ବଲାଙ୍ଗିର, ୨୧/୦୨: ତିନି ମାସ ଧରି ଦରମା ନ ମିଳିବାରୁ ମଜୁରି ଖଟିବାକୁ ଦିନକ ପାଇଁ ଛୁଟି ମାଗିଥିଲେ ଶିକ୍ଷକ। ପର ଜମିରେ ମୂଲ ଲାଗିଲେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ (ଏକ୍ସ-କ୍ୟାଡର) ପ୍ରଭୁଦତ୍ତ ସାହୁ । ୩୦୦ ଟଙ୍କା ମଜୁରିରେ ସେ ଚାଷୀ ଲକ୍ଷ୍ମୀକାନ୍ତ ପଧାନଙ୍କ ଜମିରେ କାମ କରିଛନ୍ତି । ଦିନତମାମ ଜମିରୁ ଘାସ ବାଛିବା, ପାଣିଦେବା ଭଳି କାର୍ଯ୍ୟ କରିଛନ୍ତି । ଦରମା ନ ମିଳିଲେ ପରିବାର ଚଳାଇବା ପାଇଁ ଆଗକୁ ମଧ୍ୟ ଏଭଳି ଛୁଟି ନେଇ କାମ କରିବେ । ତା’ ଭିତରେ କୌଣସି ଆଦେଶ ଦେଲେ ବି ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି ଶିକ୍ଷକ ଶ୍ରୀ ସାହୁ କହିଛନ୍ତି । ଅପରପକ୍ଷେ, ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା କୁହାଯାଉଛି । ହେଲେ ଏ ନେଇ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନାଯୋଗ୍ୟ, ପୁଇଁନ୍ତଳା ବ୍ଲକର ୭୨ଜଣ ଏକ୍ସ-କ୍ୟାଡର ଶିକ୍ଷକଙ୍କୁ ୩ମାସ ହେଲା ଦରମା ମିଳିନାହିଁ । ସମ୍ପୃକ୍ତ ଶିକ୍ଷକଙ୍କୁ ଡିଜି-ଗଭ୍ ଆକାଉଣ୍ଟ ମାଧ୍ୟମରେ ବିଇଓଙ୍କ ଜରିଆରେ ବେତନ ମିଳିଥାଏ । ବିଇଓଙ୍କ କାର୍ଯ୍ୟାଳୟରେ ବୈଷୟିକ ତ୍ରୁଟି ଏବଂ ଅବ୍ୟବସ୍ଥା କାରଣରୁ ଦରମା ପ୍ରଦାନ ବିଳମ୍ବିତ ହୋଇଛି । ଏ ସମ୍ପର୍କରେ ଶିକ୍ଷକମାନେ ବିଇଓଙ୍କୁ ଭେଟି ଦାବି ଜଣାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନ ଥିଲା । ସବୁଆଡୁ ନିରାଶ ହେବା ପରେ ଗତ ବୁଧବାର ଶିକ୍ଷକ ଶ୍ରୀ ସାହୁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖି ଛୁଟି ମାଗିଥିଲେ । ଦରମା ମିଳୁ ନ ଥିବାରୁ ତାଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ତେଣୁ ଗୁରୁବାର (୨୦ ତାରିଖ) ଦିନକ ପାଇଁ ମଜୁରି ଖଟିବାକୁ ଚାହୁଁଛନ୍ତି ଓ ଏଥିଲାଗି ସ୍କୁଲରେ ଅନୁପସ୍ଥିତ ରହିବେ ବୋଲି ଦରଖାସ୍ତରେ ଉଲ୍ଲେଖ କରିଥିଲେ । ପ୍ରଧାନଶିକ୍ଷକ ଛୁଟି ମଞ୍ଜୁର ପରେ ଗୁରୁବାର ସେ ପରଜମିରେ ମୂଲ ଲାଗିଛନ୍ତି । ଏଭଳି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।