ନୂଆଦିଲ୍ଲୀ,୩୦/୦୯: ରୋଗରୁ ଶୀଘ୍ର ଆଶ୍ୱସ୍ତି ଦେବା ଲାଗି ବଜାରରେ ଉପଲବ୍ଧ ହେଉଥିବା ଆଣ୍ଟିବାୟୋଟିକ ଏବେ ପ୍ରଭାବଶୂନ୍ୟ ହେଉଥିବା ଦେଖାଯାଇଛି । ସିସିୟୁ ଏବଂ ଭେଣ୍ଟିଲେଟରରେ ଥିବା ୨୫% ରୋଗୀଙ୍କ କ୍ଷେତ୍ରରେ ଏବେ ଆଣ୍ଟିବାୟୋଟିକ କାମ ଦେଉନି । ୨ରୁ ୫% ବ୍ୟାକ୍ଟେରିଆ କ୍ଷେତ୍ରରେ ଆଣ୍ଟି ବାୟୋଟିକ କାମ କରିବା ପ୍ରାୟ ବନ୍ଦ କରିଦେଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ରିପୋର୍ଟରେ ଏଭଳି ଚିନ୍ତାଜନକ ଛବି ସାମ୍ନାକୁ ଆସିଛି ।
ଆଣ୍ଟି ମାଇକ୍ରୋବିୟଲ ରେଜିଷ୍ଟାନ୍ସ ସର୍ଭେଲାନ୍ସ ନେଟୱର୍କର ଏହି ରିପୋର୍ଟରେ କୁହାଯାଇଛି ଯେ, ୟୁରିନାରୀ ଟ୍ରାକ ସଂକ୍ରମଣ, ନିମୋନିଆ, ଟାଇଫଏଡ ଏବଂ ରକ୍ତ ସଂକ୍ରମଣ ଭଳି ରୋଗ କ୍ଷେତ୍ରରେ ଆଣ୍ଟି ବାୟୋଟିକ ଏତେଟା ପ୍ରଭାବୀ ହେଉନି । ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗ ମୁଖ୍ୟ ପ୍ରଫେସର ରାକେଶ ଯାଦବ କହିଛନ୍ତି, ଆଣ୍ଟିବାୟୋଟିକ୍ସ ପ୍ରଭାବ କମିବା ଯୋଗୁ ରୋଗୀଙ୍କୁ ଏବେ ବିଭିନ୍ନ ଆଣ୍ଟି ବାୟୋଟିକ ଦିଆଯାଉଛି ।
ଏହି ମେଡିସିନ ଗୁଡିକ ୮ରୁ ୧୦ ଗୁଣ ମହଙ୍ଗା । ସେହିଭଳି ରୋଗୀ ଡାକ୍ତରଖାନାରେ ଅଧିକ ଦିନ ରହୁଥିବାରୁ ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢ଼ିଯାଉଛି । ୨୦୦ ଦେଶକୁ ନେଇ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, ଯଦି ଆଣ୍ଟିବାୟୋଟିକ୍ସ ନିୟନ୍ତ୍ରଣ ନ କରାଯାଏ ସ୍ଥିତି ବିଗିଡିବ । ୨୦୫୦ ବେଳକୁ ପ୍ରତିବର୍ଷ ୨୦ ଲକ୍ଷ ଲୋକ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ସମସ୍ୟା ଯୋଗୁ ମୃତ୍ୟୁମୁଖରେ ପଡିବେ ।
୮୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ମେଡିସିନର ରେଜିଷ୍ଟାନ୍ସ ସମ୍ପର୍କିତ ରୋଗ ଯୋଗୁ ହେବ । ଏବେ ଆଣ୍ଟିବାୟୋଟିକ୍ସର ବ୍ୟବହାର ବହୁଳ ଭାବେ ହେଉଛି । ସାଧାରଣ ଥଣ୍ଡା ଏବଂ କାଶ ପାଇଁ ମଧ୍ୟ ଏହାର ବ୍ୟବହାର ହେଉଛି । ଏ କ୍ଷେତ୍ରରେ ଏହାର କୌଣସି ଆବଶ୍ୟକ ନ ଥିଲେ ମଧ୍ୟ ଆଣ୍ଟିବାୟୋଟିକ ବ୍ୟବହାର ହେଉଥିବା ନଜରକୁ ଆସୁଛି । ଆଣ୍ଟିବାୟୋଟିକର ସମ୍ପୂର୍ଣ୍ଣ ଡୋଜ ନ ନେଲେ ମଧ୍ୟ ଏଥିରେ ରେଜିଷ୍ଟାନ୍ସ ସମସ୍ୟା ଉପୁଜିବାର ଢ଼େର ଆଶଙ୍କା ରହିଛି ।
ଏଭଳି ମେଡିସିନ ଗୁଡିକର ଅବଧି ଶେଷ ହେବା ପରେ ଏଗୁଡିକୁ ଖୋଲାରେ ଫୋପାଡି ଦେବା ଫଳରେ ଏହା ପରିବେଶକୁ ଯାଇ ସେଭଳି ବ୍ୟାକ୍ଟେରିଆ ବିରୋଧରେ ଶରୀରରେ ରେଜିଷ୍ଟାନ୍ସ ସମସ୍ୟା ସୃଷ୍ଟି କରେ । ଆଣ୍ଟିବାୟୋଟିକର ଠିକ୍ ବ୍ୟବହାର ଏବଂ ଏହାର ଠିକ୍ ପରିଚାଳ/ନା ନେଇ ସରକାରଙ୍କୁ ନୀତିଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।
ଦେଶରେ ମେଡିସିନ ଡିସପୋଜାଲକୁ ନେଇ କୌଣସି ସ୍ପଷ୍ଟ ନୀତି ନାହିଁ । ୨୦୦୦ ମସିହା ବେଳକୁ ଦେଶରେ ଦୈନିକ ୩.୨ ବିଲିୟନ ଡୋଜ ଆଣ୍ଟିବାୟୋଟିକ ବ୍ୟବହାର ହେଉଥିଲା । ୨୦୧୧ରେ ଏହା ୪.୭ ବିଲିୟନ ଡୋଜ ଏବଂ ୨୦୧୯ରେ ୫.୦୭ ବିଲିୟନ ଡୋଜ ରହିଥିଲା । ଦିଲ୍ଲୀ ଏମ୍ସର ଡାକ୍ତର ନୀରଜ ନିଶ୍ଚଳ କହିଛନ୍ତି, ଯେଉଁଭଳି ଆଣ୍ଟିବାୟୋଟିକକ୍ସ ପ୍ରଭାବହୀନ ହେଉଛି ସେହି ତୁଳନାରେ କମ୍ ଆଣ୍ଟିବାୟୋଟିକ ଆସୁଛି ।