ୱାଶିଂଟନ୍,୧୯/୦୪: ରୁଷ୍-ୟୁକ୍ରେନ୍ ମଧ୍ୟରେ ଶାନ୍ତି ବୁଝାମଣା ପାଇଁ ମଧ୍ୟସ୍ଥି ହୋଇଥିବା ଆମେରିକା ଏବେ ଏଥିରୁ ଓହରିଯିବାକୁ ଚେତାବନୀ ଦେଇଛି । ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଯଦି ଆଗାମୀ ଦିନରେ ରୁଷ୍ ଏବଂ ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଲାଗି କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି ତେବେ ଆମେରିକା ଶାନ୍ତି ପାଇଁ କରୁଥିବା ଉଦ୍ୟମରୁ ବାହାରିଯିବ ।
ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳକୁ ପ୍ରାୟ ୯୦ ଦିନ ହେଲାଣି । ଏହି ସମୟ ମଧ୍ୟରେ ଆମେରିକା ଏବଂ ରୁଷ୍ ମଧ୍ୟରେ ଏକାଧିକ ଥର ୟୁକ୍ରେନ୍ ଯୁଦ୍ଧର ସମାଧାନ ଲାଗି ଆଲୋଚନା ହୋଇଛି । କିନ୍ତୁ ଟ୍ରମ୍ପ୍ ପ୍ରଶାସନ ଶାନ୍ତି ସ୍ଥାପନ ଉଦ୍ୟମରେ ସଫଳ ହୋଇପାରିନାହିଁ । ସେହିପରି ରୁଷ୍ ଏବଂ ୟୁକ୍ରେନ୍ ନିଜ ନିଜ ଜିଦ୍ରେ ଅଟଳ ଥିବାରୁ ଟ୍ରମ୍ପ୍ ଅସନ୍ତୁଷ୍ଟ ଅଛନ୍ତି ।
ଆମେରିକା ବିଦେଶ ମନ୍ତ୍ରୀ ରୁବିଓ ଏବଂ ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟ୍କଫ୍ ଗୁରୁବାର ପ୍ୟାରିସ୍ରେ ୟୁରୋପୀୟ ଏବଂ ୟୁକ୍ରେନ୍ ନେତାଙ୍କୁ ସାକ୍ଷାତ କରିଥିଲେ । ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଲାଗି ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଉଦ୍ୟମ ସ୍ୱରୂପ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଆଉ ଏକ ଶାନ୍ତି ଯୋଜନା ହୋଇଥିବା ରୁବିଓ କହିଛନ୍ତି । ତେବେ ଏହି ଯୋଜନାରେ କ’ଣ ରହିଛି ତାହା ସାର୍ବଜନିନ କରାଯାଇନାହିଁ।
ରୁବିଓ କହିଛନ୍ତି, ଆମେରିକା ଏହି ଉଦ୍ୟମକୁ ମାସ ମାସ ଧରି ଜାରି ରଖିପାରିବନି । ତେଣୁ ଏ ନେଇ ବହୁତ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ । ଟ୍ରମ୍ପ୍ ଶାନ୍ତି ପାଇଁ ବହୁ ଉଦ୍ୟମ କରିଛନ୍ତି । ଏଥିପାଇଁ ସେ ତାଙ୍କର ସମୟ ଏବଂ ବଳ ଖଟାଇଛନ୍ତି । ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଯାହା ଉପରେ ଧ୍ୟାନ ଦିଆଯିବା ବି ଜରୁରି । ଏମିତି ଚାଲିଲେ ରାଷ୍ଟ୍ରପତି ବହୁତ ହେଇଗଲା ବୋଲି କହି ଏଥିରୁ ଓହରି ଯାଇପାରନ୍ତି ବୋଲି ରୁବିଓ ଚେତାଇଛନ୍ତି ।
ଅନ୍ୟପକ୍ଷରେ ଆମେରିକା ଏବଂ ୟୁକ୍ରେନ୍ ମଧ୍ୟରେ ଖୁବ୍ଶୀଘ୍ର ଖଣିଜ ଚୁକ୍ତି ହୋଇପାରେ । ଗୁରୁବାର ୟୁକ୍ରେନ୍ ଅର୍ଥମନ୍ତ୍ରୀ ୟୁଲିଆ ସ୍ୱିରିଡେଙ୍କୋ କହିଛନ୍ତି, କିଏଭ୍ ଏବଂ ୱାଶିଂଟନ୍ ମଧ୍ୟରେ ଏହି ଡିଲ୍ ପାଇଁ ଏକ ରାଜିନାମା ସ୍ୱାକ୍ଷର ହୋଇଛି । ୟୁକ୍ରେନ୍କୁ ଯୁଦ୍ଧରେ ସହାୟତା ପାଇଁ ଆମେରିକା ୩୫୦ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଦେଇଛି । ଏହା ବଦଳରେ ୟୁକ୍ରେନ୍ ଏହାର ମୂଲ୍ୟବାନ ଖଣିଜ ଦେଉ ବୋଲି ଟ୍ରମ୍ପ୍ ପ୍ରଶାସନ ଚାହୁଁଛି ।