ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ୨,୯୭୯ ସେଣ୍ଟରରେ ପରୀକ୍ଷା ଦେବେ ୫ଲକ୍ଷ ୧୦ ହଜାର ୭୭୦ ଛାତ୍ରଛାତ୍ରୀ, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା

Published By : Prameya | February 21, 2025 7:33 AM

କଟକ,୨୧/୦୨: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ-୨୦୨୫  ରେଗୁଲାର୍‌ ଓ ଏକ୍ସରେଗୁଲାର୍‌ ପରୀକ୍ଷା । ପ୍ରଥମ  ଦିନ ଓଡ଼ିଆ ମାତୃଭାଷା ବିଷୟରୁ ପରୀକ୍ଷା ଆରମ୍ଭ ହେବ । ରେଗୁଲାର୍‌ ଓ ଏକ୍ସରେଗୁଲାର୍‌  ଗୋଟିଏ ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା  ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍‌ ସମୟ ରହିଛି । ପରୀକ୍ଷାର୍ଥୀମାନଙ୍କୁ ସକାଳ ୭ ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ର  ନିକଟରେ ପହଞ୍ଚିବାକୁ ହେବ। କଡ଼ା ଯାଞ୍ଚ୍‌ ପରେ ପରୀକ୍ଷାର୍ଥୀଙ୍କୁ ଭିତରକୁ  ଛଡ଼ାଯିବ । ପରୀକ୍ଷାର୍ଥୀମାନଙ୍କୁ ସାଧାରଣ ହାତ ଘଣ୍ଟା ନେବାକୁ ସୁଯୋଗ  ରହିଥିଲେ ହେଁ ଡିଜିଟାଲ୍‌ ତଥା ସ୍ମାର୍ଟ ୱାଚ୍‌ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହି ପରୀକ୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । 

ରାଜ୍ୟରେ ୫ ଲକ୍ଷ ୧୦ ହଜାର ୭୭୦ ଜଣ  ପରୀକ୍ଷାର୍ଥୀ ଏଥର ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି । ଏଥିଲାଗି  ୨ ହଜାର ୯୭୯ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି ।  ସେହିପରି ୭୮୩୧ ଜଣ ଏସ୍‌ଓଏସ୍‌ସି ପରୀକ୍ଷାର୍ଥୀଙ୍କ  ପାଇଁ ୧୦୨ଟି ପରୀକ୍ଷା କେନ୍ଦ୍ର ଓ ୩ ହଜାର ୭୯୨  ଜଣ ସଂସ୍କୃତ ମଧ୍ୟମା ପରୀକ୍ଷାର୍ଥୀଙ୍କ ଲାଗି ୫୨ଟି  ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି । ତିନୋଟି  ଯାକ ପରୀକ୍ଷା ପାଇଁ ୩ ହଜାର ୧୩୩ ଟି  ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତ ବର୍ଷ  ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ପରୀକ୍ଷାର୍ଥୀ ଅଛନ୍ତି ।  

ରେଗୁଲାର ଓ ଏକ୍ସରେଗୁଲାର ମିଶି ୪୨ ହଜାର ୮୩୬ ପରୀକ୍ଷାର୍ଥୀ ଗଞ୍ଜାମ ଜିଲ୍ଲାର ୨୧୪ଟି  ସେଣ୍ଟରରେ ପରୀକ୍ଷା ଦେବେ । ଦ୍ୱିତୀୟରେ ବାଲେଶ୍ୱର ଜିଲ୍ଲାରେ ୧୮୬ଟି କେନ୍ଦ୍ରରେ ୨୯ ହଜାର  ୯୦୮ ଜଣ ପରୀକ୍ଷାର୍ଥୀ, ମୟୂରଭଞ୍ଜରେ ୧୭୪ଟି  ସେଣ୍ଟରରେ ୨୮ ହଜାର ୬୫୫ ଜଣ, କଟକରେ  ୧୫୪ଟି ସେଣ୍ଟରରେ ୨୭ ହଜାର ୭୬୧ ଜଣ ପରୀକ୍ଷା  ଦେବେ । ଦେବଗଡ଼ ଜିଲ୍ଲାରେ ସବୁଠୁ କମ୍‌ ପରୀକ୍ଷାର୍ଥୀ  ରହିଛନ୍ତି। ଏହି ଜିଲ୍ଲାରେ ୩୩ଟି କେନ୍ଦ୍ରରେ ୩ ହଜାର ୭୮୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ଫୋକସ୍‌ରେ ରହିଥିଲେ  ହେଁ ନୋଡାଲ୍‌ ସେଣ୍ଟର ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ମିଶି  ୬ଶହ କେନ୍ଦ୍ରରେ ଭିଡିଓ ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରମିଙ୍ଗ୍‌)  ବ୍ୟବସ୍ଥା କରାଯାଇଛି । ୨୮୬ ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର  ଓ ୩୧୪ଟି ନୋଡାଲ୍‌ ସେଣ୍ଟରରେ ଲାଇଭ୍‌ ଭିଡିଓର ଅନୁଧ୍ୟାନ ଲାଗି  ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.