କେନ୍ଦୁଝର ,୨୧/୦୨: ଅଙ୍ଗନବାଡ଼ି ତାଜାରୁ ଖସିଲା ସିମେଣ୍ଟ ଖଣ୍ଡ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ତେବେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ଅଙ୍ଗନୱାଡିରୁ ସାମ୍ନାକୁ ଆସିଛି ଏହି ଖବର । ଆଜି ସକାଳ ସାଢେ ୯ଟା ବେଳେ ସଫା ସୁତୁରା ସମୟରେ ଉପରୁ ସିମେଣ୍ଟ ଖଣ୍ଡ ଖସିପଡିବା ସହ ଲୁହାଛଡ଼ ବାହାରି ଯାଇଥିଲା । ସୌଭାଗ୍ଯବଶତଃ ସେତେବେଳେ ପିଲାମାନେ ଅଙ୍ଗନୱାଡି ଆସିଥିଲେ ବି ମମତା ଗୃହରେ ଥିବାରୁ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତି ଯାଇଛନ୍ତି।
ଏହା ମଧ୍ୟ ପଢନ୍ତୁ- ଚଳନ୍ତା ବସ୍ରୁ ବାହାରିଲା ଧୂଆଁ, ଅଳ୍ପକେ ବର୍ତ୍ତିଲେ ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ
ତେବେ ୧୯୯୯ ମସିହା ଠାରୁ ସେଠାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇଛି । ଆଜିକୁ ୨୫ବର୍ଷ ହେଲାଣି ଘର ଚଟାଣ ଭାଙ୍ଗି ରୁଜି ଯାଇଥିବାବେଳେ ଛାତ ଏବଂ ତାଜା କାନ୍ଥ ଭାଙ୍ଗି ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିଲା। ଏହି ସମସ୍ୟା ବିଷୟରେ ଅଙ୍ଗନୱାଡି ପାଚିକା ନିଲୁମଣି ମହାକୁଡଙ୍କୁ ପଚାରିବାରୁ ନୂତନ ଗୃହ ନିର୍ମାଣ କରିବା ପାଇଁ ସଦର ବିଡିଓଙ୍କୁ ଅଭିଯୋଗ କରିଛୁ ବୋଲି କହିଛନ୍ତି । ମାତ୍ର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ପିଲାମାନଙ୍କ ପ୍ରତି ବିପଦ ରହିଥିବା ଅଭିଯୋଗ କରିଥିଲେ । ଆଜି ତାଜା ଖସିବା ପରେ ୩୮ଜଣ ଶିଶୁ ନିକଟରେ ଥିବା ମମତା ଗୃହରେ ବସି ପାଠ ପଢୁଛନ୍ତି ।ଏହାଛଡା ପିଲାମାନଙ୍କ ସୁରକ୍ଷା ପାଇଁ ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ କରାଯାଇନାହିଁ । କେବଳ ବିଦ୍ୟାଳୟ ସମ୍ମୁଖରେ ଅଳ୍ପ ତାର ବାଡ ଦିଆଯାଇଥିବାରୁ କୁକୁର ଗାଈ ଛେଳି ପଶୁ ପକ୍ଷୀ ଭିତରକୁ ପ୍ରବେଶ କରୁଛନ୍ତି । ଅଙ୍ଗନୱାଡି ଏବଂ ପ୍ରାଥମିକ ବିଦ୍ୟାଳୟ ଦ୍ୱୟ ଲାଗି ରହିଥିବାବେଳେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ନୂତନ ଅଙ୍ଗୱାଡି ଗୃହ ନିର୍ମାଣ ସହିତ ପାଚେରୀ ନିର୍ମାଣ କରିବାକୁ ଦାବି ହୋଇଛି । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି ତୁରନ୍ତ ପିଲାମାନଙ୍କୁ ଅନ୍ୟ ସ୍ଥାନରେ ପାଠପଢା ଯିବ ଓ ଆଉ ଏକ ନୂତନ ଗୃହ ନିର୍ମାଣ କରାଯିବ ।