ନୂଆଦିଲ୍ଲୀ: ବାଂଲାଦେଶର ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କ ଅପହରଣ ଓ ନିର୍ମମ ହତ୍ୟାକାଣ୍ଡକୁ ନେଇ ଶନିବାର ଭାରତ କଡା ପ୍ରତିକ୍ରିୟା ପ୍ରକାଶ କରିଛି। ବାଂଲାଦେଶର ଶାସନଭାର ସମ୍ଭାଳିଥିବା ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଦେଶରେ ଥିବା ହିନ୍ଦୁଙ୍କ ସହ ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରିପାରୁନାହାନ୍ତି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛି।
ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜୟସୁଆଲ ଶନିବାର ଘୋଷଣା କରି କହିଛନ୍ତି ଯେ “ବାଂଲାଦେଶରେ ହୋଇଥିବା ହିନ୍ଦୁନେତା ଶ୍ରୀ ଭବେଶ ଚନ୍ଦ୍ର ରୟଙ୍କ ବିଭତ୍ସ ଓ କୃର ହତ୍ୟା ବିଷୟରେ ଜାଣି ଆମେ ଦୁଃଖିତ। ବାଂଲାଦେଶ ସରକାର ହିନ୍ଦୁଙ୍କ ସହ ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରିପାରୁ ନାହାନ୍ତି। ଏଥିପାଇଁ ଅନ୍ତରୀଣ ସରକାର ହିଁ ଦାୟୀ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହି ହତ୍ୟା ମାମଲାକୁ ଦେଖିଲେ ବାଂଲାଦେଶରେ ରହୁଥିବା ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ସ୍ଥିତି ସହଜରେ ବୁଝାପଡୁଛି। ଯେଭଳି ରୋମରେ ଇମ୍ପୁନିଟି ମାନଙ୍କ ସହ ଯେଉଁଭଳି ନରସଂହାର କରାଯାଉଥିଲା, ଠିକ୍ ସେହିଭଳି ଅନ୍ତରୀଣ ସରକାର ଅଧିନରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସହ ଅନ୍ୟାୟ କରାଯାଉଛି। ବାଂଲଦେଶ ସରକାର ବାହାନାବାଜି ଛାଡି ଦାୟିତ୍ତ୍ୱ ଗ୍ରହଣ କରିବା ଶିଖନ୍ତୁ। ଦେଶରେ ଥିବା ସଂଖ୍ୟାଲଘୁ ଓ ହିନ୍ଦୁମାନଙ୍କୁ ସୁରକ୍ଷା ଯୋଗାନ୍ତୁ।”
ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଉତ୍ତର ବାଂଲାଦେଶରେ ରହୁଥିବା ୫୮ ବର୍ଷୀୟ ଭବେଶ ଚନ୍ଦ୍ର ରାୟଙ୍କ ମୃତଦେହ ଗୁରୁବାର ରାତିରେ ଉଦ୍ଧାର କରାଯାଇଥିଲା। ରାୟଙ୍କ ପତ୍ନୀ 'ଦି ଡେଲି ଷ୍ଟାର' ନାମକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଅପରାହ୍ନ ପ୍ରାୟ ୪:୩୦ରେ ତାଙ୍କ ସ୍ୱାମୀଙ୍କୁ ଏକ ଫୋନ କଲ ଆସିଥିଲା। ସେ ଘରେ ଥିବା ଜାଣିବାକୁ ପାଇ ଅଭିଯୁକ୍ତମାନେ ଘର ଭିତରକୁ ଧସେଇ ପଶିଥିଲେ। ପାଖାପାଖି ଅଧଘଣ୍ଟା ପରେ ସେମାନେ ତାଙ୍କୁ ଜୋରଜବରଦସ୍ତ ଘରୁ ନେଇ ନାରାବାରୀ ଗାଁ ଆଡେ ଚାଲିଯାଇଥିଲେ। ସେଠାରେ ତାଙ୍କୁ ନିର୍ମମ ଭାବେ ମାଡ ମାରିବା ସହ ସେଠାରେ ଫୋପାଡି ଚାଲିଯାଇଥିଲେ।
ଅଚେତ ଅବସ୍ଥାରେ ରାୟଙ୍କୁ ଘରକୁ ଫେରାଇ ଆଣିବା ପରେ ପଡ଼ୋଶୀମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ପୋଲିସ ଏପର୍ଯ୍ୟନ୍ତ ଯାଏ ଏହି ହତ୍ୟାକାଣ୍ଡ ସହ ଜଡ଼ିତ କୌଣସି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିନାହିଁ। ଯାହାକୁ ନେଇ ବାଂଲାଦେଶରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କ ଭିତରେ କ୍ଷୋଭ ବଢିବାରେ ଲାଗିଛି।
ଗତ ବର୍ଷ ଢାକା ବିମାନବନ୍ଦରରେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ମଧ୍ୟ ଭାରତ ବାଂଲାଦେଶକୁ ସଂଖ୍ୟାଲଘୁ ଅଧିକାର ସୁରକ୍ଷା ଦିଗରେ ଦାୟିତ୍ୱ ତୁଲାଇବାକୁ ବାରମ୍ବାର କହିଆସିଥିଲା। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ହୋଇଥିବା ମୁର୍ଶିଦାବାଦ ହିଂସା ମାମଲାରେ ବାଂଲାଦେଶ ଭାରତକୁ ସଂଖ୍ୟାଲଘୁଙ୍କ ଉପରେ ଧ୍ୟାନ ଦେବାକୁ କହିଥିଲା। ଏହାର ଜବାବରେ ଭାରତ ମଧ୍ୟ ବାଂଲାଦେଶକୁ କଡା ଜବାବ ଫେରାଇଥିଲା।