କଟକ,୦୭/୦୪: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ(ଡିଇଓ)ରୁ ୨୮ଲକ୍ଷ ଟଙ୍କା ଦୁଇ ନକଲି ଆକାଉଣ୍ଟକୁ ଯିବା ଏବଂ ପରେ ତାକୁ ପିଅନ ଆକାଉଣ୍ଟ୍କୁ ପଠାଇ ସେଥିରୁ ଟଙ୍କା ଉଠାଇ ବଣ୍ଟାଯିବା ଘଟଣାର ପ୍ରକୃତ ସତ ଧରା ପଡ଼ିଯାଇଛି । ଯେଉଁ ଦୁଇଟି ନକଲି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା ସେଥିରୁ ଜଣେ ହେଉଛନ୍ତି ପପୁ ଦାସ । ପପୁ ଦାସ ପେସାରେ ଡ୍ରାଇଭର ଓ ତାଙ୍କର ଡିଇଓ କାର୍ଯ୍ୟାଳୟ ସହିତ କୌଣସି ସମ୍ପର୍କ ନାହିଁ । କୁହାଯାଉଥିଲା କି ପିଅନଙ୍କ ସହିତ ପପୁଙ୍କର ସମ୍ପର୍କ ରହିଥିଲା ଏବଂ ତାଙ୍କୁ ମାଧ୍ୟମ କରି ପିଅନ ଟଙ୍କା ଉଠାଇନେଲେ । କିନ୍ତୁ ଏବେ ଏକ ଭାଇରାଲ୍ ଫଟୋ ସବୁ ସତ ଧରା ପକାଇ ଦେଇଛି । ଯେଉଁ ଡ୍ରାଇଭର ପପୁ ଦାସଙ୍କ ଆକାଉଣ୍ଟକୁ ଡିଇଓ ଅଫିସରୁ ଟଙ୍କା ଟ୍ରାନ୍ସଫର୍ କରାଯାଇଥିଲା, ସେହି ପପୁଙ୍କ ସହ ଡିଇଓ କାର୍ଯ୍ୟାଳୟର ତଥାକଥିତ ପାୱାରଫୁଲ୍ କର୍ମଚାରୀମାନେ ସୁଇମିଂ ପୁଲ୍ରେ ମଉଜ କରୁଛନ୍ତି । ପରସ୍ପର କାନ୍ଧରେ ହାତ ପକାଇ ପୁରୀର ଏକ ବିଳାସପୂର୍ଣ୍ଣ ହୋଟେଲର ସୁଇମିଂ ପୁଲ୍ରେ ଏମାନେ ମଜା କରୁଥିବା ଫଟୋରେ ଦେଖିବାକୁ ମିଳିଛି ।
ଡିଇଓ କାର୍ଯ୍ୟାଳୟରେ ସରକାରୀ ଟଙ୍କା ବାଟମାରଣା ଘଟଣାରେ ଏବେ ସବୁ ଦୋଷ ଜଣେ ପିଅନଙ୍କ ମୁଣ୍ଡରେ ଲଦି ଦେଇ ଡିଇଓ କାର୍ଯ୍ୟାଳୟର ବାବୁମାନେ ଖସିଯିବାକୁ ଜୋର୍ଦାର୍ ଉଦ୍ୟମ କରୁଛନ୍ତି । କିନ୍ତୁ ପୁରୁଣା ଦିନରେ ପପୁଙ୍କ ସହ ଡିଇଓ କାର୍ଯ୍ୟାଳୟ ଅଧିକାରୀମାନଙ୍କ ସମ୍ପର୍କ କିଭଳି ଥିଲା ତାକୁ ଭାଇରାଲ୍ ଫଟୋ ପ୍ରମାଣିତ କରିଛି ।
ଘଟଣାକ୍ରମକୁ ଆରମ୍ଭରୁ ଯଦି ଦେଖାଯାଏ, ୨୦୨୧ ଏପ୍ରିଲ ୪ ରୁ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ୨୮ଲକ୍ଷ ଟଙ୍କା ଡିଇଓ ଅଫିସରୁ ଦୁଇଟି ନକଲି ଆକାଉଣ୍ଟକୁ ପଠାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ନାମରେ ୧୩ଲକ୍ଷ ୬୯ହଜାର ୨୨୦ ଟଙ୍କା ଯେଉଁ ଆକାଉଣ୍ଟକୁ ପଠାଯାଇଥିଲା ତାହା ବାସ୍ତବରେ ଜଣେ ଡ୍ରାଇଭର୍ ପପୁ ଦାସଙ୍କର । ପ୍ରକାଶ ଚନ୍ଦ୍ର ମିଶ୍ର ନାମଧାରୀ କୌଣସି ବ୍ୟକ୍ତିଙ୍କର ତାହା ଆକାଉଣ୍ଟ ହିଁ ନଥିଲା । ଅନ୍ୟପକ୍ଷରେ ପପୁ ହେଲେ ପିଅନଙ୍କ ସମ୍ପର୍କୀୟ ଅର୍ଥାତ୍ ତାଙ୍କ ପରିବାରର ଗାଡ଼ି ଚଳାଉଥିବା ଡ୍ରାଇଭର୍ । ଡିଇଓ କାର୍ଯ୍ୟାଳୟ ସହିତ ସିଧାସଳଖ ସମ୍ପର୍କ ନଥିଲେ ମଧ୍ୟ ପପୁଙ୍କର ଅବାଧ ପ୍ରବେଶ ଥିଲା କାର୍ଯ୍ୟାଳୟ ପରିସରକୁ । ଡିଇଓ ଅଫିସରେ ଅଧିକାରୀମାନଙ୍କ ଚାମ୍ବରରେ ଗୋଡ଼ ଉପରେ ଗୋଡ଼ ପକାଇ ବସୁଥିବା ପପୁଙ୍କ ସହିତ କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀଙ୍କ ଘନିଷ୍ଠ ସମ୍ପର୍କ ଥିଲା । ତେଣୁ ପପୁଙ୍କ ଆକାଉଣ୍ଟକୁ (କାଗଜପତ୍ରରେ ଅନ୍ୟଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଆକାଉଣ୍ଟକୁ) ୧୩ ଲକ୍ଷରୁ ଅଧିକ ଟଙ୍କା ପଠାଯାଇଥିଲା । ସେହିପରି ଦ୍ୱିତୀୟ ନକଲି ଆକାଉଣ୍ଟ ପ୍ରତାପ ଚନ୍ଦ୍ର ରଣାଙ୍କ ନାଁରେ କରାଯାଇଥିଲା, ଯାହା ବାସ୍ତବରେ ମଞ୍ଜୁବାଳା ବେହେରାଙ୍କ ଆକାଉଣ୍ଟ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଡିଇଓଙ୍କୁ ଲିଖିତ ଭାବେ ଜଣାଇଛି । ଏହି ଆକାଉଣ୍ଟକୁ ୧୪ଲକ୍ଷ ୩୧ହଜାର ୫ଶହ ଟଙ୍କା ଟ୍ରାନ୍ସଫର୍ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା, ମଞ୍ଜୁବାଳାଙ୍କ ରକ୍ତ ସମ୍ପର୍କୀୟ ମଧ୍ୟ ଏହି ଭାଇରାଲ୍ ଫଟୋରେ ରହିଛନ୍ତି ଏବଂ ଡିଇଓ କାର୍ଯ୍ୟାଳୟର କର୍ମଚାରୀଙ୍କ କାନ୍ଧରେ ହାତ ପକାଇ ଫଟୋ ଉଠାଇଛନ୍ତି ।
ତେଣୁ ଜାଲିଆତି ବେଶ୍ ଜଳଜଳ । ଦୁଇ ନକଲି ଆକାଉଣ୍ଟ ମାଧ୍ୟମରେ ଚଞ୍ଚକତାର ସହ ସରକାରୀ ଟଙ୍କାକୁ ଆତ୍ମସାତ୍ କରି ମଉଜ କରିଥିଲେ କର୍ମଚାରୀମାନେ । ଯାହା ପ୍ରମାଣିତ କରିଛି ଏ ଫଟୋ । ଏଥିରେ ଡିଇଓ କାର୍ଯ୍ୟାଳୟର ଜଣେ କ୍ଲର୍କ, ତିନିଜଣ ଜୁନିଅର ଆସିଷ୍ଟାଣ୍ଟ୍ ରହିଛନ୍ତି । ଚର୍ଚ୍ଚା ହୁଏ, ଏମାନେ ଡିଇଓ କାର୍ଯ୍ୟାଳୟର ସବୁଠାରୁ ପ୍ରଭାବଶାଳୀ କର୍ମଚାରୀ । କଟକ ଜିଲ୍ଲାରେ ରହିଥିବା ବିଭିନ୍ନ ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏମାନେ ଆଙ୍ଗୁଳିରେ ନଚାଇଥାନ୍ତି । ଦୀର୍ଘ ବର୍ଷ ଧରି ଏମାନେ ଏହି କାର୍ଯ୍ୟାଳୟରେ ରହି ମନଇଚ୍ଛା କାରବାର ଚଳାଇଛନ୍ତି। ଅଧିକାରୀମାନଙ୍କ ନିକଟତର ଏବଂ ସେମାନଙ୍କୁ ସୁହାଇବା ଭଳି କାମ କରୁଥିବାରୁ ଏମାନଙ୍କ ବଦଳି ବି ହେଉନାହିଁ । ଏବେ ୨୮ଲକ୍ଷ କେଳେଙ୍କାରୀ ଘଟଣାରେ ଏମାନଙ୍କ ସନ୍ଦିଗ୍ଧ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁ ବାହାର ଲୋକ ଅର୍ଥାତ୍ ନକଲି ଆକାଉଣ୍ଟକୁ ଡିଇଓ କାର୍ଯ୍ୟାଳୟରୁ ସରକାରୀ ଟଙ୍କା ପଠାଯାଇଥିଲା, ସେମାନଙ୍କ ସହ କର୍ମଚାରୀମାନେ କେମିତି ଏତେ ନିକଟତର ହେଲେ ଓ ସୁଇମିଂ ପୁଲ୍ ଯାଏ ଗଲେ ତାହା ଏବେ ତଦନ୍ତ ସାପେକ୍ଷ ବୋଲି କୁହାଯାଉଛି । ଏସବୁର ତଦନ୍ତ ହେଲେ ଆହୁରି ଅନେକ ରହସ୍ୟ ଫିଟିବ ।