ୱାଶିଂଟନ ଡିସି,୨୦/୦୪: ଆମେରିକାରେ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଶପଥ ନେବା ଦିନରୁ ଗୋଟିଏ ପରେ ଗୋଟିଏ ନକାରାତ୍ମକ ଘଟଣା ଘଟିଚାଲିଛି । ଏଭଳି ଘଟଣା ବିଶ୍ୱବାସୀଙ୍କୁ ବ୍ୟଥିତ କରିଛି । ସଦ୍ୟ ଘଟଣାରେ ଟ୍ରମ୍ପ୍ ପ୍ରଶାସନ ବିଦେଶୀ ଛାତ୍ରଛାତ୍ରୀଙ୍କୁ କରିଛନ୍ତି ଟାର୍ଗେଟ୍ । ସେମାନଙ୍କୁ ନେଇ ତଦନ୍ତ ଜୋରଦାର ହୋଇଛି । ଏହି ଆଧାରରେ ୧ ହଜାରରୁ ଅଧିକ ଷ୍ଟୁଡେଣ୍ଟ ଭିସା ରଦ୍ଦ ହେଲାଣି । ଏଭଳି ସ୍ଥିତିରେ ସେଠାକାର ଭାରତୀୟ ଛାତ୍ରଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଟ୍ରମ୍ପ୍ ପ୍ରଶାସନ ଦ୍ୱାରା ରଦ୍ଦ ହୋଇଥିବା ଷ୍ଟୁଡେଣ୍ଟ ଭିସା ମଧ୍ୟରୁ ଅଧା ଭାରତର ରହିଛି । ଅର୍ଥାତ୍ ଆମେରିକାରେ ବର୍ତ୍ତମାନ ୫ ଶହରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ରଦ୍ଦ ହୋଇଯାଇଛି । ଫଳରେ ସେମାନେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି । ଉତ୍ତମ କ୍ୟାରିୟର ଆଶାରେ ଆମେରିକା ଆସିଥିବା ଏହି ଉଚ୍ଚାଭିଳାଷୀ ଛାତ୍ରଛାତ୍ରୀଙ୍କ ପାଇଁ କଣ୍ଟା ସାଜି ବାଟ ଓଗାଳିଛନ୍ତି ଟ୍ରମ୍ପ୍ ।
ଆମେରିକାରେ ପଢ଼ା ଶେଷ ପରେ ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ସେହିଠାରେ ହିଁ କ୍ୟାରିୟର ଗଢ଼ିଥାନ୍ତି । ଆମେରିକା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସେମାନେ ବଡ଼ ଯୋଗଦାନ ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ଆମେରିକାର ବିଦେଶ ଓ ଅପ୍ରବାସନ ଏବଂ ସୀମା ପ୍ରବର୍ତ୍ତନ ବିଭାଗ (ଆଇସିଆଇଇ) ଭାରତ ସମେତ ବିଭିନ୍ନ ବିଦେଶୀ ଛାତ୍ରଛାତ୍ରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଦେଇଛି । କିଛି ଛାତ୍ରଛାତ୍ରୀଙ୍କୁ ଗିରଫ ପରେ ଅଟକ ବି ରଖାଯାଇଛି ।
ଛାତ୍ରଛାତ୍ରୀଙ୍କ ବିରୋଧରେ ସେଭଳି କୌଣସି ଅପରାଧିକ ମାମଲା ନାହିଁ । କଲେଜ କ୍ୟାମ୍ପସ୍ରେ ପାଲେଷ୍ଟାଇନ୍ ସମର୍ଥନରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି । ଟ୍ରମ୍ପ୍ ପ୍ରଶାସନ ସଫା ସଫା କହିଦେଇଛି ଯେ ଭିସା ହେଉଛି ଏକ ‘ସୁବିଧା’ ଯାହାକୁ ବିଭିନ୍ନ କାରଣରେ ରଦ୍ଦ କରାଯାଇ ପାରିବ । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୧ ହଜାର ଭିସା ବାତିଲ ହୋଇଥିବା ଅନ୍ଲାଇନ୍ ନ୍ୟୁଜ୍ ସାଇଟ୍ ‘ଇନ୍ସାଇଡ୍ ହାୟର୍ ଏଜୁକେସନ’ ପକ୍ଷରୁ କୁହାଯାଇଛି ।
କେଉଁ ଆଧାରରେ ସେମାନଙ୍କ ଭିସା ରଦ୍ଦ ହୋଇଛି, ତାହା ନେଇ ଅଧିକାଂଶ ଛାତ୍ରଛାତ୍ରୀ କିଛି ଜାଣି ନ ଥିବା କହିଛନ୍ତି । ଏତେ ମାତ୍ରାରେ ଭିସା ରଦ୍ଦ ହେବାକୁ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର ପରିସରରେ ବି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଇସ୍ରାଏଲ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ଆହୁରି ଅନେକ ଛାତ୍ରଛାତ୍ରୀ ମଧ୍ୟ ପ୍ରମାଦ ଗଣୁଛନ୍ତି । ଜର୍ଜଟାଉନ୍ ୟୁନିଭର୍ସିଟିରେ ପଢ଼ୁଥିବା ଜଣେ ଛାତ୍ର କହିଛନ୍ତି, ମୁଁ ଗାଜା ଯୁଦ୍ଧ ପ୍ରସଙ୍ଗରେ ଇସ୍ରାଏଲ ବିରୋଧରେ ନିବନ୍ଧ ଲେଖିଥିଲି । ପରବର୍ତ୍ତୀ ପର୍ଯ୍ୟାୟରେ ମୋ ଭିସା ମଧ୍ୟ ରଦ୍ଦ ହୋଇପାରେ। ଟେକ୍ସାସ୍ରେ ଜଣେ ଛାତ୍ର ଏହି ଭୟରେ ନିଜ ଆପାର୍ଟମେଣ୍ଟରୁ ବାହାରକୁ ବାହାରୁ ନ ଥିବା କହିଛନ୍ତି । ଏମିତି କି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସେ ବାହାରୁ ନାହାନ୍ତି ।
ବିଦେଶୀ ଗବେଷକ ଆମେରିକା ଫେରିବାକୁ ମନା କରିଦେବାରୁ କଲେଜ ଓ ୟୁନିଭର୍ସିଟିଗୁଡ଼ିକ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । ପାଠପଢ଼ା ଓ ଗବେଷଣା ଉପରେ ଏହାର ଖରାପ ପ୍ରଭାବ ପଡ଼ୁଥିବା କୁହାଯାଉଛି । ଆମେରିକାର ବିଦେଶ ସଚିବ ମାର୍କ ରୁବିଓ କହିଛନ୍ତି, କିଛି ଘଟଣାରେ ଅପରାଧିକ ରେକର୍ଡ ଭିତ୍ତିରେ ଭିସା ରଦ୍ଦ ହୋଇଥାଇପାରେ । କିନ୍ତୁ ପାଲେଷ୍ଟାଇନ୍ ସମର୍ଥନ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ଟାର୍ଗେଟ୍ କରାଯାଇଛି । ଅତିକମ୍ରେ ୩୦୦ ଷ୍ଟୁଡେଣ୍ଟ ଭିସା ରଦ୍ଦ ହୋଇଥିବା ନେଇ ରୁବିଓ କହିଥିବା ବେଳେ ପ୍ରକୃତରେ ଏହି ସଂଖ୍ୟା ୧ ହଜାର ସେପଟେ ହେବ ବୋଲି କୁହାଯାଉଛି ।
ଟ୍ରମ୍ପ୍ ପ୍ରଶାସନର ଏଭଳି ପଦକ୍ଷେପକୁ ନାଗରିକ ସୁରକ୍ଷା ଗୋଷ୍ଠୀଗୁଡ଼ିକ ନିନ୍ଦା କରିଛନ୍ତି । ଭିସା ରଦ୍ଦ ପରେ ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯିବାକୁ ନେଇ ସେମାନେ ଆନ୍ଦୋଳନ ବି କରିଛନ୍ତି । ବିଭିନ୍ନ ସ୍ଥାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ପୋଷ୍ଟରମାନ ଲଗାଯାଇଛି । ନ୍ୟୁୟର୍କରେ ସ୍ଥାୟୀ ଭାବେ ରହୁଥିବା ମହମ୍ମଦ ଖଲିଲ ନାମକ ଜଣେ ଛାତ୍ର କଲମ୍ବିଆ ୟୁନିଭର୍ସିଟିରେ ଆନ୍ଦୋଳନ ଆୟୋଜନ କରିଥିଲେ । ତାଙ୍କୁ ଗିରଫ କରାଯାଇଥିଲା । ଏବେ ସେ ଲୁଇସିଆନାସ୍ଥିତ ଏକ କେନ୍ଦ୍ରରେ ପ୍ରତ୍ୟର୍ପଣ ଅପେକ୍ଷାରେ ଅଛନ୍ତି । ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବଦର ଖାନ୍ ସୁରି ନାମକ ଜଣେ ଛାତ୍ରଙ୍କୁ ବି ଅଟକ ରଖାଯାଇଛି ।
ଗାଜା ସଂକ୍ରାନ୍ତରେ ଜଣେ ଛାତ୍ରଙ୍କ ସହ ମିଶି ନିବନ୍ଧ ଲେଖିଥିବା ଟଫ୍ଟସ ୟୁନିଭର୍ସିଟି ସ୍ନାତକ ଛାତ୍ର ରୁମେସା ଓଜ୍ତୁର୍କଙ୍କୁ ମାସାଚୁସେଟ୍ସରେ ଅଟକ ରଖାଯାଇଛି । ଗତ ସୋମବାର ମୋହସେନ ମାହଦାୱି ନାମକ ଜଣେ କଲମ୍ବିଆ ଛାତ୍ରଙ୍କୁ ବି ଭରମଣ୍ଟରେ ଅଟକ ରଖାଯାଇଛି । ଆମେରିକା ନାଗରିକତା ହାସଲ ଲାଗି ସେ ଏକ ସାକ୍ଷାତକାରରେ ସାମିଲ ହୋଇଥିଲେ । ଖଲିଲଙ୍କ ଭଳି ତାଙ୍କ ପାଖରେ ବି ଗ୍ରୀନ୍ କାର୍ଡ ରହିଛି । ତଥାପି ତାଙ୍କ ଭିସାକୁ ରଦ୍ଦ କରାଯାଇଛି ।
ହ୍ୱାଇଟ୍ ହାଉସ୍ ସଫେଇ ଦେଇ କହିଛି ଯେ ଆମେରିକାର ଜାତୀୟ ସ୍ୱାର୍ଥକୁ ହାନି ପହଞ୍ଚାଇବା ଭଳି କାର୍ଯ୍ୟକଳାପରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଖଲିଲଙ୍କ ମାମଲାରେ ହ୍ୱାଇଟ୍ ହାଉସ୍ ୧୯୫୨ର ଏକ ଆଇନକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ପଷ୍ଟ କରିଛି । ଅନ୍ୟଏକ ସୂତ୍ର ମୁତାବକ, ଆମେରିକା ପ୍ରଶାସନ ୩୨୭ ଭିସା ରଦ୍ଦ କରିଛି । ଏଥିରେ ଭାରତୀୟ ଛାତ୍ରଛାତ୍ରୀଙ୍କର ୫୦% ଭିସା ରହିଛି । ସେହିଭଳି ୧୪% ଚୀନି ଛାତ୍ରଛାତ୍ରୀ ଥିବା ବେଳେ ଅନ୍ୟମାନେ ଦକ୍ଷିଣ କୋରିଆ, ନେପାଳ ଓ ବାଂଲାଦେଶରୁ ରହିଛନ୍ତି । ଆମେରିକାରେ ବର୍ତ୍ତମାନ ୩.୩୦ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହା ୨୩% ଅଧିକ ।
Putin: ଇଷ୍ଟର ଯୁଦ୍ଧବିରତି ଘୋଷଣା କଲେ ପୁଟିନ; ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିଲା ଅସ୍ଥାୟୀ ବିରାମ