ପ୍ରମୂଖ ଖବର

ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଶକ୍ତ ଝଟ୍‌କା, ଏକନାଥ ସିନ୍ଦେଙ୍କ ଚୌକି ସୁରକ୍ଷିତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଟ୍ବିଷ୍ଟ ଆସିଛି । ପ୍ରକୃତ ଶିବସେନା କିଏ ତାକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶିବସେନା ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ରାୟ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଶିବସେନାର ୧୬ ଜଣ ବିଧାୟକଙ୍କ ପଦକୁ ବୈଧ ଘୋଷଣା କରିଛନ୍ତି ବାଚସ୍ପତି ନରଓ୍ବେକର । ଏହାସହ ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେଙ୍କ ଗୋଷ୍ଠୀ ଅସଲି ଶିବସେନା ବୋଲି କହିଛନ୍ତି ବାଚସ୍ପତି । 

 ବିଜେପି ସହ ମିଳିତ ଭାବେ ସରକାର ଗଠନ କରିଥିବା ସିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ବଡ଼ ଆଶ୍ବସ୍ତି ମିଳିଛି । ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଝଟକା ଲାଗିଛି । ସିନ୍ଦେଙ୍କ ନେତୃତ୍ବରେ ୧୬ ଜଣ ବିଧାୟକ ବିଦ୍ରୋହ କରିବା ସହ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରିଥିଲେ । ଏବେ ବିଜେପି ସହ ମେଣ୍ଟ ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେପଟେ ସିନ୍ଦେ ଗୋଷ୍ଠୀର ଦାବିକୁ ଚ୍ୟାଲେଞ୍ଜ କରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା ଶିବସେନାର ତତ୍କାଳୀନ ମୁଖ୍ୟ ଉଦ୍ଧବ ଠାକରେ । 

 ବହୁ ବିଚାର ବିମର୍ଶ ପରେ ନିର୍ବାଚନ କମିଶନ ସିନ୍ଦେଙ୍କ ଗୋଷ୍ଠୀକୁ ମୁଖ୍ୟ ଶିବସେନା ଦଳ ଭାବେ ମାନ୍ୟତା ଦେବା ସହ ନିର୍ବାଚନୀ ସଙ୍କେତ ‘ଧନୁତୀର’ ପ୍ରଦାନ କରିଥିଲେ । ଆଉ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ଭାବେ ନାମିତ କରିବା ସହ ମଶାଲ ଚିହ୍ନ ପ୍ରଦାନ କରାଯାଇଥିଲା । ଯାହାକୁ ଉଦ୍ଧବ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଦଳ ବଦଳ ନିରୋଧ ଆଇନ ଅନୁସାରେ, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ । ଏହି ମାମଲାର ନିଷ୍ପତ୍ତି ସର୍ବୋଚ୍ଚ କୋର୍ଟ ମହାରାଷ୍ଟ୍ର ବାଚସ୍ପତିଙ୍କ ଉପରେ ନ୍ୟସ୍ତ କରିଥିଲେ । ଆଉ ଆଜି ମହାରାଷ୍ଟ୍ର ରାଜ୍ୟପାଳ ସିନ୍ଦେ ଗୋଷ୍ଠୀକୁ ଅସଲି ଶିବସେନା ବୋଲି କହିଛନ୍ତି ।

ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଥିବା ବିଧାୟକମାନେ ହେଉଛନ୍ତି- ରୋଜଗାର ମନ୍ତ୍ରୀ ସନ୍ଦିପନାରାଓ ଭୁମରେ, ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ତାନାଜୀ ସାଓ୍ବନ୍ତ, ସଂକ୍ୟାଲଘୁ ବିକାଶ ମନ୍ତ୍ରୀ ଅବ୍ଦୁଲ ସତ୍ତାର, ଭରତ ଗୋଗାଓ୍ବଲେ, ସଞ୍ଜୟ ଶିରସାଟ ଏବଂ ୟାମିନୀ ଜାନ୍ଧବ । ଏହା ସହ ଅନୀଲଭାଉ ବାବର, କିନିକର ବାଲାଜୀ ପ୍ରହ୍ଲାଦ, ପ୍ରକାଶ ସୁର୍ବେ, ମହେଶ ସିନ୍ଦେ, ଲତା ସୋନଓ୍ବଣେ, ଚିମଣରାଓ ରୁପଚନ୍ଦ ପାଟିଲ, ରମେଶ ବୋରନାରେ, ସଞ୍ଜୟ ରାୟମୁଲକର ଏବଂ ବାଲାଜୀ କଲ୍ୟାଣକର । 

  • shivasena
  • shiv sena
  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.