ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସନ ଭାଗ ବଣ୍ଟା ନେଇ କସରତ: ବିଜେପି ମାଗୁଛି ୧୦ରୁ ଅଧିକ ଲୋକସଭା ସିଟ୍, ୧୨ ଆସନରୁ ତଳକୁ ଖସୁନି ବିଜେଡି: ୫ ସୁଦ୍ଧା ମେଣ୍ଟ ଚିତ୍ର ସ୍ପଷ୍ଟ !

ଭୁବନେଶ୍ୱର, ୦୪/୦୩: ବିଜେଡି-ବିଜେପି ମେଣ୍ଟ ରୂପରେଖକୁ ଚୂଡ଼ାନ୍ତ ରୂପ ଦେବାକୁ କସରତ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସୁଦ୍ଧା ସ୍ପଷ୍ଟ ଚିତ୍ର ଖୁଲାସା ହେବ- ଏଭଳି ଆଲୋଚନା ଜୋର୍‌ ଧରିଲାଣି । 

ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରବିବାର ରାତିରେ ଏ ନେଇ ଦିଲ୍ଲୀରେ ବିଜେଡି ଓ ବିଜେପି ନେତୃତ୍ୱ ମଧ୍ୟରେ ନିଭୃତ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିବା ପରେ ଆସନ ଭାଗବଣ୍ଟା ଅନୁପାତ ଉପରେ ଚୂଡ଼ାନ୍ତ ମୋହର ବାଜିବ । କୁହାଯାଉଛି, ଲୋକସଭାରେ ସିଂହଭାଗ ଆସନ ମାଗୁଛି ବିଜେପି ।  ୧୦ରୁ ଅଧିକ ଲୋକସଭା ଆଉ ଅତି କମ୍‌ରେ ୪୨ରୁ ଅଧିକ ବିଧାନସଭା ସିଟ୍‌ ନେବାକୁ ଜିଦ୍‌ ଧରୁଛି ।  

ନଛୋଡ଼ବନ୍ଦା ବିଜୁ ଜନତା ଦଳ । ଅତି କମ୍‌ରେ ୧୨ଟି ଲୋକସଭା ସିଟ୍‌ ଚାହୁଁଛିି । ୧୧୨ ବିଧାନସଭା ଜିତିଥିଲୁ । ଆଉ ତଳକୁ ଖସିବାର ପ୍ରଶ୍ନ ଉଠୁନି । ଯେମିତି ହେଉ ୧୧୨ରୁ ଅଧିକ ସିଟରେ ଲଢ଼ିବୁ । ଏ ଫର୍ମୁଲାରୁ ପଛକୁ ହଟୁନି ବିଜେଡି । ଦୁଇ ଦଳର ଦାବିର ମଝି ମଝିଆ ବାଟ ବାହାର କରିବାକୁ କସରତ ଚାଲିଛି । 

ଆସନ ଭାଗବଣ୍ଟା ବୁଝାମଣା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଏକ ଅନନ୍ୟ ଉପହାର ଦେଇ ପାରନ୍ତି ବୋଲି ମଧ୍ୟ ଦିଲ୍ଲୀ ଦରବାରରେ ଆଲୋଚନା ହେଉଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିପାରେ ମରଣୋତ୍ତର ଭାରତ ରତ୍ନ ସମ୍ମାନ । ଏମିତି ଆଲୋଚନା ଘୁରି ବୁଲୁଛି । 

ସାଂସଦ ଭର୍ତ୍ତୃହରି ମହତାବଙ୍କ ଝିଅ ବାହାଘର ରିସେପ୍‌ସନ୍‌ରେ ଯୋଗ ଦେବା ଆଳରେ ବିଜେଡି ନେତୃତ୍ୱ ଦିଲ୍ଲୀ ଯାଇଥିଲେ । ସେଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଏ ନେଇ ଆଲୋଚନା ହୋଇଥିବା କୁହାଯାଉଛି । 

ଆସନ ବୁଝାମଣାରେ ସିଟ୍‌ ହାତଛଡ଼ା କରିବାକୁ କେହି କୋହଳ ହେଉ ନାହାନ୍ତି । ବିଜେଡିର ଯୁକ୍ତି ହେଉଛି, ନବୀନଙ୍କ ଭାବମୂର୍ତ୍ତି ଆସନ୍ତା ଭୋଟରେ ମ୍ୟାଜିକ୍‌ କରିବ । ନବୀନଙ୍କ ଲୋକପ୍ରିୟତା ହିଁ ନିର୍ବାଚନ ବିଜୟରେ ବଡ଼ ପୁଂଜି ହେବ । ବହୁ ଜାତୀୟ ସଂସ୍ଥାର ସର୍ଭେ ପ୍ରମାଣ କରିଛି।

ନବୀନ କେବଳ ଓଡ଼ିଶାରେ ନୁହେଁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ବିଜେଡି ଭଳି ଆଞ୍ଚଳିକ ଦଳ ସହ ମେଣ୍ଟ ଯୋଗୁଁ ବିଜେପି ଯଥେଷ୍ଟ ଲାଭବାନ ହେବ । ତେଣୁ ବିଜେପି ଲୋକସଭାରେ ବିଜେଡିକୁ ୧୪ ଓ ବିଧାନସଭାରେ ୧୧୫ ଆସନ ଛାଡ଼ୁ ।

ବିଜେପି କିନ୍ତୁ ଓଲଟା ଯୁକ୍ତି କରୁଛି । ବୁଝାମଣା କକ୍ଷରେ ଦଳର ଶୀର୍ଷ ନେତା ଦର୍ଶାଉଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଆସନ୍ତା ନିର୍ବାଚନର ପୋଷ୍ଟର ବୟ । ମୋଦି ମ୍ୟାଜିକ୍‌ ଏଥର ଓଡ଼ିଶାରେ ବେଶ୍‌ କାଟୁ କରିବ । ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ସହଯୋଗ ଓ ସହାୟତା କରିଛନ୍ତି ଭୋଟରମାନେ ଭୋଟ ଜରିଆରେ ତା’ର ପ୍ରତିଦାନ ଦେବେ । ଜାତୀୟ ଦଳ ଭାବେ ବିଜେପିକୁ ବିଜେଡି ଅତି କମରେ ୧୨ ଲୋକସଭା ଓ ୫୦ ବିଧାନସଭା ସିଟ୍‌ ଛାଡ଼ୁ । 

ସୂତ୍ର କହୁଛି, ପ୍ରଧାନମନ୍ତ୍ରୀ ଓଡ଼ିଶା ମାଟିରେ ପାଦ ଦେବା ପୂର୍ବରୁ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହେବ । ଏଥିପାଇଁ ଦୁଇଦଳ ଏକପ୍ରକାର ସହମତି ଦେଇଛନ୍ତି । ବିକଳ୍ପ ଆସନ ସମୀକରଣରେ  ସହମତି ମାରିବାକୁ ଦୁଇଦଳ ମାନସିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାତ୍ର ସବୁକିଛି ଆସନ୍ତା ଦୁଇଦିନ ମଧ୍ୟରେ ସ୍ପଷ୍ଟ ହେବ । ମାତ୍ର ସୋମବାର ହେଉଛି ମେଣ୍ଟ ରୂପରେଖ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ।

ଯଦି ମେଣ୍ଟ ଚୂଡ଼ାନ୍ତ ହୁଏ ତେବେ ଇତିହାସ ପୁଣି କଡ଼ ଲେଉଟାଇବ । ୨୦୦୯ ମାର୍ଚ୍ଚରେ ଯେଉଁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା, ୧୫ ବର୍ଷ ପରେ ପୁଣି ସେଇ ମାର୍ଚ୍ଚରେ ମେଣ୍ଟ ସଂପର୍କରେ ବାନ୍ଧି ହେବେ ବିଜେଡି ଆଉ ବିଜେପି । ବିଜେଡି ବଡ଼ଭାଇ ହେବ, ବିଜେପି ସାଜିବ ସାନଭାଇ । 

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.