ପ୍ରଥମେ ଠାକୁର, ତା’ ପରେ ବିଲେଇଙ୍କୁ ଦିଆଯାଏ ପ୍ରସାଦ । ସାଧାରଣତଃ ବିଲେଇକୁ ଅଶୁଭ ବୋଲି ମନେ କରୁଥିବା ବେଳେ ଏଠି ଅଶୁଭ ନୁହେଁ ବରଂ ବିଲେଇକୁ ଶୁଭର ପ୍ରତୀକ ବୋଲି ମାନନ୍ତି । ଭୋଗ ଆଗ ଠାକୁରଙ୍କୁ ଲାଗି ହେବ । ତୁଳସୀ ପତ୍ର ପଡ଼ିବ । ବିଲେଇଙ୍କୁ ଆଗ ସେ ପ୍ରସାଦ ଦିଆହେବ, ତା' ପରେ ଅନ୍ୟମାନେ ପ୍ରସାଦ ପାଇବେ । ବିଲେଇଙ୍କ ଖାଇବା ପାଇଁ ରହିଛି ଏକର, ଏକର ସମ୍ପତ୍ତି । ମଠରେ ଦେବାଦେବୀଙ୍କ ପରେ ଅଗ୍ରାଧିକାର ପାଆନ୍ତି ବିଲେଇ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍ ଅଧୀନ ନିକିରାଇ ପଞ୍ଚାୟତ ମଠସାହିର ମଦନମୋହନ ମଠରେ ବିଲେଇଙ୍କୁ ମଠର ମହନ୍ତ ଏବଂ ମଠର ଆଶ୍ରିତ ଶୁଭ ବୋଲି ମାନନ୍ତି । ଏମିତିକି ଉକ୍ତ ମଠକୁ ‘ବିଲେଇଖିଆ ମଠ’ ବୋଲି ମଧ୍ୟ କହନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରୁ ୧୨ କିଲୋମିଟର ଦୂରରେ ରହିଛି ଏହି ମଠ । ନିକିରାଇ କଲେଜ ଛକଠାରୁ ୨ କିଲୋମିଟର ଦକ୍ଷିଣ ଦିଗକୁ ଗଲେ ପଡ଼ିବ ମଠସାହି । ଏହି ସାହିରେ ରହିଛି ମଦନ ମୋହନଜିଉଙ୍କ ମନ୍ଦିର । ମଠରେ ଥିବା ଦେବତାଙ୍କୁ ପ୍ରଥମେ ଭୋଗ ଲାଗି ବା ଦେବନୀତି ପୂଜା କରାଯାଏ । ମନ୍ଦିରରେ ମଦନମୋହନଙ୍କ ମୁଗୁନି ପ୍ରସ୍ତର ମୂର୍ତ୍ତି ପୂଜା ପାଉଥିବା ବେଳେ ଶ୍ରୀଚୈତନ୍ୟ ମହାପ୍ରଭୁ, ରାଧାରାଣୀ, ଗୋପୀନାଥଜିଉଙ୍କ ସମେତ ଅନ୍ୟୂନ ୧୦ରୁ ଊଦ୍ଧ୍ୱର୍ ମୂର୍ତ୍ତି ପୂଜା ପାଇଥାନ୍ତି ।
ଏକଦା ଏଠାରେ ୩୦୦ରୁ ୫୦୦ ବିଲେଇ ରହୁଥିବା ବେଳେ କାଳକ୍ରମେ ସେମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏବେ ପ୍ରାୟ ୨୦ରୁ ୩୦ଟି ବିଲେଇ ରହୁଛନ୍ତି । ଏଠି ମଠରେ ବିଲେଇଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଭୋଗ ବଢ଼ାଯାଏ । ଯେଉଁଠି ଥିଲେ ବି ଏମାନଙ୍କୁ ଖୋଜା ପଡ଼ିଥାଏ । କାରଣ ମଠରେ ଥିବା ଦେବତାଙ୍କ ପରେ ଏମାନଙ୍କୁ ପ୍ରଥମେ ଖାଦ୍ୟ ପରିବେଷଣ କରାଯାଏ । ଖାଇବାରେ ସେମାନଙ୍କ ପାଇଁ ରହିଥାଏ ଭୋଗ ଲାଗି ହୋଇଥିବା ଅନ୍ନ ଓ କ୍ଷୀର । ବିଲେଇଙ୍କ ପାଇଁ ଉଭୟ ଦିନ ଓ ରାତିରେ ଦୁଇ ଓଳି ଏଭଳି ଖାଦ୍ୟର ଆୟୋଜନ କରିଥାନ୍ତି ମଠାଧୀଶ । ମଦନମୋହନଜିଉ ମନ୍ଦିରର ବାର୍ଷିକ କାର୍ଯ୍ୟକ୍ରମରେ ବିଲେଇମାନେ ଭାଗ ନେଇଥାନ୍ତି । ମଦନ ମୋହନଜିଉ ଠାକୁରଙ୍କ ନୀତିକାନ୍ତି ଯଥାରୀତି ପାଳନ ହେଉଥିବା ବେଳେ ପ୍ରତ୍ୟହ ଏଠାରେ ନିଯୋଗୀ ସେବକ ତଥା ଜନସାଧାରଣଙ୍କ ଦ୍ୱାରା କୀର୍ତ୍ତନ କରାଯାଏ । ମନ୍ଦିର ତଥା ମଠର ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ଓ ରୀତିନୀତି ପାଇଁ ୧୬୦ ଏକର ଜମି ରହିଥିବା କହିଛନ୍ତି ମଠ ମହାରାଜ । ବଡ଼ କଥା ହେଉଛି ଏଠାରେ ପିଢ଼ି ପରେ ପିଢ଼ି ରହି ଆସୁଥିବା ବିଲେଇମାନଙ୍କ ପାଇଁ ଖଞ୍ଜା ହୋଇଛି ୫ ଏକର ଜମି ।
ଲୋକକଥା ଅନୁଯାୟୀ ତଥା ମଠାଧୀଶ ଅଭୟ ଦାସଙ୍କ ସୂଚନାନୁସାରେ, ପ୍ରାୟ ୫୦୦ ବର୍ଷ ତଳର ଏହି ମନ୍ଦିରକୁ ଆଳି ରାଜା କେବଳ ବିଲେଇମାନଙ୍କ ଖାଦ୍ୟ ଓ ପୋଷଣ ପାଇଁ ୫ ଏକର ଜମି ଦାନ କରିଥିଲେ । ଆଳି ରାଜା ବ୍ରଜସୁନ୍ଦର ଦେବ ଏହି ପଥ ଦେଇ ରାଜନଗରକୁ ଯାଉଥିବା ବେଳେ ତାଙ୍କୁ କାନ୍ଧରେ ବୋହି ଆଣୁଥିବା ଭାରୁଆମାନଙ୍କର ପାଦ ଫୁଲିବାରୁ ମଠଠାରୁ କିଛି ଦୂରରେ ସେମାନେ ବିଶ୍ରାମ ନେଇଥିଲେ । ରାଜା ବ୍ରଜସୁନ୍ଦର ଦେବ ନିକଟରେ କୌଣସି ମଠ କିମ୍ବା ମନ୍ଦିରରେ ବିଶ୍ରାମ ନେବା ପାଇଁ ଚାହିଁବାରୁ ଭାରୁଆ ସମୂହ ଉକ୍ତ ମଦନମୋହନ ମନ୍ଦିର ତଥା ମଠର ମହନ୍ତ ବ୍ରଜମୋହନ ଦାସଙ୍କୁ ରାଜାଙ୍କର ବିଶ୍ରାମ ସମ୍ବନ୍ଧରେ ଅବଗତ କରାଇଲେ । ମହନ୍ତ ବ୍ରଜମୋହନ, ଆଳି ରାଜା ବ୍ରଜସୁନ୍ଦର ଦେବଙ୍କୁ ପାଛୋଟି ଆଣିବାକୁ ଯିବା ସମୟରେ ପ୍ରାୟ ୫୦୦ରୁ ଅଧିକ ବିଲେଇ ମହନ୍ତଙ୍କ ସହିତ ରାଜାଙ୍କ ପାଖକୁ ଯାଇଥିଲେ । ରାଜା ଶତାଧିକ ବିଲେଇମାନଙ୍କୁ ମହନ୍ତଙ୍କ ସହିତ ଆସିବା ଓ ମନ୍ଦିରରେ ବିଶ୍ରାମ ନେବା ସମୟରେ ଏହି ବିଲେଇମାନଙ୍କ ପାଇଁ ଏତେ ପରିମାଣରେ ଖାଦ୍ୟ କେଉଁଠୁ ଆସୁଛି ପଚାରିବା ପରେ ମହନ୍ତ ଉତ୍ତରରେ କହିଥିଲେ ଯେ ଏହି ବିଲେଇମାନେ ମଦନମାହନଙ୍କ ପାଖରେ ଲାଗି କରାଯାଉଥିବା ଖାଦ୍ୟକୁ ଖାଇଥାଆନ୍ତି । ରାଜା ଖୁସି ହୋଇ ନିଜ ପାରିଷଦଙ୍କୁ ବିଲେଇମାନଙ୍କ ଖାଦ୍ୟ ପାଇଁ ୫ ଏକର ସମ୍ପତ୍ତି ଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନଠାରୁ ଏହି ମଠର ନାମ ମଦନ ମୋହନଜିଉ ମଠ ବଦଳରେ ବିଲେଇଖିଆ ମଠ ହୋଇଥିବା ସାଧାରଣରେ ଆଲୋଚିତ ହୁଏ ।
ମଠରେ ରହୁଥିବା ଏହି ବିଲେଇମାନଙ୍କୁ ସକାଳୁ ବିସ୍କୁଟ, କ୍ଷୀର ଖାଇବାକୁ ଦିଆଯିବା ପରେ ବିଲେଇମାନେ କେଉଁଆଡ଼େ ଚାଲିଯାଆନ୍ତି । ମଧ୍ୟାହ୍ନରେ ମଦନମୋହନଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ପାଖରେ ନୀତିଭୋଗ ଘଣ୍ଟ ବାଜିବା ପରେ ଯିଏ ଯେଉଁଠାରେ ଥାଆନ୍ତି, ମନ୍ଦିରକୁ ଆସି ଭାତ ଓ କ୍ଷୀର ଖାଇଥାନ୍ତି । ବିଲେଇଙ୍କ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କୁହନ୍ତି, ଏଭଳି ବଡ଼ ମଠ କେଉଁଠାରେ ବି ନାହିଁ । ବହୁତ ପୁରୁଣା ମଠ । ପଥରରେ ଏ ସବୁ ନିର୍ମାଣ କରାଯାଇଛି । ଏ ଗାଁର ଯେଉଁ ସବୁ ବିଲେଇ ଛୁଆ ଦିଅନ୍ତି, ସେମାନେ ରଖି ନପାରିବାରୁ ଛୋଟବେଳୁ ଏଠି ଛାଡ଼ି ଦେଇଯାନ୍ତି । ବିଲେଇଙ୍କ ଖର୍ଚ୍ଚ ପାଇଁ ଅଳ୍ପ କିଛି ଅର୍ଥ ଦେଇଥାନ୍ତି । ବିଲେଇଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଡାକ୍ତର ଆସି ଚିକିତ୍ସା କରିଥାନ୍ତି ବୋଲି କହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀଙ୍କ ସହ ଏନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନାହିଁ ।