ବ୍ରହ୍ମପୁର,୦୭/୦୪: ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ର ଅଲୋଡ଼ା ରେକର୍ଡ । ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ର୍ୟାଗିଂ ହଟ୍ସ୍ପଟ୍ ତାଲିକାରେ ଦେଶରେ ୧ ନମ୍ବରରେ ରହିଛି । ୟୁଜିସି ହେଲ୍ପ ଲାଇନ୍କୁ ଆସିଥିବା ଅଭିଯୋଗକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।
ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ଏବେ ରାଗିଂ ବଢ଼ୁଥିବା ରିପୋର୍ଟ ଦାଖଲ କରିଛି ଶିକ୍ଷା ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟି । ରାଗିଂକୁ ନେଇ କମିଟି ଉଦ୍ବେଗ ପ୍ରକାଶ କରିଛି । ଏଥିରେ ସୁଧାର ଆଣିବା ଦିଗରେ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କଂଗ୍ରେସ ରାଜ୍ୟସଭା ସଦସ୍ୟ ଦିଗ୍ବିଜୟ ସିଂହ ନିକଟରେ ଦେଶରେ ହୋଇଥିବା ରାଗିଂକୁ ନେଇ ଏକ ରିପୋର୍ଟ ଦାଖଲ କରିଛନ୍ତି ।
ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ ବିଶ୍ୱବିଦ୍ୟାଳୟମାନଙ୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟ ହଟ୍ସ୍ପଟ୍ ତାଲିକାରେ ରହିଛି । ଏଠାରୁ ୩୧ଟି ରାଗିଂ ଅଭିଯୋଗ ହୋଇଛି । ୨୦୧୬ରେ ଦେଶରେ ୫୧୫ଟି ର୍ୟାଗିଂ ଅଭିଯୋଗ ହୋଇଥିଲା । ୨୦୨୪ରେ ତାହା ଦ୍ୱିଗୁଣିତ ହୋଇ ୧୦୮୪ରେ ପହଞ୍ଚିଛି । ଉଚ୍ଚଶିକ୍ଷା ଅନୁଷ୍ଠାନରେ ରାଗିଂ ବୃଦ୍ଧି ଘଟଣା ଚିନ୍ତାର କାରଣ ବୋଲି ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଦର୍ଶାଇଛି । ଏହି ରିପୋର୍ଟ ଅନୁସାରେ, ପ୍ରତିଦିନ ଦେଶରେ ୩ଟି ରାଗିଂ ଅଭିଯୋଗ ହେଉଛି ।
ଦେଶରେ ମେଡିକାଲ କଲେଜମାନଙ୍କରେ ସୋସାଇଟି ଏଗେନ୍ଷ୍ଟ ଭାୟୋଲେନ୍ସ ଇନ୍ ଏଜୁକେସନ୍ (ସେଭ୍) ର ସର୍ଭେ ରିପୋର୍ଟ ଅନୁସାରେ ରାଗିଂରେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଛତିଶଗଡ଼ ଓ ତାମିଲନାଡ଼ୁ ଆଗରେ ରହିଛି । ସେଭ୍ ରିପୋର୍ଟ ଅନୁସାରେ, ଓଡ଼ିଶାର ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ୨୦୨୨-୨୪ ମଧ୍ୟରେ ରାଗିଂ ହଟ୍ସ୍ପଟ୍ ତାଲିକାରେ ଆଗରେ ରହିଛି । ଏହି ଅବଧି ମଧ୍ୟରେ ଏମ୍କେସିଜିରେ ୨୫ଟି ରାଗିଂ ଅଭିଯୋଗ ହୋଇଛି । ୨୦୨୪ ରିପୋର୍ଟ ଅନୁସାରେ ଏମ୍କେସିଜିରେ ୯ଟି ଅଭିଯୋଗ ହୋଇଥିବା ବେଳେ ଗତବର୍ଷ ବି ଦେଶରେ ୨ ନମ୍ବରରେ ରହିଛି ।