି  ଲ୍ୟାବ୍‌କୁ ପଠାଇ ଏହାର ଗୁଣବତ୍ତା ଯାଞ୍ଚ କରିବା ଆବଶ୍ୟକତା ଥିବା ବେଳେ ଉପରୋକ୍ତ ମାନଦଣ୍ଡକୁ ପୂରଣ କରିବା ପାଇଁ ଅଧିକ ବ୍ୟୟବହୁଳ  ହୋଇଥିବାରୁ ଅସାଧୁ ମାଲିକମାନେ ଏହାକୁ ପାଳନ କରୁନାହାନ୍ତି । କେବଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  କୌଣସି ଉପାୟରେ ଫୁଡ୍‌ ଲାଇସେନ୍ସ ହାତେଇ  ଦୀର୍ଘଦିନ ଧରି ଅନାୟାସରେ ବେପାର ଚଳାଇ  ଆସୁଛନ୍ତି । ସ୍ଥାନୀୟ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ  ଏ ଦିଗରେ ଦୃଷ୍ଟି ଦେବା ସହ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌  ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କାକଟପୁର  ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.