ନୂଆଦିଲ୍ଲୀ,୧୯।୪: କ୍ୟାମେରା ଲେନ୍ସର ଗାଜାର ଦୁଃଖକୁ ସାରା ବିଶ୍ବ ନିକଟରେ ପହଁଞ୍ଚାଉଥିଲେ। ଫଟୋ ମାଧ୍ୟମରେ ହଜାରେ କଥାକୁ ବଖାଣି ପାରୁଥିଲେ। ହେଲେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ରେ ଶେଷରେ ତାଙ୍କର ବି ଚାଲିଗଲା ଜୀବନ। ସେ ହେଉଛନ୍ତି ପାଲେଷ୍ଟିନୀୟ ଯୁବ ଫଟୋ ସାମ୍ବାଦିକା ଫାତିମା ହସୋନା। ନିଜର ମୃତ୍ୟୁ ଖୁବ୍ ନିକଟରେ ବୋଲି ମଧ୍ୟ ସେ ଜାଣିସାରିଥିଲେ। ତେଣୁ ସେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ମୁଁ ଏକ ସୁନ୍ଦର ମୃତ୍ୟୁ ଚାହେଁ। ଯଦି ମୁଁ ମରେ ତେବେ ମୋର ମୃତ୍ୟୁ ବହୁ ଦୂର ଯାଏଁ ଜଣାପଡୁ। ମୁଁ କେବଳ ବ୍ରେକିଂ ନ୍ୟୁଜ୍ରେ ସୀମିତ ହେବାକୁ ଚାହେଁନି। କି ମୁଁ କେବଳ ମୃତକଙ୍କ ସଂଖ୍ୟା ଭିତରେ ରହିବାକୁ ଚାହେଁନି। ମୁଁ ଏଭଳି ଛବି ଛାଡିବାକୁ ଚାହେଁ, ଯାହାକି ସମୟ ଗର୍ଭରେ କିମ୍ବା କବରରେ କେବେ ବି ଲୀନ ହେବନି।’
ଗାଜାରେ ଯୁଦ୍ଧ ବିଭିଷିକାକୁ ଅତି ନିକଟରୁ ଦେଖାଉଥିଲେ ଫାତିମା। ତାଙ୍କ ବିବାହକୁ ମଧ୍ୟ ଆଉ ମାତ୍ର ଅଳ୍ପ ଦିନ ଥିଲା। ହେଲେ ତା ପୂର୍ବରୁ ତାଙ୍କ ଘର ଉପରେ ଇସ୍ରାଏଲୀ ସେନାର ହୋଇଥିଲା ମିସାଇଲ ମାଡ଼। ଏହି ଆକ୍ରମଣରେ ଫାତିମା, ତାଙ୍କର ଗର୍ଭବତୀ ଭଉଣୀ ଓ ପରିବାରର ମୋଟ ୧୦ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଫାତିମା ଗାଜାରେ ଏୟାରଷ୍ଟ୍ରାଇକ୍, ଉଜୁଡି ଯାଇଥିବା ଘର, ପଳାୟନ କରୁଥିବା ଲୋକ ଏବଂ ନିଜର ୧୧ ସମ୍ପର୍କୀୟ ମୃତ୍ୟୁକୁ ମଧ୍ୟ କ୍ୟାମେରାରେ କଏଦ କରିଥିଲେ। ସେ ଚାହୁଁଥିରେ ସାରା ଦୁନିଆ ଦେଖୁ ଗାଜାର ଲୋକଙ୍କ ସହ କ’ଣ ହେଉଛି। ଇରାନର ଚଳଚିତ୍ର ନିର୍ମାତା ସେପିଦେ ଫାରସିଙ୍କ ସହ ତାଙ୍କ ଭିଡିଓ କଲ୍ ଓ ଭିଜିଆଲକୁ ମିଶାଇ ଏକ ଡକ୍ୟୁମେଣ୍ଟରୀ ଫିଲ୍ମ ତିଆରି କରାଯାଇଛି। ଯାହାର ନାଁ ରହିଛି ‘ପୁଟ୍ ୟୋର ସୋଲ୍ ଅନ୍ ୟୋର ହାଣ୍ଡ ଆଣ୍ଡ ଓ୍ବାକ୍’। ଏହି ଫିଲ୍ମ ଫ୍ରାନ୍ସ କାନ୍ସ ଫିଲ୍ମ ଫେଷ୍ଟିଭାଲର ସମାନ୍ତରାଳ ସ୍ବତନ୍ତ୍ର ଫିଲ୍ମ ସମାରୋହରେ ପଦର୍ଶିତ ହେବାର ଅଛି। ଫାତିମାଙ୍କୁ ଏହି ଫିଲ୍ମରେ ତାଙ୍କ କାମ ଓ ପ୍ରଭାବ ପାଇଁ ଫ୍ରାନ୍ସରୁ ନିମନ୍ତ୍ରଣ କରାଯାଇଥିଲା।
ଫାତିମାଙ୍କ ମୃତ୍ୟୁକୁ ନେଇ ଇରାନର ଫିଲ୍ମ ନିର୍ମାତା ସେପିଦେ ଫାରସି କହିଛନ୍ତି, ସେ ଖୁବ୍ ପ୍ରଭାବଶାଳୀ ଓ ସମ୍ବେଦନଶୀଳ। ଆପଣ ଫିଲ୍ମ ଦେଖିଲେ ନିହାତି ବୁଝିପାରିବେ। ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ତାଙ୍କ ସହ କଥା ହୋଇଥିଲି। ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଚିନ୍ତିତ ଥିଲେ, କିନ୍ତୁ ଭୟଭୀତ ନଥିଲେ। ଫାତିମାଙ୍କୁ ତାଙ୍କର ଫଟୋ ସାମ୍ବାଦିକତା ଓ ଡକ୍ୟୁମେଣ୍ଟରୀ ପାଇଁ ଟାର୍ଗେଟ କରାଯାଇଛି। କାରଣ ଗତ ୧୮ ମାସରୁ ନେଇ ଏପର୍ଯ୍ୟନ୍ତ ଗାଜାରେ ୧୭୦ ରୁ୨୦୬ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇ ସାରିଛି। ତେବେ ଇସ୍ରାଏଲ କିନ୍ତୁ ହମାସକୁ ଟାର୍ଗେଟ ବୋଲି ବାରମ୍ବାର ସଫେଇ ଦେଉଛି। ୭ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଗାଜାରେ ଏପର୍ଯ୍ୟନ୍ତ ୫୧ ହଜାର ଜୀବନ ଯାଇସାରିଲାଣି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି।