ପୁରୀ,୦୬/୦୪: ଆଜିଠୁ ବହୁ ପ୍ରତୀକ୍ଷିତ ଶ୍ରୀକ୍ଷେତ୍ରର ସାହି ଯାତ ଆରମ୍ଭ ହେବ । ଶ୍ରୀମନ୍ଦିରର ରୀତିନୀତିକୁ ନେଇ ରାମ ନବମୀରେ ରାମଜନ୍ମଠାରୁ ରାମଙ୍କ ଅଭିଷେକ ପର୍ଯ୍ୟନ୍ତ ପୁରୀର ଆଠ ସାହି ୪୨ କନ୍ଦି ବୀରବାଦ୍ୟରେ କମ୍ପିବ ।
ପ୍ରଥମ ଦିନରେ ଶ୍ରୀମନ୍ଦିରରେ ରାମ ଜନ୍ମନୀତି କଳିକା ଦେବୀ ସାହି ପକ୍ଷରୁ ଅନୁଷ୍ଠିତ ହେବ । ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମହର୍ଷି ଆଦି ବେଶ ହୋଇ କଳିକାଦେବୀ ସାହିରୁ ଭୁଆସିକଙ୍କ ସହିତ ପଡ଼ୋଶୀ ସାହି ମାଟିମଣ୍ଡପ ସାହିକୁ ଯିବେ । ମିତ୍ର ସାହି ଭାବେ ସଂସ୍କୃତି ଓ ସମର କଳା ଦେଖାଇବେ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସରିଲେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରୁ ଚରୁଅନ୍ନ ଆଣି ମା ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ରାମ ଲକ୍ଷ୍ମଣ ଚରିତ୍ରମାନେ ସାହି ପରିକ୍ରମା କରିବେ ।
କାର୍ଯ୍ୟସୂଚୀ ଅନୁସାରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ଶେଷ ହେବା ପରେ ୭ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ହେବ । ସେହି ଦିନ ମାଟିମଣ୍ଡପ ସାହିର ନିଶାଣ ଯାତ୍ରା ମଧ୍ୟ କରାଯିବ । ୮ ତାରିଖରେ ହରଚଣ୍ଡୀ ସାହିର ସୀତାବିବାହ ନୀତି ଅନୁଷ୍ଠିତ ହେବ । ପରେ ୯ ତାରିଖରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଶ୍ରୀରାମ ବନବାସ ଏବଂ ୧୧ ତାରିଖରେ କୁଣ୍ଢେଇବେଣ୍ଟ ସାହିର ମାୟା ମୃଗ ନୀତି ପାଳନ ହେବ । ୨୨ ତାରିଖ ପର୍ଯ୍ୟନ୍ତ ସାହିଯାତ ଚାଲିବ ।