ଭୁବନେଶ୍ୱର,୨୨/୦୨ : ରାଜଧାନୀ ବଜାରରେ ଏବେ ମିଳୁଛି ଭୁବନେଶ୍ୱର ଟୁଲିପ୍ ଫୁଲ । ଯାହା ଶୀତ ପ୍ରଧାନ ଦେଶରେ ଦେଖିବାକୁ ମିଳେ। ଏହାକୁ ଓଡ଼ିଶା ଜଳବାୟୁରେ ପରୀକ୍ଷଣ ଭିତ୍ତିକ ଚାଷ କରାଯାଇ ସଫଳତା ମିଳିଛି । ହାଇଡ୍ରୋପନିକ(ବିନା ମାଟି)ରେ ଏହି ଚାଷ କରାଯାଉଛି । ବିସ୍ତୀର୍ଣ୍ଣ ଖୋଲା ଅଞ୍ଚଳରେ ନୁହେଁ, ବନ୍ଦ କୋଠରୀରେ ଓ ବିଯୁକ୍ତ ତାପମାତ୍ରାରେ ସଫଳ ହୋଇପାରିଛି ଏହି ଫୁଲ ଚାଷ।
ଟୁଲିପ୍ ଫୁଲ ସାଧାରଣତଃ ବସନ୍ତରେ ଫୁଟିଥାଏ । ଏହି ଫୁଲର ରଙ୍ଗ ଲାଲ, କମଳା, ଗୋଲାପୀ, ହଳଦିଆ ଓ ଧଳା । ଦକ୍ଷିଣ ୟୁରୋପ, ଏସିଆର କେନ୍ଦ୍ରଭାଗ ଏବଂ କାଶ୍ମୀରରେ ମଧ୍ୟ ବହୁଳ ଭାବେ ଟୁଲିପ୍ ଦେଖିବାକୁ ମିଳେ । ଏହି ଫୁଲ ଚାଷ କରିବାକୁ ଓଡ଼ିଶାର କୃଷି ଉଦ୍ୟୋଗୀ ମନ ବଳାଇଥିଲେ । ଓୟୁଏଟି କୃଷି ବିଜ୍ଞାନି ସୁବ୍ରତ ମହାନ୍ତିଙ୍କ ଦ୍ୱାରା ୨୦୨୩ରେ ଆରମ୍ଭ ହେଲା ଏହାର ପରୀକ୍ଷଣ । ୨୦୨୫ ଜାନୁଆରୀରେ ତାଙ୍କୁ ଏଥିରେ ସଫଳତା ମିଳିଥିଲା । ହାଇଡ୍ରୋପୋନିକ ପଦ୍ଧତିରେ ଫୁଲ ଉତ୍ପାଦନ ହୋଇପାରିଛି । ଏହାକୁ ବ୍ୟାବସାୟିକ ଭିତ୍ତିରେ ଚାଷ କରାଯାଇ ପାରିବ । ଏହାର ଦାମ୍ ଗୋଟାକୁ ୩୦୦ରୁ ୪୦୦ଟଙ୍କା ରହିବ । କଲିକତାରୁ ଆସି ବିକ୍ରି ହେଉଥିବା ଟୁଲିପ୍ ଏଠାରେ ୪୦୦ରୁ ୭୦୦ଟଙ୍କାରେ ବିକ୍ରି ହେଉଛି । ବୋତଲରେ ପାଣି ଦେଇ ରଖିଲେ ଏହା ୧୫ଦିନ ଧରି ଏହି ଫୁଲ ତାଜା ରହିବ । ତେଣୁ ଏହା ଗ୍ରାହକଙ୍କ ପ୍ରମୁଖ ପସନ୍ଦ ପାଲଟିବ ।
ହାଇଡ୍ରୋପୋନିକ୍ ଟ୍ୟୁଲିପ୍ ଚାଷ ୭୬୦ ଦିନର ଆନ୍ତରିକ ପ୍ରୟାସ ପରେ ସୁବ୍ରତଙ୍କୁ ସଫଳତା ମିଳିଥିଲା । ଏନେଇ ସୁବ୍ରତ କହିଛନ୍ତି ଯେ, ମାଟି ପରିବର୍ତ୍ତେ ପୁଷ୍ଟିକର ଦ୍ରବଣ(ଦ୍ରବିଭୂତ ଖାଦ୍ୟସାର)ରେ ଟ୍ୟୁଲିପ୍ ଫୁଲ ଚାଷ କରାଯାଇପାରିବ । ହାଇଟ୍ରୋପୋନିକ ପଦ୍ଧତିରେ ପର୍ଯ୍ୟାପ୍ତ ଜଳ ନିଷ୍କାସନ, ବାୟୁଚଳନ, ତାପମାତ୍ରା, ଆଲୋକକୁ ନିୟନ୍ତ୍ରଣ କରି ଚାଷ କରାଯାଏ । ଏହାର ସଫଳତା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ପୁଷ୍ଟିକର ଜଳରେ ଦ୍ରବିଭୂତ ଖାଦ୍ୟସାର ରହିବା ଯାହା ଦ୍ୱାରା ସିଧାସଳଖ ମୂଳକୁ ପହଞ୍ଚିଥାଏ ।
ଏହି ଖବରଟିକୁ ପଢନ୍ତୁ-ଛନକା ବଢାଇଲାଣି ହୀରାକୁଦ, ଜଳଜଳ ହୋଇ ଦିଶିଲାଣି ଭୟଙ୍କର ଜଳକଷ୍ଟ