ନୂଆଦିଲ୍ଲୀ, ୧୧।୭: ଯଦି ଆପଣ କୋଟି କୋଟି ଟଙ୍କାର ମାଲିକ ହୋଇଥାନ୍ତେ । ତେବେ କ’ଣ କରିବେ ? ଉତ୍ତରରେ ଆପଣ ନିଶ୍ଚୟ ଏହା କହିବେ ଯେ, ଆଲିସାନ୍ ବଙ୍ଗଳାରେ ରହିବା ସହ ବିଳାସମୟ ଜୀବନ ଅତିବାହିତ କରିବେ । କିନ୍ତୁ, ଯଦି ଆମେ ଆପଣଙ୍କୁ କହିବୁ, ଜଣେ ଏଭଳି କୋଟିପତି ମହିଳା ଯିଏ ତାଙ୍କ ଲଗଜରୀ ଲାଇଫ୍ ଛାଡ଼ି ଏକ ଛୋଟ ଭ୍ୟାନ୍ରେ ରହୁଛନ୍ତି, ତା’ ହେଲେ ଆପଣ କହିବେ ବୋଧହୁଏ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । କିନ୍ତୁ, ଏହା ସମ୍ପୂର୍ଣ୍ଣ ସତ ।
ଯେଉଁଠି ଧନୀ ଲୋକମାନେ ନିଜର ବିଳାସମୟ ଜୀବନ ଅତିବାହିତ କରୁଛନ୍ତି, ଅନ୍ୟପଟେ ଏହି କୋଟିପତି ମହିଳା ଜଣକ ଏକ ଛୋଟ ଭ୍ୟାନ୍କୁ ତାଙ୍କ ଘର ଭାବେ ବାଛିନେଇଛନ୍ତି । ମହିଳାଙ୍କର ଏଭଳି ନିଷ୍ପତ୍ତି ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ସେ । ତାଙ୍କର ଲଗଜରୀ ହାଉସ୍ ଥିଲେ ମଧ୍ୟ ସେ ଭ୍ୟାନ୍ରେ ରହିବାକୁ ପସନ୍ଦ କରନ୍ତି । କିଏ ଏହି ମହିଳା ? ଆଲିସାନ୍ ବଙ୍ଗଳା ଛାଡ଼ି କାହିଁକି ରହୁଛନ୍ତି ଭ୍ୟାନ୍ରେ ? ତେବେ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ମହିଳାଙ୍କ ନାଁ କେଟଲିନ୍ ପାଇଲ୍ । ନିକଟରେ କେଟଲିନ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ଓ ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା ।
କେଟଲିନ୍ ଖୁବ୍ ଧନୀ । କାରଣ ସେ ତାଙ୍କ ଜୀବନରେ ଖୁବ୍ ପରିଶ୍ରମ କରିଛନ୍ତି, ଆଉ ନିଜ ପରିଶ୍ରମ ବଳରେ କୋଟି କୋଟି ଟଙ୍କା ମଧ୍ୟ ଅର୍ଜନ କରିଛନ୍ତି । ଏବେ ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । କେଟଲିନ୍ଙ୍କ ପାଖରେ ରହିଛି ୫ ମିଲିୟନ୍ ଡଲାର ଅର୍ଥାତ୍ ପାଖାପାଖି ୪୨ କୋଟି ଟଙ୍କାର ସମ୍ପତ୍ତି । କେବଳ ଏତିକି ନୁହେଁ, ତାଙ୍କ ପାଖରେ ଗୋଟିଏ ବିଳାସମୟ ବଙ୍ଗଳା ରହିବା ସତ୍ତ୍ୱେ ସେ ଏକ ଭ୍ୟାନ୍ରେ ନିଜ ଜୀବନ ଅତିବାହିତ କରନ୍ତି । ଏହି ଭ୍ୟାନ୍ଟି ୮୪ ବର୍ଗ ଫୁଟ୍ର । ତେବେ କେଟଲିନ୍ଙ୍କ କହିବାନୁସାରେ, ତାଙ୍କୁ ବଙ୍ଗଳାରେ ସେଭଳି ଖୁସି ମିଳେନି । ସେ ସାରା ଜୀବନ ଏହି ଭ୍ୟାନ୍ରେ ବିତାଇବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବଙ୍ଗଳାଠୁ ଅଧିକ ଏହି ଭ୍ୟାନ୍ରେ ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ତାଙ୍କୁ ମାନସିକ ଶାନ୍ତି ମିଳେ । ତେଣୁ ସେ ବଙ୍ଗଳା ଛାଡ଼ି ଭ୍ୟାନ୍କୁ ସିପ୍ଟ କରିଯାଇଛନ୍ତି ।