ୱାଶିଂଟନ : ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ମଧ୍ୟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର (ଆଇଏମଏଫ୍)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା, ଗୁରୁବାର ଆଶ୍ୱସ୍ତି ପୂର୍ଣ୍ଣ ଖବର ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକାରେ ଟାରିଫ ବୃଦ୍ଧିରେ ବିଶ୍ୱ ଅର୍ଥବ୍ୟବସ୍ଥା ଦୁର୍ବଳ ହେବ ଏବଂ ଏହି ବର୍ଷ ମୁଦ୍ରାସ୍ଫୀତି ମଧ୍ୟ ବଢିବ , କିନ୍ତୁ ଏହା ବିଶ୍ୱକୁ ମାନ୍ଦାବସ୍ଥା ଆଡ଼କୁ ନେଇ ଯିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ବଢୁଥିବା ବାଣିଜ୍ୟ ଉତ୍ତେଜନା ଓ ବିଶ୍ୱ ବାଣିଜ୍ୟ ପ୍ରଣାଳୀରେ ହେଉଥିବା ବଡ଼ ପରିବର୍ତ୍ତନ ଯୋଗୁଁ ଆଇଏମଏଫ୍ ନିଜର ଆର୍ଥିକ ବିକାଶ ହାରର ପୂର୍ବାନୁମାନରେ ହ୍ରାସ କରିବ, କିନ୍ତୁ ବିଶ୍ୱ ମାନ୍ଦାବସ୍ଥାର ଆଶଙ୍କା ନାହିଁ।
ଆଇଏମଏଫ୍ର ଆସନ୍ତା ସପ୍ତାହରେ ଜାରି ହେବାକୁ ଥିବା ଆକଳନ ଆଧାରରେ ଜର୍ଜିଭା ଏହି କଥା କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଆମେରିକା ଦ୍ୱାରା ଲାଗୁ ନୂଆ ଟାରିଫ୍ ଓ ଚୀନ ତଥା ୟୁରୋପୀୟ ସଂଘ ପକ୍ଷରୁ କରାଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାକୁ ଦହଲାଇ ଦେଇଛି। ଏଥିରେ ବାଣିଜ୍ୟ ନୀତିରେ ଅତ୍ୟଧିକ ଅନିଶ୍ଚିତତା ଓ ଆର୍ଥିକ ବଜାରରେ ଚରମ ଅସ୍ଥିରତା ଦେଖିବାକୁ ମିଳୁଛି। ସେ କହିଛନ୍ତି , ବ୍ୟବଧାନର ମୂଲ୍ୟ ଦେବାକୁ ପଡ଼ିବ... ଆମର ନୂଆ ବିକାଶ ଆକଳନରେ ମହତ୍ତ୍ୱପୂର୍ଣ୍ଣ ହ୍ରାସ ସାମିଲ ହେବ , କିନ୍ତୁ ମାନ୍ଦାସ୍ଥିତି ହେବ ନାହିଁ।
ଜର୍ଜିଭା ଗୁରୁବାର କହିଛନ୍ତି , ଆମେରିକା ପ୍ରଶାସନ ଦ୍ୱାରା ଶୁଳ୍କ ଦରରେ କରାଯାଇ ଥିବା ବୃଦ୍ଧି ବିଶ୍ୱ ଅନିଶ୍ଚିତତାକୁ ବଢାଇ ଦେଇଛି। ସେ କହିଛନ୍ତି , ଆମଦାନୀ ଶୁଳ୍କବିଶ୍ୱ ବୃଦ୍ଧିକ ମନ୍ଥର କରିଦେବ ଏବଂ ମହଙ୍ଗା ବଢିବ , କିନ୍ତୁ ଏହା ବିଶ୍ୱରେ ମାନ୍ଦାବସ୍ଥାର କାରଣ ସାଜିବ ନାହିଁ । ଜର୍ଜିଭା କହିଛନ୍ତି , ବିଶ୍ୱ ବାଣିଜ୍ୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନରେ ବିଶ୍ୱ ଅର୍ଥବ୍ୟବସ୍ଥାର ସ୍ଥିରତାର ପରୀକ୍ଷା କରାଯାଉଛି। ଯେଉଁଥିରେ ଆର୍ଥିକ ବଜାରରେ ପ୍ରଭାବ ପଡ଼ିବାର ବିପଦ ଅଛି। ଆଇଏମଏଫ୍ର ଏହି ଚେତାବନୀ ଏମିତି ସମୟରେ ଆସିଛି ,ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଓ ବିଶ୍ୱ ବଜାରରେ ଅସ୍ଥିରତା ଯୋଗୁଁ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କର ଓ ଅର୍ଥମନ୍ତ୍ରୀ ୱାଶିଂଟନର ବୈଠକରେ ଭାଗ ନେବାକୁ ଯାଉଛନ୍ତି।