ଭୁବନେଶ୍ୱର,୦୩/୦୮: ଭୁବନେଶ୍ୱର ମେଟ୍ରୋ ରେଳନିଗମ (ବିଏମ୍ଆର୍ସିଏଲ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ଅବ୍ୟାହତି ନେଇଛନ୍ତି ଶିବପ୍ରସାଦ ସାମନ୍ତରାୟ । ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନ କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ, ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ତତ୍କାଳୀନ ବିଜେଡି ସରକାର ୨୦୨୩ ଜୁଲାଇ ମାସରେ ଶ୍ରୀ ସାମନ୍ତରାୟଙ୍କୁ ସିଇଓ ଭାବେ ଏକ ବର୍ଷ ପାଇଁ ନିଯୁକ୍ତି ଦେଇଥିଲେ । ତାଙ୍କର କାର୍ଯ୍ୟକାଳ ଗତ ୩୧ ତାରିଖରେ ଶେଷ ହୋଇଛି । ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆର୍ଏସ୍ଇ) ଅଧିକାରୀ ଶ୍ରୀ ସାମନ୍ତରାୟ ପୂର୍ବତଟ ରେଳବାଇର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବ୍ରିଜ୍ ୱାର୍କସ) ଭାବେ କାର୍ଯ୍ୟ କରିସାରିଛନ୍ତି ।
ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଚଳିତ ବଜେଟରେ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ମଧ୍ୟ ସିଇଓ ଶ୍ରୀ ସାମନ୍ତରାୟଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନଥିଲା । ତାଙ୍କ ପରେ ନିଗମର ଚିଫ୍ ଜେନେରାଲ ମ୍ୟାନେଜର କଲ୍ୟାଣ ପଟ୍ଟନାୟକ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ତୁଲାଇବେ ।
ଗତ ଜାନୁୟାରୀ ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ୨୬ କିମି ରେଳ ମାର୍ଗରେ ମାଟ ୨୦ଟି ଷ୍ଟେସନ ରହିବ । ପ୍ରକଳ୍ପ ପାଇଁ ୬୨୫୫.୯୪କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ମାର୍ଗ ଚିହ୍ନଟ ସହ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଛି