ଭୁବନେଶ୍ୱର,୦୮/୦୯: ମହଙ୍ଗା ପଡିଲା ଧମକଚମକ ଦେଇ ଗଣେଶ ପୂଜା ଖର୍ଚ୍ଚ ଆଦାୟ। ନୂଆପଡ଼ା ଏମ୍ଭିଆଇଙ୍କ ଗାଡ଼ି ଭିତରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏନେଇ ନୂଆପଡ଼ା ମୋଟର ଯାନ ନିରୀକ୍ଷକ (ଏମ୍ଭିଆଇ) ବିଜୟ କୁମାର ବେହୁରିଆ ଗିରଫ କଲା ଭିଜିଲାନ୍ସ। ରବିବାର ଶ୍ରୀ ବେହୁରିଆଙ୍କୁରି କୋର୍ଟ ଚାଲାଣ କରାଯିବ ବୋଲି ଏସ୍ପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।
ଗଣେଶ ପୂଜା ପାଇଁ କିଛି ଦିନ ହେବ ବିଭିନ୍ନ ପର୍ଯ୍ୟାୟରେ ଧମକ ଚମକ ଦେଇ ଏମ୍ଭିଆଇ ବିଜୟ ଟଙ୍କା ଆଦାୟ କରୁଥିଲେ । ୩ ଦିନ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଥିଲେ । ଉକ୍ତ ଟଙ୍କାରୁ କିଛି ସପିଂ କରିଥିଲେ । ବାକି ୧.୩୨ ହଜାର ଟଙ୍କା ଧରି ଗାଡି ଭଡ଼ା କରି ଭୁବନେଶ୍ୱରରେ ରହୁଥିବା ପରିବାର ଲୋକଙ୍କ ପାଖକୁ ଆସୁଥିଲେ । ଟଙ୍କା ଆଦାୟ କରୁଥିବା ବିଷୟରେ ଭିଜିଲାନ୍ସ ଖବର ପାଇଥିଲ । ଅତି ଚତୁରତାର ସହ ଟଙ୍କା ମାଗୁଥିବାରୁ ତାଙ୍କୁ ଧରିବାରେ ସମସ୍ୟା ହେଉଥିଲା । ଟଙ୍କା ନେଇ ଆସିବା ଖବର ମିଳିବା ପରେ ତାଙ୍କୁ ଧରିବାକୁ ପ୍ରସ୍ତୁତ ହୋଇଥିଲା ଭିଜିଲାନ୍ସ । ଖୋର୍ଦ୍ଧାର ହସ୍ପିଟାଲ ଛକରେ ଛକି ରହିଥିଲା ଭିଜିଲାନ୍ସର ଏକ ଟିମ୍ । ତାଙ୍କ ଗାଡି ପହଞ୍ଚିବା ସମୟରେ ଅଟକାଇ ଥିଲା ଭିଜିଲାନ୍ସ ଟିମ୍ ।ଗାଡ଼ି ଯାଞ୍ଚ ବେଳେ ସେଥିରୁ ନଗଦ ୧ ଲକ୍ଷ ୩୨ ହଜାର ଟଙ୍କା ମିଳିଥିଲା । ସେ ଏହି ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିଥିଲେ । ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଏମ୍ଭିଆଇ ବିଜୟ । ଏହା ପରେ ଉକ୍ତ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏଥି ସହ ବିଜୟଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସନ୍ତୋଷ ଜନକ ଉତ୍ତର ନ ମିିଳିବାରୁ ଶ୍ରୀ ବେହୁରିଆଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ କୋର୍ଟ ଚାଲଣ କରିଥିବା ଜଣାପଡିଛି।