ଦାରିଙ୍ଗବାଡି,୨୨/୦୨: ଜନ ପ୍ରତିନିଧି ହୋଇ ଲୋକଙ୍କୁ ସେବା ଯୋଗାଉଥିବା ସରପଞ୍ଚ ନିଜ ଜମିରେ ବିଭିନ୍ନ ପନିପରିବା ଓ ଷ୍ଟ୍ରବେରି ଚାଷ କରି ଚର୍ଚ୍ଚାରେ। ଖାଲି ଯେ ନିଜେ ପରିଶ୍ରମ କରୁଛନ୍ତି ତାହା ନୁହେଁ ବରଂ ଗାଁର ଅନେକ ମହିଳା ଓ ପୁରୁଷଙ୍କୁ କାମ ଯୋଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଚାଷ କରିବା ପାଇଁ ପ୍ରେରଣା ଯୋଗାଉଛନ୍ତି । ଆଉ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗିବାଡି ବ୍ଲକ ପ୍ଲିହେରୀ ପଞ୍ଚାୟତରେ।
ପ୍ଲିହେରୀ ପଞ୍ଚାୟତର ସରପଞ୍ଚ ପାଉଲ ପ୍ରଧାନ କେତେବେଳେ ଲୋକଙ୍କର ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ବୁଝି ସେମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ତ ଆଉ କେତେବେଳେ ଜମିରେ କୋଦାଳ ଧରି କାମ କରି ସୁନାର ଫସଲ ଅମଳ କରୁଛନ୍ତି। ପାଉଲ ପ୍ରଧାନ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସରପଞ୍ଚ ହେଲେ ମଧ୍ୟ ନିଜ ଜମିରେ ବିଭିନ୍ନ ପନିପରିବା ଚାଷ କରିବାକୁ ପଛାଇ ନାହାନ୍ତି । ପାଉଲ ପ୍ରଧାନ ଲୋକଙ୍କୁ ସେବା କରିବା ସହ ବିଭିନ୍ନ ପନିପରିବା ଚାଷ କରନ୍ତି। ପନିପରିବା ଚାଷ କରିବା ପାଇଁ ପତ୍ନୀ ତିମତି ପ୍ରଧାନ ସ୍ବାମୀଙ୍କୁ ସହଯୋଗ କରନ୍ତି । ସକାଳ ପାଇ ଗଲେ ନିଜ ଚାଷ ଜମିରେ ପହଞ୍ଚି ଯାଆନ୍ତି ପାଉଲ । ନିଜ ଜମିରେ କିଛି ଘଣ୍ଟା ଖଟିବା ପରେ ବାହାରି ଯାଆନ୍ତି ଲୋକଙ୍କ ସେବା କରିବା ପାଇଁ ।
ଅଧା ସମୟ ଚାଷ ରେ କାଟିଦେଉଥିବା ବେଳେ ଅଧା ସମୟ ଲୋକଙ୍କ ସେବା ପାଇଁ ସମର୍ପି ଦିଅନ୍ତି । ଏମିତିରେ କଟିଯାଏ ଦିନ । ପାଉଲ ପ୍ରଥମେ ନିଜର କିଛି ଜମିରେ ବନ୍ଧା କୋବି, ଫୁଲ କୋବି, ଆମ୍ବ, ଆଳୁ ,ଲେମ୍ଭୁ ,ପାମଅଏଲ୍ ସହ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ସେଠୁ ସଫଳ ହେବା ପରେ ଚଳିତ ବର୍ଷ ପନିପରିବା ଚାଷ ସହ ଏକରଟେ ଜମିରେ ଷ୍ଟ୍ରବେରି ଚାଷ କରିଛନ୍ତି। ଜମିରେ ଫଳୁଛି ଭଳିକି ଭଳି ପନିପରିବା ସହ ଲାଲ ଟହ ଟହ ଷ୍ଟ୍ରବେରି । ଦେଖିଲେ ଆଖି ଲାଖି ଯାଉଛି। ଆଉ ଏହି ସବୁ ପନିପରିବା ସହ ଷ୍ଟ୍ରବେରି ନେବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ । କିଛି ବ୍ୟବସାୟୀ ମାନେ ଚାଷ ଜମିକୁ ଆସି ଏସବୁ ନେଉଥିବା ବେଳେ ଆଉ କିଛି ଜିଲ୍ଲା ବାହାରକୁ ମଧ୍ୟ ପଠାଉଛନ୍ତି । ଏପରିକି ଦାରିଙ୍ଗବାଡି ବଜାର ରେ ମଧ୍ୟ କିଛି ବିକ୍ରି କରାଯାଉଛି । ଏଭଳି ଭାବେ ନିଜସ୍ବ ପରିଶ୍ରମରେ ପନିପରିବା ଏବଂ ଷ୍ଟ୍ରବେରି ଚାଷ କରି ଲକ୍ଷାଧିକ ଟଙ୍କାର ଲାଭବାନ ହେଉଥିବା କହିଛନ୍ତି ପାଉଲ । କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର । ଏହି ଉକ୍ତିଟି ଶୁଣିଲେ ଲାଗୁଛି ସତରେ ଚାଷ କାମ କରି ଆଜି ବେଶ୍ ଖୁସି ଅଛନ୍ତି ପ୍ଲିହେରି ସରପଞ୍ଚ ପାଉଲ ପ୍ରଧାନ ।