ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଛନକା ବଢାଇଲାଣି ହୀରାକୁଦ, ଜଳଜଳ ହୋଇ ଦିଶିଲାଣି ଭୟଙ୍କର ଜଳକଷ୍ଟ

Published By : Prameya | February 22, 2025 10:49 AM

ବୁର୍ଲା,୨୨/୦୨ : ଫେବ୍ରୁଆରୀ ସରିନି । ଏବେଠୁ ଶୁଭିଲାଣି ଉତ୍କଟ ଜଳସଙ୍କଟର ପଦଧ୍ୱନି । ଅଧା ଓଡ଼ିଶାର ଶୋଷ ମେଣ୍ଟାଉଥିବା ହୀରାକୁଦ ଜଳଭଣ୍ଡାର ଜଳସ୍ତର ଛନକା ସୃଷ୍ଟି କଲାଣି । ଗତବର୍ଷ ତୁଳନାରେ ୧ ଫୁଟ୍‌ ଖସିଗଲାଣି ଜଳସ୍ତର । ଏବେ ଉପରମୁଣ୍ଡରୁ ୧୦୦୦ କ୍ୟୁସେକ୍‌ରୁ କମ୍‌ ପାଣି ଜଳଭଣ୍ଡାରକୁ ପଶୁଛି । ଜଳସେଚନ, ପାନୀୟ ଜଳଯୋଗାଣ, ଶିଳ୍ପ ଚାହିଦା ଏବଂ ବିଦ୍ୟୁତ୍‌ ଉତ୍ପାଦନରେ ୯୦୯୪ ହଜାର କ୍ୟୁସେକ୍‌ ପାଣି ଖର୍ଚ୍ଚ ହେଉଛି । ଜଳସ୍ତର ଦ୍ରୁତ ଗତିରେ ଖସୁଥିବାରୁ ଖରାଦିନେ ଭୟଙ୍କର ଜଳକଷ୍ଟ ଜଳଜଳ ହୋଇ ଦିଶିଲାଣି । 

ଗତ ନଭେମ୍ୱରରୁ ହୀରାକୁଦର ଅଣମୌସୁମୀ ଅବଧି ଆରମ୍ଭ ହେଲାଣି । ଏହି ଅବଧି ଆରମ୍ଭ ହେବାର ୩ ମାସ ନ ପୂରୁଣୁ ଜଳସଙ୍କଟ ଆଶଙ୍କା ଦେଖାଦେଲାଣି । ଗତବର୍ଷ ଫେବ୍ରୁଆରୀ ୨୧ରେ ହୀରାକୁଦ ଜଳସ୍ତର ୬୨୧.୮୯ ଫୁଟ୍‌ ଥିଲା । ଚଳିତ ବର୍ଷ ସମାନ ସମୟରେ ଏହା ୬୨୦.୯୫ ଫୁଟ୍‌ ରହିଛି । ଫେବ୍ରୁଆରୀ ଆରମ୍ଭରୁ ଅଧିକାଂଶ ଦିନ ଉପରମୁଣ୍ଡରୁ ୧୦୦୦ କ୍ୟୁସେକ୍‌ରୁ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି । କଲ୍‌ମାର ସମସ୍ତ ଗେଟ୍‌ ବନ୍ଦ ଅଛି । ଶାଖା ନଦୀ କେଲା ଉପରେ ଛତିଶଗଡ଼ ନିର୍ମାଣ କରିଥିବା ଡ୍ୟାମ୍‌ରୁ ଟୋପାଏ ପାଣି ଆସୁନାହିଁ । ଖାଲି ସେତିକି ନୁହେଁ ଇବ୍‌ ନଦୀ ତଣ୍ଟିକୁ ମଧ୍ୟ ଛତିଶଗଡ଼ ସରକାର ଚିପି ଦେଇଛନ୍ତି । ସ୍ରୋତ ଶୁଖିଲା ପଡ଼ିଛି । ଏହାବାଦ୍‌ ଝାରସୁଗୁଡ଼ା ଦେଇ ପ୍ରବାହିତ ହେଉଥିବା ଭେଡେନ୍‌ ନଦୀ ଧାର ବି ଶୁଖିଗଲାଣି । ଫଳରେ ଉପର ମୁଣ୍ଡରୁ ପାଣି ଆସିବା ସମ୍ଭାବନା ଆଦୌନାହିଁ । 

ଅପରପକ୍ଷେ, ରବି ପହ୍ଲା ରୁଆ ପାଇଁ ସବୁ କେନାଲ୍‌ ପୂର୍ଣ୍ଣ କ୍ଷମତାରେ ପାଣି ଟାଣୁଛନ୍ତି । ଗତବର୍ଷ ଗଙ୍ଗାଧର ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଜଳସେଚନ ପାଇଁ ଅଧିକ ୭୦୦ କ୍ୟୁସେକ୍‌ ଜଳ ଖର୍ଚ୍ଚ ହେଉଛି । ଆଗକୁ ପ୍ରଚଣ୍ଡ ରୌଦ୍ର ତାପରେ ବାଷ୍ପିତ ଜଳ ପରିମାଣ ବଢ଼ିବ । ଏହା ଦୈନିକ ୮୦୦ରୁ ୧୦୦୦ କ୍ୟୁସେକ ପର୍ଯ୍ୟନ୍ତ ବଢ଼ିଯିବା ଆଶଙ୍କା ଏଡ଼ାଇ ଦିଆଯାଇପାରୁନାହିଁ । ଏଭଳି ସ୍ଥିତିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ କରି ପାୱାର୍‌ ଚ୍ୟାନେଲକୁ ନିଅଣ୍ଟିଆ ପାଣି ଯୋଗାଣ ଛଡ଼ା ଅନ୍ୟ ବିକଳ୍ପ ନ ଥିବା ବିଶେଷଜ୍ଞ ଆକଳନ କରିଛନ୍ତି । ତାତି ବଢ଼ିବା ଆଗରୁ ବିଭିନ୍ନ ସହରାଞ୍ଚଳ ଓ ଶିଳ୍ପାଞ୍ଚଳକୁ ପାନୀୟ ଜଳଯୋଗାଣ ପରିମାଣ ବଢ଼ିବ । ତେଣୁ ହୀରାକୁଦ ଜଳ ପରିଚାଳନା କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ୱାନ ସାଜିଲାଣି । ଏ ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଇଂ. ସୁଶୀଲ କୁମାର ବେହେରା କହିଛନ୍ତି, ଜଳ ପରିଚାଳନାରେ କୌଣସି ସମସ୍ୟା ହେବନାହିଁ । ଆବଶ୍ୟକ ପଡ଼ିଲେ ପାୱାର୍‌ ଚ୍ୟାନେଲ୍‌କୁ କମ୍‌ ପାଣି ଦେଇ ବାକି ସବୁ ଆବଶ୍ୟକତା ପୂରଣ କରାଯିବ ।

ଏହି ଖବରଟିକୁ ପଢନ୍ତୁ-ଆସୁଛି ମହାଶିବରାତ୍ରୀ... ସଜେଇ ହେଉଛି ଏକାମ୍ର କ୍ଷେତ୍ର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.