ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପର ଝଟକା ଲଗାତାର ଜାରି ରହିଛି। ଶୁକ୍ରବାର (ଏପ୍ରିଲ ୧୮, ୨୦୨୫) ମଧ୍ୟ ମିଆଁମାରରେ ଏକ ହାଲୁକା ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଅନୁଯାୟୀ, ମିଆଁମାରରେ ୩.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଆସିଛି। ଯାହାର ଗଭୀରତା ୧୦ କିଲୋମିଟର ଗହିରତାରେ ଥିଲା। ଏହାକୁ ଆଫଟରଶକ୍ ଶ୍ରେଣୀରେ ରଖାଯାଇଛି, ଯାହା ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ହୋଇଥାଏ ବୋଲି ଏନସିଏସ କହିଛି। ଏନସିଏସ ସାମାଜିକ ଗଣମାଧ୍ୟମର ଏକ୍ସରେ ଏକ ପୋଷ୍ଟ କରି କହିଛି ଯେ, "ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯ ରହିଥିଲା। ଯାହା ରାତି ୦୨ଟା ୫୭ ସମୟରେ ସଂଗଠିତ ହୋଇଥିଲା ଓ ଏହାର ଗଭୀରତା ୧୦ କିମି ରହିଥିଲା।"
ଅନ୍ୟପକ୍ଷରେ, ଉତ୍ତର ଚିଲିରେ ମଧ୍ୟ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ (ଜିଏଫଜେଡ) ଅନୁସାରେ, ଚିଲିରେ ୫.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଆସିଥିଲା, ଯାହାର କେନ୍ଦ୍ର ୧୭୮ କିଲୋମିଟର (୧୧୦.୬ ମାଇଲ) ଗଭୀରତାରେ ରହିଥିଲା।
ଏହା ପୂର୍ବରୁ ମ୍ୟାନମାର ମାର୍ଚ୍ଚ ୨୮ ତାରିଖରେ ୭.୭ ମ୍ୟାଗ୍ନିଚ୍ୟୁଡର ଏକ ବିନାଶକାରୀ ଭୂକମ୍ପ ଦେଖାଯାଇଥିଲା। ଯାହା ସାଗାଇଂ ଅଞ୍ଚଳ ନିକଟରେ ସଂଗଠିତ ହୋଇଥିଲା। ଏହି ଭୂକମ୍ପରେ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪୫୦୦ରୁ ଅଧିକ ଆହତ ହୋଇଥିଲେ। ଏହାର ପ୍ରଭାବରେ ଥାଇଲ୍ୟାଣ୍ଡରେ ମଧ୍ୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ମ୍ୟାନମାରର ସାଗାଇଂ ଫଲ୍ଟ ଏରିଆ ନିକଟରେ ଅବସ୍ଥିତ ହେତୁ ଏହା ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ଅଟେ। ଏହି ଅଞ୍ଚଳରେ ଅଗଭୀର ଭୂକମ୍ପ ଅଧିକ କ୍ଷତି ସୃଷ୍ଟି କରେ, କାରଣ ଏହାର ଶକ୍ତି ସିଧାସଳଖ ଭୂପୃଷ୍ଠରେ ପହଞ୍ଚେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଶୁକ୍ରବାର ହୋଇଥିବା ଭୂକମ୍ପରେ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି।