ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର ଦିନ ଇଷ୍ଟର ଉତ୍ସବ ଉପଲକ୍ଷେ ୟୁକ୍ରେନ ଯୁଦ୍ଧରେ ଏକତରଫା ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏହି ଯୁଦ୍ଧବିରତି ଶନିବାର ସନ୍ଧ୍ୟା ୮:୩୦(ଭାରତୀୟ ସମୟ)ରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ। କ୍ରେମଲିନ ଦେଇଥିବା ବିବୃତ୍ତି ଅନୁସାରେ, ଏହି ବିରାମ ମାନବୀୟ କାରଣରୁ ଘୋଷଣା କରାଯାଇଛି।
ପୁଟିନ ରୁଷର ସାମରିକ ମୁଖ୍ୟ ଭାଲେରୀ ଗେରାସିମୋଭଙ୍କୁ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ୟୁକ୍ରେନ ମଧ୍ୟ ଏହି ଯୁଦ୍ଧବିରତିକୁ ମାନିବ ବୋଲି ସେ ଆଶା ରଖିଛନ୍ତି। ତେବେ, ଯୁଦ୍ଧବିରତି ଉଲ୍ଲଂଘନ କିମ୍ବା ୟୁକ୍ରେନର ଆକ୍ରମଣାତ୍ମକ କାର୍ଯ୍ୟକୁ ପ୍ରତିହତ କରିବାକୁ ରୁଷ ସୈନ୍ୟ ପ୍ରସ୍ତୁତ ରହିବାକୁ ପୁଟିନ ସେନାକୁ ସତର୍କ କରାଇଛନ୍ତି।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଘୋଷଣାକୁ ପୁଟିନଙ୍କର "ମାନବ ଜୀବନ ସହ ଖେଳ" ବୋଲି କହି ସମାଲୋଚନା କରିଛନ୍ତି। ସେ ଦାବି କରିଛନ୍ତି ଯେ ଶନିବାର ଦିନ ରୁଷ ଡ୍ରୋନ ଆକ୍ରମଣ ଜାରି ରହିଥିଲା, ଯାହା ପୁଟିନଙ୍କ ଇଷ୍ଟର ପ୍ରତି ପ୍ରକୃତ ମନୋଭାବକୁ ଦର୍ଶାଉଛି।
ଏହି ଯୁଦ୍ଧବିରତି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଆସିଥିବା ବୋଲି ଜଣାପଡ଼ୁଛି। କାରଣ ଗତକାଲି ରୁଷ-ୟୁକ୍ରେନ ଶାନ୍ତି ଆଲୋଚନାରେ ଅଗ୍ରଗତି ନ ହେଲେ ଆମେରିକା ପଛକୁ ହଟିଯିବେ ବୋଲି ଧମକ ଦେଇଛନ୍ତି। ତେବେ, ପୁଟିନ ଆମେରିକା ସମର୍ଥିତ ୩୦ ଦିନିଆ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। କିନ୍ତୁ ୟୁକ୍ରେନ ଏହି ଯୁଦ୍ଧବିରତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲା।
ରୁଷ ଏବଂ ୟୁକ୍ରେନ ଶନିବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟସ୍ଥତାରେ ୨୪୬ ଜଣ ଯୁଦ୍ଧବନ୍ଦୀଙ୍କୁ ପରସ୍ପର ସହ ବିନିମୟ କରିଛନ୍ତି। ୟୁକ୍ରେନର କରିଥିବା ଦାବି ଅନୁସାରେ, ସେମାନଙ୍କର ୨୭୭ ଯୋଦ୍ଧା ଦେଶକୁ ଫେରିଛନ୍ତି। ଫେରିଥିବା ଯୁଦ୍ଧବନ୍ଦୀମାନେ ମାରିଉପୋଲ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଲଢ଼ିଥିଲେ ବୋଲି ୟୁକ୍ରେନ ସୂଚନା ପ୍ରଦାନ କରିଛି।
ଏହି ଘୋଷଣା ସତ୍ତ୍ୱେ, ୟୁକ୍ରେନ ପକ୍ଷରୁ ଏଯାଏ କୌଣସି ସରକାରୀ ପ୍ରତିକ୍ରିୟା ମିଳି ପାରିନାହିଁ। ବିଶ୍ଳେଷକମାନେ କହୁଛନ୍ତି ଯେ ଏହି ଯୁଦ୍ଧବିରତି ଦୀର୍ଘସ୍ଥାୟୀ ଶାନ୍ତି ଆଲୋଚନାର ଏକ ପ୍ରାରମ୍ଭିକ ପଦକ୍ଷେପ ହୋଇପାରେ। କିନ୍ତୁ ଉଭୟ ପକ୍ଷର ଅବିଶ୍ୱାସ ଏହାର ସଫଳତାକୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।