ଜୟପୁର, ୧୧।୭: ପରମ୍ପରା, ଏୈତିହ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ପରିଚିତ ରାଜସ୍ଥାନ । କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରାଜସ୍ଥାନୀ ବେଶ ପୋଷାକ ଓ ପରମ୍ପରାକୁ ବେଶ୍ ପସନ୍ଦ କରନ୍ତି ଲୋକେ । ଅନେକ ବିଦେଶୀ ଏଠାକାର ପର୍ଯ୍ୟଟନସ୍ଥଳକୁ ଆସୁଥିବା ବେଳେ ଅନେକ ଭାରତୀୟ ଡେସଟିନେସନ୍ ୱେଡିଂ ପ୍ଲେସ୍ ଭାବେ ରାଜସ୍ଥାନକୁ ବାଛନ୍ତି । ତେବେ ବିବାହକୁ ନେଇ ରାଜସ୍ଥାନ ଡେଭେଲପମେଣ୍ଟ କର୍ପୋରେସନ୍ ଓ ଭାରତୀୟ ରେଳ ବିଭାଗ ମିଳିତ ଭାବେ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି । ଖୁବ୍ ଶୀଘ୍ର ଲଗଜରୀ ଟ୍ରେନ୍ରେ ଲଞ୍ଚ ହେବ ପ୍ୟାଲେସ୍ ଅନ୍ ହ୍ୱିଲ୍ । ଯାହାକୁ ଡେସଟିନେସ୍ ୱେଡିଙ୍ଗ୍ ଭାବେ ବ୍ୟବହାର କରାଯିବ । କେବଳ ଏତିକି ନୁହେଁ, ଏହି ଲଗଜରୀ ଟ୍ରେନ୍ରେ ପ୍ରି ୱେଡିଂ ଓ ପୋଷ୍ଟ ୱେଡିଂ ସୁଟ୍ ମଧ୍ୟ କରିହେବ ।
ଅନ୍ୟପଟେ ରାଜସ୍ଥାନୀ କଳା ଓ ସଂସ୍କୃତି ବିଦେଶୀଙ୍କୁ ଆକୃଷ୍ଟ କରିବା ସହ ରାଜସ୍ଥାନର ପରମ୍ପରା ରୀତିନୀତି ବିଷୟରେ ଅବଗତ କରାଇବ । ତେବେ ପ୍ୟାଲେସ୍ ଅନ୍ ହ୍ୱିଲ୍ ବିଶ୍ୱର ସବୁଠାରୁ ସୁନ୍ଦର ଲଗଜରୀ ଟ୍ରେନ୍ ମଧ୍ୟରୁ ଗୋଟିଏ । ଏହି ଲଗଜରୀ ଟ୍ରେନ୍ରେ ବିବାହ କାର୍ଯ୍ୟକ୍ରମର ଆୟୋଜନ ବର-କନ୍ୟାଙ୍କୁ ରାଜା-ରାଣୀଙ୍କ ଭଳି ଅନୁଭବ ଦେବ । ଏହି ଲଗଜରୀ ଟ୍ରେନ୍କୁ ୧୯୮୨ରେ ଲଞ୍ଚ କରାଯାଇଥିଲା । ସେତେବେଳେ ଏହାର ନାଁ ଥିଲା ହେରିଜ୍ ପ୍ୟାଲେସ୍ ଅନ୍ ହ୍ୱିଲ୍ । ଏଥିରେ ଯାତ୍ରୀଙ୍କୁ ରୟାଲ୍ ଫ୍ୟାସିଲିଟି ଯେପରିକି, ଡ୍ୟୁଲକ୍ସ କ୍ୟାବିନ୍, ଫାଇନ୍ ଡାଇନିଂ, ବାର୍, ସ୍ପା ଆଦିର ସୁବିଧା ମିଳିଥାଏ । ତେବେ ଏ ସମସ୍ତ ସୁବିଧା ସହିତ ବର୍ତ୍ତମାନ ଆଉ ଏକ ସୁବିଧା ସାମିଲ କରାଯାଇଛି । ବର୍ତ୍ତମାନ ଏହି ଟ୍ରେନ୍ରେ ବିବାହ ମଧ୍ୟ କରିହେବ ।
ଏହି ଚଳନ୍ତା ଟ୍ରେନ୍ରେ ଯେଉଁମାନେ ଚାହିଁବେ ବିବାହ ସହିତ ସମସ୍ତ ଅନ୍ୟ ରୀତିନୀତି ଯେପରିକି ମେହେନ୍ଦୀ, ସଙ୍ଗୀତ, ହଲଦୀ ଆଦି କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିପାରିବେ । ଟ୍ରେନ୍ଟି ଅନେକ ହିଷ୍ଟୋରିକାଲ୍ ଟୁରିଷ୍ଟ ପ୍ଲେସ୍ ଯେପରି ଜୟପୁର, ସ୍ୱଇ, ଚିତ୍ତୋରଗଡ଼, ଉଦୟପୁର, ଯୋଧପୁର, ଜୟସାଲମର ଭଳି ସ୍ଥାନକୁ ଯାଉଛି । ତେବେ ଏହି ଟ୍ରେନ୍ଟି ବେଶ୍ ବିଳାସପୂର୍ଣ୍ଣ ଓ ମହଙ୍ଗା ହୋଇଥାଏ, ଏଥିରେ ଯିବାକୁ ହେଲେ ଲକ୍ଷାଧିକ ଟଙ୍କାର ଭଡ଼ା ଦେବାକୁ ପଡ଼ିଥାଏ । ଏଥିସହ ଏଠାରେ ବିବାହ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ହେଲେ ଆଗୁଆ ବୁକିଂ କରିବାକୁ ହୁଏ । ଏହି ଟ୍ରେନ୍ରେ ଅନେକ ବିଦେଶୀ ପର୍ଯ୍ୟଟକ ଯାତ୍ରା କରୁଥିବାର ଦେଖିବାକୁ ମିଳିଥାଏ । ଏଭଳି ଲଗଜରୀ ଟ୍ରେନ୍ରେ ବିବାହ କରିବାର ଯୋଜନାକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି ।