ନୂଆଦିଲ୍ଲୀ,୧୯/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ଟାରିଫ୍ ଯୁଦ୍ଧ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ବଡ଼ ଧରଣର ବାଧା ସୃଷ୍ଟି କରିଛି । ଏହାସତ୍ତ୍ୱେ ବିଶ୍ୱ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ସମ୍ଭାବନା ନାହିଁ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏହା ପ୍ରକାଶ କରିଛନ୍ତି ।
ଜର୍ଜିଭା ଆହୁରି କହିଛନ୍ତି ଯେ, ସମ୍ପ୍ରତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବାଧାଗୁଡ଼ିକ ଅର୍ଥବ୍ୟବସ୍ଥାକୁ ମହଙ୍ଗା ପଡ଼ିବ । ଆସନ୍ତା ସପ୍ତାହରେ ଆଇଏମ୍ଏଫ୍ ଏବଂ ବିଶ୍ୱ ବ୍ୟାଙ୍କ୍ର ସ୍ପ୍ରିଙ୍ଗ୍ ମିଟିଂ ଥିବାବେଳେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି ଯେ, ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ହ୍ରାସ ଦେଖାଦେବ କିନ୍ତୁ ଏହା ସେତେମାତ୍ରାରେ ଖସିବ ନାହିଁ ।
ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁ ସମଗ୍ର ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ ଜର୍ଜିଭା କହିଛନ୍ତି ଯେ, ବାଣିଜ୍ୟିକ ବାଧକଗୁଡ଼ିକ ସର୍ବଦା ଅର୍ଥବ୍ୟବସ୍ଥାଗୁଡ଼ିକ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ଆମେ ଏଭଳି ଏକ ବିଶ୍ୱରେ ରହିଛୁ, ଯେଉଁଠି ଅର୍ଥନୈତିକ ଝଟ୍କା ଏବଂ ପରିବର୍ତ୍ତନ ନିୟମିତ ଧାରା । ଏସବୁ ଝଟ୍କା ଏବଂ ପରିବର୍ତ୍ତନକୁ ଗ୍ରହଣ କରିବା ଲାଗି ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ଭାବିଚିନ୍ତି ଉଚିତ ପଦକ୍ଷେପ ନେବାକୁ ହେବ । ଆଗାମୀ ମଙ୍ଗଳବାର ନିଜର ୱାର୍ଲଡ ଇକୋନୋମିକ୍ ଆଉଟ୍ଲୁକ୍ରେ ଆଇଏମ୍ଏଫ୍ ୨୦୨୫ ଏବଂ ୨୦୨୬ ପାଇଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ସଂଶୋଧିତ କରିପାରେ ବୋଲି ଜର୍ଜିଭାଙ୍କ ବୟାନରୁ ଅନୁମାନ କରାଯାଇଛି ।
ଜର୍ଜିଭା କହିଲେ ଯେ, ଅସ୍ଥିରତା ସର୍ବଦା ବ୍ୟୟବହୁଳ । ବାଣିଜ୍ୟିକ ଅସ୍ଥିରତା ଯୋଗୁ କ୍ଷୁଦ୍ର ବିକଶିତ ଅର୍ଥନୀତି ଏବଂ ବିକାଶମୁଖୀ ବଜାରଗୁଡ଼ିକ ପାଇଁ ବିପଦ ରହିଛି । କାରଣ ଏହି ରାଷ୍ଟ୍ରଗୁଡ଼ିକ ବିଶ୍ୱ ବାଣିଜ୍ୟ ଉପରେ ବଡ଼ ଆକାରରେ ନିର୍ଭର କରିଥାନ୍ତି ।
ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି ଯେ, ବ୍ୟବସାୟଗୁଡ଼ିକ ପାଇଁ ଅସ୍ଥିରତା ଏବଂ ଅନିଶ୍ଚିତତା ହେଉଛି ବଡ଼ ଆହ୍ୱାନ । କାରଣ ଭବିଷ୍ୟତକୁ ନେଇ ସେମାନେ ନିଶ୍ଚିତ ନ ଥାନ୍ତି । ଏହା ସେମାନଙ୍କ ବ୍ୟବସାୟିକ ଯୋଜନାଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ । ବାଣିଜ୍ୟିକ ସମସ୍ୟାଗୁଡ଼ିକ ଦ୍ୱାରା କାରବାର କମିଥାଏ । ରପ୍ତାନି ହ୍ରାସ ପାଏ । ପରିଶେଷରେ ଅର୍ଥବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧି ଖସେ ବୋଲି ଜର୍ଜିଭା କହିଛନ୍ତି ।
ଆମେରିକାର ଶୁଳ୍କନୀତି ଉପରେ ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି ଯେ, ସୁରକ୍ଷାବାଦୀ ନୀତି ଦୀର୍ଘକାଳୀନ ଭାବେ ଉତ୍ପାଦକତାକୁ ହ୍ରାସ କରିଥାଏ । ଏହାଦ୍ୱାରା ବିଶେଷକରି ଛୋଟ ଛୋଟ ଅର୍ଥବ୍ୟବସ୍ଥାଗୁଡ଼ିକ ପ୍ରଭାବିତ ହୋଇଥାନ୍ତି । ରାଷ୍ଟ୍ରଗୁଡ଼ିକ ନିଜର ନିଜର ବିତ୍ତୀୟ ନୀତିରେ ସଂଶୋଧନ କରି ନିଜ ନିଜର ଋଣ ସ୍ତର ଖସାଇବା ଦରକାର । ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସ୍ୱାଧୀନତାକୁ ସୁନିଶ୍ଚିତ କରିବାକୁ ପଡ଼ିବ ।
ରାଷ୍ଟ୍ରଗୁଡ଼ିକ ପାଇଁ ଜର୍ଜିଭା କହିଛନ୍ତି ଯେ, ଚୀନ୍କୁ ଘରୋଇ ଚାହିଦା ବଢ଼ାଇବାକୁ ହେବ । ଆମେରିକାକୁ ସାର୍ବଜନୀନ ଋଣ ସ୍ତର ଖସାଇବାକୁ ପରାମର୍ଶ ଦେଇଛନ୍ତି ଆଇଏମ୍ଏଫ୍ ମୁଖ୍ୟ । ଉଲ୍ଲେଖଯୋଗ୍ୟ ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ।