ନୂଆଦିଲ୍ଲୀ,୧୧/୦୯: ବିଜେପି ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡିଛି । ଯୋଜନା ଅନୁସାରେ ଚଳିତମାସ ଶେଷ ସୁଦ୍ଧା ବିଜେପି ଦେଶରେ ୨୫୦ଟି କଲ୍ ସେଣ୍ଟର ପ୍ରତିଷ୍ଠା କରିବ । ଅର୍ଥାତ ପ୍ରତି ୨ଟି ଲୋକସଭା ଆସନରେ ଗୋଟିଏ କଲ୍ ସେଣ୍ଟର ରହିବ । ପ୍ରତ୍ୟେକ କଲ୍ ସେଣ୍ଟରରେ ୨୦ହଜାର ଦଳୀୟ କାର୍ଯ୍ୟକର୍ତ୍ତା ଯୋଡିହେବେ । ସେମାନେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କ ପାଖରେ ଦଳର ସନ୍ଦେଶ ପହଞ୍ଚାଇବା ଲାଗି ୨୪ ଘଣ୍ଟା କାର୍ଯ୍ୟ କରିବେ । ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ମୋବାଇଲ ଫୋନ୍ ସବୁଠାରୁ ବଡ ମାଧ୍ୟମ ସାଜିବ ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଦଳୀୟ ମହାସଚିବ ବି.ଏଲ୍ ସନ୍ତୋଷ କଲ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ଥିବା ସବୁ ଶୀର୍ଷ ପଦାଧିକାରୀଙ୍କ ସହ ବୈଠକ କରିସାରିଛନ୍ତି । ନିର୍ବାଚନ ପ୍ରଚାର କିଭଳି କରିବାକୁ ହେବ ସେମାନଙ୍କୁ ଭଲ ଭାବେ ତାହା ବୁଝାଇ ଦିଆଯାଇଛି । ପ୍ରତି କଲ୍ ସେଣ୍ଟରରେ ୨ଟି ଟିମ୍ ରହିବ । ପ୍ରଥମ ଟିମ୍ ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର କରିବା ସହିତ ଏହା ଦ୍ୱାରା ଲୋକମାନେ କିଭଳି ଲାଭବାନ ହୋଇଛନ୍ତି ତାହା ଜଣାଇବେ । ଯେଭଳି ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରଣ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ସାର୍ବଜନୀନ କୋଭିଡ ଟିକାକରଣ, ଆୟୁଷ୍ମାନ ଭାରତ ଆଦି ଯୋଜନା ସମ୍ପର୍କରେ ସେମାନେ ଭୋଟରମାନଙ୍କୁ ବୁଝାଇବେ । ମୋଦି ସରକାର ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେକଥା ମଧ୍ୟ ଏହି ଟିମ୍ର ସଦସ୍ୟମାନେ ଭୋଟରମାନଙ୍କୁ ଫୋନ୍ କରି ଜଣାଇବେ । ଅନ୍ୟପକ୍ଷରେ କଲ୍ ସେଣ୍ଟରର ଦ୍ୱିତୀୟ ଟିମ୍ ବିରୋଧୀଙ୍କ ମୁକାବିଲା କରିବେ । ହିନ୍ଦୁତ୍ୱ, ଦେଶ, ଜାତି, ସେନା, ଆଞ୍ଚଳିକ, ଭାଷା, ବେଶଭୂଷା ଆଦି ବିରୋଧରେ ବିରୋଧୀମାନେ ଦେଇଥିବା ବୟାନବାଜିକୁ ଏହି ଟିମ୍ ଖୋଜି ବାହାର କରିବା ସହ ସେକଥା ଲୋକମାନଙ୍କୁ ଜଣାଇବେ । ଏଥିପାଇଁ ଏକ ରିସର୍ଚ୍ଚ ଟିମ୍ ମଧ୍ୟ ଗଠନ କରାଯାଉଛି ।
କଲ୍ ସେଣ୍ଟର ବ୍ୟତୀତ ବିଜେପି ରାଜ୍ୟ ସ୍ତରରେ ଦୁଇଟି ୱାରରୁମ୍ ପ୍ରତିଷ୍ଠା କରିବ । ବିରୋଧୀ ଦଳଙ୍କ ଜନସଭା ଓ ରାଲିକୁ ଜିଓମ୍ୟାପିଂ କରାଯିବ । ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ବଡ ରାଜ୍ୟରେ ୩ରୁ ୪ଟି ୱାରରୁମ୍ ଖୋଲାଯିବ । ବାକି ରାଜ୍ୟ ଯେଉଁଠାରେ ଆସନ ସଂଖ୍ୟା ୧୦ କିମ୍ବା ତାଠାରୁ ଅଧିକ ସେଠାରେ ୨ଟି ୱାରରୁମ୍ ପ୍ରତିଷ୍ଠା ହେବ । ବିରୋଧୀ ଦଳଙ୍କ ଜନସଭା କିମ୍ବା ରାଲିକୁ ଯାଇଥିବା ଲୋକମାନଙ୍କୁ ମୋବାଇଲ ଫୋନ୍ ଯୋଗେ ସନ୍ଦେଶ ପହଞ୍ଚିଯିବ । କଲର ରିୟଲ ଟାଇମ୍ ସୂଚନା ପ୍ରଦାନ କରିବେ । କଲ୍ ସେଣ୍ଟର ଜରିଆରେ କେନ୍ଦ୍ରୀୟ ନେତୃତ୍ୱ ରିୟଲ ଜିଓଗ୍ରାଫିକାଲ ଲୋକେସନ ହିସାବରେ ସମସ୍ତ ତଥ୍ୟ ସଂଗ୍ରହ କରିବେ । ଅକ୍ଟୋବର ମଧ୍ୟଭାଗ ବେଳକୁ ଘୋଷଣାପତ୍ର ପ୍ରସ୍ତୁତି, ପ୍ରସଙ୍ଗ ସ୍ଥିର କରିବା ଆଦି ଦିଗରେ ବିଜେପି କାର୍ଯ୍ୟ ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ୧୨୭ ରାଲି ଓ ଜନସଭା କରିବେ ବୋଲି ଯୋଜନା ବନାଯାଉଛି । କିନ୍ତୁ ଅକ୍ଟୋବର-ନଭେମ୍ବରରେ ସମୀକ୍ଷା ପରେ ଏହି ରାଲି ସଂଖ୍ୟା ବଢ଼ିପାରେ ନଚେତ କମିପାରେ । ଲୋକସଭା ନିର୍ବାଚନ ପାଇଁ ବିଜେପି ଔପଚାରିକ ଭାବେ ଜାନୁଆରୀରେ ପ୍ରଚାର ମଇଦାନକୁ ଓହ୍ଲାଇବ । କୁହାଯାଉଛି କି ଆଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ବିଜେପି ପ୍ରଚାର ଅଭିଯାନ ଆରମ୍ଭ କରିବ ।