ଖଲ୍ଲିକୋଟ,୨୨/୫ : ଚିଲିକାରେ ଭାସୁଥିଲା ଅଜଣା ଯୁବକଙ୍କ ମୃତଦେହ । ମୃତଦେହର ଗୋଡ଼ରେ ବନ୍ଧା ଯାଇଛି ପଥର । ଖଲ୍ଲିକୋଟ ଥାନା ଉପର ଆଲପୁର କଙ୍କେଇ ନିକଟରେ ଭାସୁଥିଲା ମୃତଦେହ। ଆଜି ସକାଳୁ ସ୍ଥାନୀୟ ମତ୍ସ୍ୟଜୀବିମାନେ ମାଛ ମାରିବାକୁ ଡଙ୍ଗାରେ ଯାଉଥିବାବେଳେ ଚିଲିକା ମଝିରେ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଜଣାଇଥିଲେ ।
ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ଡ଼ଙ୍ଗାରେ ଚିଲିକା ମଧ୍ୟକୁ ଯାଇ ମୃତଦେହକୁ ଦେଖିବା ପରେ ଖଲ୍ଲିକୋଟ ଅଗ୍ନିଶମବାହିନୀ ଯାଇ ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତେବେ ମୃତଦେହ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବାରୁ ପରିଚୟ ମିଳିପାରିନି । ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଛାନଭିନ କରୁଛି।
ଖବରପାଇ ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼େଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତଦେହର ଗୋଡ଼, ହାତ ଓ ବେକକୁ ଗୋଟିଏ ଦୌଡ଼ିରେ ପଥର ବାନ୍ଧି ଚିଲିକା ପାଣିରେ ଫିଙ୍ଗିଦିଆଯାଇଥିବାରୁ ପୁଲିସ ହତ୍ୟା ସନ୍ଦେହ କରୁଛି । ଏଭଳି ଘଟଣା ଆମ ଅଞ୍ଚଳରେ ପ୍ରଥମ ବୋଲି ପଥରାର ପୂର୍ବତନ ସରପଞ୍ଚ ବନମାଳୀ ବାଲା କହିଛନ୍ତି। ପୁଲିସ ଏହି ଘଟଣାର ପ୍ରକୃତ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣିବା ଆବଶ୍ୟକ ବୋଲି ସମିତି ସଭ୍ୟ ବିଜୟ କୁମାର ପ୍ରଧାନ କହିଛନ୍ତି।