ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବମିଖାଲ ରେଲୱେ ଓଭରବ୍ରିଜ: କେବଳ ଫଳକରେ ଏକତରଫା ରାସ୍ତା, ରଙ୍ଗସାଇଡ ଡ୍ରାଇଭିଂ ବଢାଉଛି ଦୁର୍ଘଟଣା

Published By : Prameya | February 21, 2025 3:00 PM

କଟକରୋଡ,୨୧/୦୨: ଚିନ୍ତା ବଢାଇଲାଣି ରାଜଧାନୀର କେତେକ ଫ୍ଲାଏ ଓଭରବ୍ରିଜ । ଦୁର୍ଘଟଣାରେ ବାରମ୍ବାର ଧନଜୀବନ ହାନି ସହରବାସୀଙ୍କ ଭୟ ବଢାଇଛି । ଏଭଳି ସ୍ଥିତିରେ ଗତ ୫ବର୍ଷ ପୂର୍ବେ  ନିର୍ମାଣ ହୋଇଥିବା ବମିଖାଲ ରେଲୱେ ଓଭରବ୍ରିଜ ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ଲକ୍ଷ୍ୟରୁ ବହୁ ଦୂରରେ ରହିଛି । ସେ ସମୟରେ ବିଭାଗୀୟ  ଯନ୍ତ୍ରୀଙ୍କ ଦୁରଦୃଷ୍ଟି ଅଭାବ ଓ ଟ୍ରାଫିକ ପରିଚାଳନା ବାବଦରେ ସୁଚିନ୍ତିତ  ମତାମତ ଅଭାବ ଏବେ ବ୍ରିଜ ବ୍ୟବହାର କରୁଥିବା ଗାଡିଚାଳକ, ପଥଚାରୀ ଓ ଅଂଚଳବାସୀଙ୍କ ପାଇଁ ବୋଝ ସଦୃଶ ହୋଇଛି ।  

ସୂଚନା ଥାଉ କି, ରସୁଲଗଡ-ସାମନ୍ତରାପୁର ରାସ୍ତାରେ ଅତ୍ୟଧିକ ଯାନବାହନ ଚଳାଚଳ ସମସ୍ୟା ସୃଷ୍ଟି କରିଛି । ଏଥିସହ  ଭାରୀଯାନ ସାଙ୍ଗକୁ ଯାତ୍ରୀବାହୀ ବସ୍‌ ଅଧିକ ବିପଦ ସୃଷ୍ଟି କରୁଛି ।  କେତେକ ସ୍ଥାନରେ ସଙ୍କୁଚିତ ରାସ୍ତାରେ କ୍ରମାଗତ ଦୁର୍ଘଟଣା  ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବ୍ରିଜ ନିର୍ମାଣ ପାଇଁ ପରିକଳ୍ପନା  ହୋଇଥିଲା । ୪୪କୋଟି ଟଙ୍କା ବ୍ୟୟରେ ରସୁଲଗଡ–ବମିଖାଲ  ମଧ୍ୟରେ ଏହି ବ୍ରିଜ ତିଆରି ପରେ ଏବେ ଏହା ଲୋକଙ୍କ ପାଇଁ  ସେତେଟା ବ୍ୟବହାର ଉପଯୋଗୀ ହୋଇପାରୁନି । ଏହା ଅତ୍ୟନ୍ତ  ସଙ୍କୁଚିତ ହେବା ଓ ବିଭିନ୍ନ ଦିଗକୁ ଗତି ସମ୍ବନ୍ଧରେ ସହଜେ  ଜାଣିବା ସମ୍ଭବ ନ ହେବା ଏଠାରେ ଗାଡି ଚଳାଚଳ କମିବାର  ପ୍ରମୁଖ କାରଣ ବୋଲି କୁହାଯାଇଛି । ଯଦ୍ୱାରା ଅନେକ ସମୟରେ ଚାଳକ ବାଟବଣା ହେବା ସହ ଦୁର୍ଘଟଣାର ଶିକାର ହୋଇ ଆହତ  ଓ ମୃତ୍ୟୁମୁଖରେ ପଡିବା ଏକାଧିକ ନଜୀର ରହିଛି । ଏଭଳି  ତ୍ରୁଟିପୂର୍ଣ୍ଣ ବ୍ରିଜ ନିର୍ମାଣ ନେଇ ସବୁସମୟରେ ଲୋକଙ୍କ ମଧ୍ୟରେ  ଦୀର୍ଘଦିନରୁ ଅସନ୍ତୋଷ ଲାଗିରହିଛି । ତେବେ କିଛିଟା ତ୍ରୃଟି  ସୁଧାରିବା ପାଇଁ କମିଶନରେଟ ଟ୍ରାଫିକ ଓ ପୂର୍ତ୍ତ ବିଭାଗ ପକ୍ଷରୁ  ପୂର୍ବରୁ ଉଦ୍ୟମ ହୋଇଛି । 

ଏକତରଫା ରାସ୍ତାରେ ରଙ୍ଗସାଇଡ  ଡ୍ରାଇଭିଂ ବନ୍ଦ ପାଇଁ ସ୍ଥାନୀୟ ପୁଲିସ ଓ ଟ୍ରାଫିକ ଅଧିକାରୀଙ୍କ ପକ୍ଷରୁ  ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଲୋକେ ନିର୍ମାଣକାରୀ ସଂସ୍ଥା ଓ  ବିଭାଗର ଦୋଷ ଦର୍ଶାଇ ଏହାକୁ ବିରୋଧ କରିଥିଲେ । ଏପରିକି  ରସୁଲଗଡରୁ ଝାରପଡା ଓଭରବ୍ରିଜ ପଟରୁ ଆସୁଥିବା ଯାନବାହାନ  ଗୁଡିକର ଶୃଙ୍ଖଳିତ ଯାତାୟତ ପାଇଁ ବ୍ରିଜ ଶେଷମୁଣ୍ଡରେ ଏକ  ଗୋଲେଇ ତିଆରି ପାଇଁ ଉଭୟ ବିଭାଗ ନିଷ୍ପତି ନେଇଥିଲେ ।  ଏଥିସହ ସହ ବ୍ରିଜ ମଝିଛକରେ ଚାଳକଙ୍କୁ ବାଟ କଢାଇବା ପାଇଁ  ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା । କିନ୍ତୁ ମାତ୍ର କିଛିଦିନ ପରେ  ସବୁକିଛି ଶୀଥିଳ ହୋଇପଡିଛି । ଫଳରେ ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହେଉଛି । ରସୁଲଗଡ ଛକରେ ଟ୍ରାଫିକ ଜାମ  ସମସ୍ୟା ଉପୁଜିଲେ ବ୍ରିଜ ଉପର ରାସ୍ତା ଚାଳକଙ୍କୁ ନାକେଦମ  କରୁଛି । ପୁର୍ନବାର କେଉଁ ପଦକ୍ଷେପ ନିଆଗଲେ ବ୍ରିଜରେ ଗାଡି  ଯାତାୟତ ସହଜ ହେବ ସେ ନେଇ ପୁର୍ତ୍ତ ଓ ଟ୍ରାଫିକ କର୍ତ୍ତୃପକ୍ଷ  ତତ୍ପରତା ଦେଖାଇବା ଜରୁରୀ ବୋଲି ଲୋକେ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.