ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦୁଇ ବର୍ଷ ତଳର ଫଟୋ ଦେଖି ଏବେ କାର୍ଯ୍ୟାନୁଷ୍ଠାନ; ନିଲମ୍ବନ ପରେ ଚାରିଆଡୁ ଅସନ୍ତୋଷର ନିଆଁ

Published By : Prameya | February 20, 2025 10:55 PM

ନୀଳଗିରି,୨୦/୨ : ନିଜକୁ ଜଣେ ଦକ୍ଷ ଓ ଶକ୍ତ ଅଧିକାରୀ ବୋଲି ପ୍ରମାଣିତ କରିବାକୁ ଯାଇ ଆଜି ସାରା ରାଜ୍ୟରେ ନିନ୍ଦିତ ହେବାକୁ ପଡିଛି ଜଣେ ବ୍ଲକ ଶିକ୍ଷାଅଧିକାରୀଙ୍କୁ । ଦୁଇ ବର୍ଷ ତଳର ଫଟୋକୁ କିଛି କୁଚକ୍ରାନ୍ତକାରୀଙ୍କଠାରୁ ଅଭିଯୋଗ ପାଇ ଜଣେ ଶିକ୍ଷକଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ଈଶ୍ୱରପୁର ପଂଚାୟତ ରେ ଘଟିଛି।ସୂଚନାଯୋଗ୍ୟ ଔପଦା ବ୍ଲକ ଅଧିନ ଈଶ୍ୱରପୁର ପଂଚାୟତ ତରରୁଆ ଗ୍ରାମର ପ୍ରଶାନ୍ତ କୁମାର ଜେନା ଅଣ୍ଡରା ନୋଡାଲ ୟୁପି ସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।ତାଙ୍କର ପାଠପଢା ପାଇଁ ଅଞ୍ଚଳର ସୁନାମ ରହିଛି।

ହେଲେ କିଛି କୁଚକ୍ରାନ୍ତର ଶିକାର ହୋଇ ତାଙ୍କୁ ଆଜି ଚାକିରୀରୁ ନିଲମ୍ବିତ ହେବାକୁ ପଡିବା ସହ ନିଜର ସ୍ୱାଭିମାନ ଉପରେ ମଧ୍ୟ ଆଞ୍ଚ ଆସିଛି।ଦୁଇବର୍ଷ ତଳେ ତାଙ୍କର ସାନଝିଅ ଯାହାର ବୟସ ଦୁଇବର୍ଷ ଥିଲା ତାଙ୍କୁ ଘରୁ ନେଇ ସ୍କୁଲକୁ ଯାଇଥିଲେ।ଝିଅଟି ଶୋଇପଡିବାରୁ ତାଙ୍କୁ କୋଡ଼ରେ ବସାଇ ପାଠ ପଢାଉଥିଲେ।ଏପରିକି ସ୍କୁଲ ପରେ ସେ ଛାତ୍ରଛାତ୍ରୀଙ୍କୁ ସେଠାରେ ରହି ଶିକ୍ଷାଦାନ ମଧ୍ୟ କରୁଥିଲେ।ଖରାଦିନେ କ୍ଲାସ ପରେ ମଧ୍ୟ ସେହିଠାରେ ଶୋଇ ପଡୁଥିଲେ।ହେଲେ କେହି ଜଣେ ତାଙ୍କ ଅଜାଣତରେ ଫଟୋ ଉଠାଇ ରଖିଥିଲେ।ଏବେ ଔପଦା ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ଅଧିକାରୀ ନାରାୟଣ ଦାସ ତାଙ୍କୁ ନିଲମ୍ବିତ କରିବା ସହ ଧୀମପୁରା ପ୍ରାଇମେରୀ ସ୍କୁଲରେ ଅଵସ୍ଥାପିତ କରିଥିଲେ।ଏପରିକି ଅଧା ଦରମା ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶ ରହିଥିଲା।ଏହା ଗତ ଜାନୁଆରୀ ମାସ ୨୦ ତାରିଖରେ ଏଭଳି ନିର୍ଦେଶନାମା ଦେଇଥିଲେ।ନିଲମ୍ବିତ ଶିକ୍ଷକ ଜଣକ ନିଜର ଭାଗ୍ୟକୁ ଆଦରି ଉପରିସ୍ଥ ଅଧିକାରୀଙ୍କୁ ଭୟରେ କିଛି ନକହି ନିର୍ଦେଶକୁ ପାଳନ କରିଥିଲେ।ହେଲେ ଏହି ଘଟଣାର ସାଂଘାତିକ ତଥ୍ୟ ପଦାକୁ ଆସିଛି।ତତ୍କାଳୀନ କିଛି ଶିକ୍ଷକ ବିଦ୍ୟାଳୟରେ ନିୟମ ଭାଙ୍ଗିବା ଗ୍ରାମବାସୀ କହିଛନ୍ତି।ଯେଉଁ ଦୁଇବର୍ଷର ପିଲାକୁ କୋଳରେ ଧରିଛନ୍ତି ସେ ଝିଅକୁ ଏବେ ୪ବର୍ଷ ହେଲାଣି।

ଦୁଇ ବର୍ଷର ଫଟୋ ଦେଖି କେଉଁ ସ୍ୱାର୍ଥରେ ବିଇଓ ଅଭିଯୋଗ ପାଇଁ ନିଲମ୍ବିତ କଲେ ତାହା ତଦନ୍ତ ସାପେକ୍ଷ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।ସେହିପରି ଶିକ୍ଷକଙ୍କ ପିତା ଜଣେ ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ପୁଅର ସମ୍ମାନହାନି କରି ଏଭଳି ଦଣ୍ଡ ବିଧାନ ଗ୍ରହଣୀୟ ନୁହଁ ବୋଲି କହିଛନ୍ତି।ଏବେ ପୁଅ ଭୟଭୀତ ହୋଇପଡିଥିବା ବେଳେ ନିର୍ଦୋଷ ହୋଇ ଏଭଳି କାର୍ଯ୍ୟନୁଷ୍ଠାନ କୁ ମଥାପାତି ସହିନେଇଥିବା କହିଛନ୍ତି।ସେହିଭଳି ଗ୍ରାମବାସୀ,ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ ମଧ୍ୟ ଶିକ୍ଷକଙ୍କ ସପକ୍ଷରେ ବାହାରିଛନ୍ତି। ଦରକାର ପଡିଲେ ଜିଲ୍ଲାପାଳଙ୍କୁ ଭେଟି ବିଇଓ ଙ୍କ ଦୁଇବର୍ଷର ଫଟୋ ଦେଖି ଆକ୍ରୋଶ ମୂଳକ ଏଭଳି କାର୍ଯ୍ୟନୁଷ୍ଠାନ କେଉଁ ସ୍ୱାର୍ଥରେ ବୋଲି ପଚାରି ନ୍ୟାୟ ମାଗିବେ ବୋଲି ଜଣାପଡିଛି। 

ସେପଟେ ବିଇଓ ନାରାୟଣ ଦାସ ଙ୍କ ମତାମତ ନେବାରୁ ମୁଁ କିପରି ଜାଣିବି ଏହି ଫଟୋ ପୁରୁଣା ବୋଲି ଅଭିଯୋଗ ପାଇଁ ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେଲି ବୋଲି କହିଛନ୍ତି।ତେବେ ଏଭଳି ଘଟଣା ପ୍ରଘଟ ପରେ ସାରା ରାଜ୍ୟରେ ସାମାଜିକ ଗଣମାଧ୍ୟମରେ ସମୃକ୍ତ ଅଧିକାରୀଙ୍କୁ ବେଶ ବର୍ଷିଥିବା ଜଣାପଡିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.