କଟକ,୨୨/୦୨: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ -୨୦୨୫ ଶୁଭାରମ୍ଭ ହୋଇଛି । ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ ଆନୁଷ୍ଠାନିକ ଭାବେ ଶନିବାର ଏହାର ଉଦ୍ଘାଟନ କରିଥିଲେ । ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ । ଏଭଳି ଚାମ୍ପିୟନସିପ୍ ପୋଲିସ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଗୁଇନ୍ଦା ନିର୍ଦ୍ଦେଶକ କୋଚେ ମତବ୍ୟକ୍ତ କରିଥିଲେ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚାମ୍ପିୟନସିପ୍ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।
ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନ୍ରୁ ୪୧ ଟି ପୋଲିସ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୭୯୭ ଜଣ ଖେଳାଳି ସାମିଲ ହୋଇଛନ୍ତି । ୬୬୫ ଜଣ ପୁରୁଷ ଓ ୧୩୨ ଜଣ ମହିଳା ଏହି ଚାମ୍ପିୟନସିପ୍ରେ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଡିଆଇଜି(କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା ଏବଂ କଟକ ଡିସିପି ଜଗମୋହନ ମୀନା, ଷଷ୍ଠ ବାଟାଲିୟନ୍ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଇଜି(କାର୍ମିକ) ଏସ. ପ୍ରବୀଣ କୁମାର, ଏଆଇଜି (ମୁଖ୍ୟାଳୟ) ସୁରେଶ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।