ଭୁବନେଶ୍ୱର, ୧୫।୫: ଛାତି ଧଡ଼ପଡ଼ । ମନରେ ଛନକା । ପ୍ରଚାର ଦମ୍ଦାର ହେଉଛି, କିନ୍ତୁ ଭରସା ପାଉନି । ଭୋଟରଙ୍କ ପସନ୍ଦ କିଏ? ଶଙ୍ଖ, ପଦ୍ମ ନା ହାତ । ଦଳୀୟ ପ୍ରାର୍ଥୀଙ୍କୁ ବାଛିବେ ନା ସ୍ୱାଧୀନଙ୍କୁ ଭରସିବେ ଭୋଟର ? ଏ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ପ୍ରାର୍ଥୀ । ନିରାଶ ହେବାକୁ ପଡ଼ୁଛି । ନିରବମୁଦ୍ରାରେ ଭୋଟର । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ଇଭିଏମରେ ସିଲ୍ ହୋଇଛି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ । ଆହୁରି ୩ ଦଫାରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ରାଜନୈତିକ ଦଳର ପ୍ରାର୍ଥୀମାନେ କିନ୍ତୁ ଭୋଟରଙ୍କ ମୁଡ୍ ପରଖି ପାରୁନାହାନ୍ତି । ଭୋଟର ଚୁପଚାପ୍ । ବୁଥ୍କୁ ଯିବା ଯାଏ ଭୋଟରଙ୍କ ମନର କଥା ଜାଣିବାରେ ପ୍ରାର୍ଥୀ ଫେଲ୍ ମାରୁଛନ୍ତି । ଶଙ୍କା ଓ ଆଶଙ୍କାରେ କଟୁଛି ଦିନ । ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ମିଳିବ ନା ନାହିଁ? ଏ ଅଙ୍କ କଷିପାରୁ ନାହାନ୍ତି । କଳେ, ବଳେ କୌଶଳେ ଭୋଟରଙ୍କ ମନଜିଣି ଦଳ ଓଡ଼ିଶା ଦଖଲ କରିବ । ଶାସନ ଗାଦିରେ ବସିବ । ଏମିତି ସଂକଳ୍ପ ନେଇଛି ବିଜେପି ।
ରାଜ୍ୟରେ ୨୫ ବର୍ଷର ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିବାକୁ ହାଇକମାଣ୍ଡ ତ୍ରିପୁରା ଓ ଆସାମ ଫର୍ମୁଲା ଆପଣାଇବାକୁ ସ୍ଥିର କରିଛନ୍ତି । ଏଥିପାଇଁ ଦଳ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱସର୍ମା, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ବିପ୍ଳବ କୁମାର ଦେବଙ୍କୁ ମଡେଲ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟଭିକ୍ଷା କରିବାକୁ ଦୁଇଥର ଓଡ଼ିଶା ଆସିଲେଣି । ବିଜେଡି ସରକାର ଓ ନବୀନଙ୍କୁ କାଠଗଡ଼ାରେ ଛିଡ଼ା କରାଇ କୈଫିୟତ୍ ତଲବ କଲେଣି । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ମୋଦି ଦମ୍ଭର ସହ କହୁଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି ହିମନ୍ତ ବିଶ୍ୱଶର୍ମାଙ୍କ ଯାଏ ଷ୍ଟାର କ୍ୟାମ୍ପେନର ବିଜେପି ପାଇଁ ଭୋଟଭିକ୍ଷା କରିଛନ୍ତି । ବିଜେପିର ଏ ହେଭିୱେଟ୍ ନେତାମାନେ ବିଜେଡି ବିରୋଧରେ ‘ଚକ୍ରବ୍ୟୁହ’ ରଚନା କରିବାକୁ ପୁଣି ମଧ୍ୟ ଓଡ଼ିଶାକୁ ଆସିବେ । ଦଳ ପକ୍ଷରୁ ମନକୁ ଛୁଇଁଲା ଭଳି ‘ଇସ୍ତାହାର’ ମଧ୍ୟ ଉନ୍ମୋଚିତ ହୋଇଛି । ବିଜେପି କେନ୍ଦ୍ରୀୟ ନେତା ଘମାଘୋଟ ପ୍ରଚାରକୁ ଓହ୍ଲାଇଥିଲେ ମଧ୍ୟ ବହୁ ପ୍ରାର୍ଥୀଙ୍କ ମନ ବୁଝୁନି । ଭୟ ଛାଡ଼ୁନି । ଭୋଟର କେଉଁପଟକୁ ଢ଼ଳିବେ ଜାଣି ହେଉନି । ପଦ୍ମ ଟିକଟରୁ ବାଦ୍ ପଡ଼ିଥବା ଆଶାୟୀମାନେ କିଛି ସ୍ଥାନରେ ‘ନେପଥ୍ୟ ଖଳନାୟକ’ ସାଜିବେ କି? ଏ ଭୟ ମଧ୍ୟ ଘାରିଛି ।
୨୦୧୯ ଭଳି ଏଥର ଭୋଟର ‘ସ୍ପ୍ଳିଟି ଭୋଟିଂ’ କରିପାରନ୍ତି । ଏମିତି ଚିନ୍ତାରେ ମନ ଗୋଳେଇ ଘାଣ୍ଟି ହେଉଛି । ବିଜେଡିରେ ମଧ୍ୟ ସମାନ ଅବସ୍ଥା । ଦଳ ପାଇଁ ତଗଡ଼ା ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିଆନ । ବିଜେପିକୁ ପାଲଟା ଆକ୍ରମଣ କରି ନବୀନ କହିଛନ୍ତି, ବିଜେପି ମିଛୁଆ । ରାଜ୍ୟବାସୀ ବିଜେପିକୁ ବିଶ୍ୱାସ କରନ୍ତୁ ନାହିଁ । ଏବେ ଭୋଟ ଆସିଛି ବୋଲି ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ବିଜେଡିକୁ ଆଶୀର୍ବାଦ କରନ୍ତୁ । କାର୍ତ୍ତିକ ମଧ୍ୟ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ପୁଣି ଶାସନକୁ ଆସିବ । ନବୀନ ଷଷ୍ଠ ପାଳି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ରେକର୍ଡ ପ୍ରତିଷ୍ଠା କରିବେ । ବିଜେଡି ନିଜ ପ୍ରଚାର ଅଭିଯାନକୁ ଶାଣିତ ଓ ତେଜୀୟାନ୍ କରିଛି । ମାତ୍ର ବହୁ ସ୍ଥାନରେ ପ୍ରାର୍ଥୀମାନେ କିନ୍ତୁ ଦ୍ୱନ୍ଦ୍ୱରେ । ଭୋଟରଙ୍କ ପ୍ରତିକ୍ରିୟାକୁ ଅନୁମାନ ଲଗାଇବାରେ ସକ୍ଷମ ହେଉନାହାନ୍ତି ପ୍ରାର୍ଥୀ । ଦଳର ‘ବିଭୀଷଣ’ମାନେ କିଛି ଆସନରେ ଭୋଟ ଅଙ୍କକୁ ଓଲଟପାଲଟ କରିପାରନ୍ତି । ମନରେ ଏ ଭୟ ସବାର ହୋଇଛି । ସ୍ପ୍ଳିଟ ଭୋଟିଂ ସହ ବିଦ୍ରୋହୀମାନେ ଖେଳ କରିପାରନ୍ତି । ଏଭଳି ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ।
ପ୍ରଥମ ଦଫାରେ ଆଜି ୪ ଲୋକସଭା ଓ ୨୮ ବିଧାନସଭାର ମତଦାନ ସରିବା ପରେ ଏ ଆସନର ଦଳୀୟ ପ୍ରାର୍ଥୀମାନେ ନିଜ ସପକ୍ଷରେ କେତେ ଭୋଟ ପଡ଼ିଥିବ ତା’ର ହିସାବରେ ଲାଗିଛନ୍ତି । ଆଗକୁ ଯେଉଁଠି ଭୋଟ ହେବ ସେଠି ମଧ୍ୟ ପ୍ରାର୍ଥୀମାନେ ହିସାବ ନିକାସରେ ଲାଗିଛନ୍ତି । କଂଗ୍ରେସ ଏଥର କମାଲ କରିବ ବୋଲି ଆଶା କରୁଛି । ଦଳ ପାଇଁ ରାହୁଲ ଗାନ୍ଧି ଆସି ଭୋଟଭିକ୍ଷା କରିଛନ୍ତି । ବିଜେଡି-ବିଜେପିକୁ କଡ଼ା ସମାଲୋଚନା କରି ଉଭୟଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ଅଛି ବୋଲି ରାହୁଲ ହମଲା କରିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଗକୁ ସେ ପୁଣି ରାଜ୍ୟକୁ ଭୋଟ ମାଗିବାକୁ ଆସିବେ । ପ୍ରିୟଙ୍କା ଓ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ପ୍ରଚାରକୁ ଆସିବେ । ପାଣ୍ଠିର ଅଭାବ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇ ଠିଆ ହୋଇଛି । କିନ୍ତୁ ଭୋଟରମାନେ କେତେ ପରିମାଣରେ ‘ହାତ’କୁ ସମର୍ଥନ କରିବେ ତାହା ଦଳ ଅନୁମାନ ଲଗାଇ ପାରୁନି ।