ଭୁବନେଶ୍ବର,୦୭/୦୪: ସକାଳ ହେଉ କି ସଞ୍ଜ । ଗରମ ଗରମ ବରା ସହ ଟିକେ ଘୁଗୁନି ନଚେତ୍ ରାଗ ଚଟପଟା ଚଟଣୀ ଟିକେ ମିଳିଗଲେ ଏକଦମ୍ ଜମିଯାଏ । ଆହାଃ କି ସ୍ବାଦ... ଆପେ ଆପେ ମନ କହିଦିଏ । କୁ଼ଡୁକୁଡ଼ିଆ, ମୁସୁମୁସିଆ । ପାାଟିକୁ ଭାରି ସୁଆଦିଆ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଙ୍କ ପ୍ରିୟ ‘ବରା’ । ଯାହା ଢେଙ୍କାନାଳକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଢେଙ୍କାନାଳ ସହ ବରାର ସମ୍ବନ୍ଧ ଅତୁଟ, ଐତିହାସିକ । ରସଗୋଲା ଦିବସ,ଦହିବରା ଦିବସ,ପଖାଳ ଦିବସ ପାଳନ ଭିତରେ ବରା ଦିବସ ପାଳନ ଆରମ୍ଭ ହୋଇଛି । ୨୦୨୩ ମସିହାରୁ ଏପ୍ରିଲ୍ ୭ ତାରିଖକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ବରା ଦିବସ ରୂପରେ ପାଳନ କରାଯାଇଆସୁଛି । ଏହି ଦିନ ଢେଙ୍କାନାଳବାସୀ ଏକାଠି ହୋଇ ବରା ସମ୍ପର୍କରେ ସ୍ମୃତି, ଅନୁଭୂତି, କଥା, କବିତା ବାଣ୍ଟିବା ସହ ବରା ଖାଇ ଏହି ଦିବସ ପାଳନ କରୁଛନ୍ତି ।
ଓଡ଼ିଶା ସମେତ ବାହାରେ ବି ଭିନ୍ନଭିନ୍ନ ପ୍ରକାରର ବରା ମିଳେ । ତେବେ ଢେଙ୍କାନାଳ ବରା ଅନ୍ୟ ବରାଠାରୁ ସ୍ୱତନ୍ତ୍ର ଓ ଭିନ୍ନ । ଅନ୍ୟ ଆଡ଼େ ବିରି ଅଂଶ କମ୍ ରହି ସୁଜି ଅଧିକ ଦିଆଯାଇ ବରା ପ୍ରସ୍ତୁତ ହୁଏ । କିନ୍ତୁ ଢେଙ୍କାନାଳ ବରାରେ ଆଦୌ ସୁଜିର ବ୍ୟବହାର ହୁଏ ନାହିଁ । କଳା ବିରି ଓ ଅରୁଆ ଚାଉଳ ହିଁ ଏହାର ମୁଖ୍ୟ ଉପାଦାନ । ୬୦ ଅନୁପାତ ୪୦ରେ ବିରି ଚାଉଳ ବଟା ଯାଏ । କିଛି ସମୟ ବିରି ଫୁଲିବା ପରେ ସେଥିରେ ଅଦା, ଆମ୍ବକସିଆ ଅଦା,କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଧନିଆ ପତ୍ର, ଗୋଟା ଜିରା ଓ ପିଆଜ ପକାଯାଇ ବରା ଛଣା ଯାଏ । ଚାଉଳ ପଡ଼ିଥିବା ଏହି ବରାର ଉପର ଅଂଶ କଡ଼କଡ଼ିଆ ମୁସମୁସିଆ ହୋଇଥିବା ସମୟରେ ଭିତର ନରମ ହୋଇଥାଏ ଯାହା ଖାଇବାକୁ ବେଶ୍ ସୁଆଦିଆ ଲାଗେ । ସେହିପରି ଅନ୍ୟଠି ବରା ଗୋଲ୍ ଆକୃତିର ହୋଇଥିବା ବେଳେ ଢେଙ୍କାନାଳ ବରା ଚେପ୍ଟା ।
ସ୍ୱାଦ ବଢ଼ାଏ ବ୍ରାହ୍ମଣୀ ପଠାର ବିରି ଢେଙ୍କାନାଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ । ନଦୀ ପଠାରେ ବିରି ଚାଷ ହୋଇଥାଏ । ବରା ବ୍ୟବସାୟୀମାନେ ଏହି କଳା ବିରି ସଂଗ୍ରହ କରିଥାନ୍ତି । ଏହି ବିରି ହିଁ ଢେଙ୍କାନାଳ ବରାର ବିଶେଷତ୍ୱ । ବିରିକୁ ଚୁରା ଯାଇ ପାଣିରେ ଭିଜାଯାଏ । ଏହାପରେ ବିରିକୁ ଶିଳରେ ବଟାଯାଏ । ଧୁଆଯିବା ପରେ ମଧ୍ୟ ସଂପୂର୍ଣ୍ଣ ଚୋପା ଛାଡି ନଥିବାରୁ ବରା ଉପରେ କଳାକଳା ବିରି ଚୋପା ଦେଖିବାକୁ ମିଳେ । ବିରି ଅମଳ ସମୟରୁ ହିଁ ବରା ଦୋକାନୀମାନେ ବର୍ଷକ ପାଇଁ ବିରି ସଂଗ୍ରହ କରି ରଖିଥାନ୍ତି । ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହେଉଥିବା ଏହି ବରା ଜି ଆଇ ଟ୍ୟାଗ୍ ପାଇବାର ଯୋଗ୍ୟତା ରଖୁଥିବା ଦାବି କରନ୍ତି ଢେଙ୍କାନାଳବାସୀ । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ବରା ଦିବସ ପାଳନ କରିବାକୁ ପ୍ରସ୍ତୁତି ହୋଇଛି ।
ଦେଢ ଶହ ବର୍ଷର ଇତିହାସ-
ସଂସ୍କୃତି ଆଲୋଚକ ପ୍ରଦ୍ୟୁମ୍ନ ରଥଙ୍କ ମତରେ ଦେଢ଼ଶହ ବର୍ଷ ଧରି ରାଜା ଭଗିରଥ ମହେନ୍ଦ୍ର ବାହାଦୂରଙ୍କ ଶାସନ ସମୟରୁ ଢେଙ୍କାନାଳରେ ଏହି ବରା ପ୍ରସ୍ତୁତ ହୋଇଆସୁଛି । ସେ ସମୟରେ ବିରି ଓ ଚାଉଳରେ ଗୁଡ ମିଶାଯାଇ ପୁଳି, ଦୁଦୁର ପିଠା ତିଆରି ହୋଇ ଭୋଗ ଲଗାଯାଉଥିଲା । ସମ୍ଭବତଃ ସେଥିରୁ ବରାର ପରିକଳ୍ପନା ହୋଇଥାଇପାରେ । ରାଜା,ମହାରାଜାଙ୍କ ପାଇଁ ରାଜନଅରରେ ସୁଆରମାନେ ଏହା ପ୍ରସ୍ତୁତ କରୁଥିଲେ । ପରେ ପରିଚ୍ଛା ସାହୁ, କୁଞ୍ଚ ସାହୁ, ସତ୍ୟବାଦୀ ସାହୁ ପ୍ରମୁଖ ସହରରେ ବରା ବିକ୍ରି ଆରମ୍ଭ କଲେ । ୪ ପିଢି ହେଲା ବରା ତିଆରି ହୋଇଆସୁଥିବା କାରିଗରମାନେ କୁହନ୍ତି । ପୁରୁଖା ବରା କାରିଗର ସିଦ୍ଧେଶ୍ୱର ସାହୁ କୁହନ୍ତି, ତାଙ୍କ ଜେଜେବାପା ସତ୍ୟବାଦୀ ସାହୁ ବରା ତିଆରି କରୁଥିଲେ । ପରେ ତାଙ୍କ ବାପା ଭାଗବତ ସାହୁଙ୍କ ପରେ ଏବେ ସେ ଓ ତାଙ୍କ ଭାଇ ବରା କରିଆସୁଛନ୍ତି । ସେହିଭଳି କୁଞ୍ଜ ସାହୁଙ୍କ ପୁଅ ଗୋବିନ୍ଦ ସାହୁ, ନାତି ପ୍ରସନ୍ନ ସାହୁଙ୍କ ପରେ ଅଣନାତି ପ୍ରସିତ୍ ସାହୁ ସମାନ ଗୁଣବତ୍ତାର ବରା ପ୍ରସ୍ତୁତ କରୁଛନ୍ତି । ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶା ଆସିଲେ ସେମାନଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ବରା ଢେଙ୍କାନାଳରୁ ପ୍ରସ୍ତୁତ ହୋଇ ଯାଇଥାଏ ବୋଲି ସେଠାକାର କିଛି ବ୍ୟକ୍ତି କୁହନ୍ତି ।