ଭୁବନେଶ୍ୱର,୨୨/୦୨ : ରାଜ୍ୟରେ ବୈଦ୍ୟୁତିକ ଯାନ (ଇଭି) ସଂଖ୍ୟା ୧ ଲକ୍ଷ ୫୭ ହଜାର ୮୧ରେ ପହଞ୍ଚିଲାଣି । ୨୦୧୬ରେ ମାତ୍ର ୨୦୯ଟି ଇଭି ବିକ୍ରି ହୋଇଥିବା ବେଳେ ୨୦୨୪ରେ ବିକ୍ରୟ ସଂଖ୍ୟା ୬୫ ହଜାର ୯୭୦ରେ ପହଞ୍ଚିଲାଣି । କିନ୍ତୁ ଇଭିକୁ ଇନ୍ଧନ ଯୋଗାଇବାରେ ସରକାର ଫେଲ୍ ମାରିଛନ୍ତି । ପ୍ରାୟ ଦେଢ଼ ହଜାର ଇଭି ପାଇଁ ମାତ୍ର ଗୋଟିଏ ଚାର୍ଜିଂ ଷ୍ଟେସନ ଖୋଲା ହୋଇଛି । ଖୋଦ୍ ରାଜ୍ୟ ସରକାରଙ୍କ ତଥ୍ୟରୁ ଇଭିର ଦୁର୍ବଳ ଭିତ୍ତିଭୂମି ପଦାକୁ ଆସିଛି ।
ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ, ସର୍ବାଧିକ ୪୧ ହଜାର ୯୮୨ଟି ଇଭି ଖୋର୍ଦ୍ଧାରେ ପଞ୍ଜିକୃତ ହୋଇଛି । ୩୬ ହଜାର ୫୬୭ଟି ଦୁଇଚକିଆ, ୨୧୯୧ଟି ତିନି ଚକିଆ, ୧୩୨ଟି ଚାରି ଚକିଆ ବ୍ୟାଟେରୀ ଚାଳିତ ଯାନ ଏହି ଜିଲ୍ଲାରେ ଗଡୁଛି । କିନ୍ତୁ ଏହି ଜିଲ୍ଲା ପାଇଁ ମାତ୍ର ୨୧ଟି ଚାର୍ଜିଂ ଷ୍ଟେସନ ଅଛି । ଜିଭାହ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଏସବୁ ଚାର୍ଜିଂ ଷ୍ଟେସନ ବସାଇବାକୁ ପରିବହନ ବିଭାଗଠାରୁ ଅନୁମତି ନେଇଛି । ତା’ ତଳକୁ କଟକରେ ୧୮ ହଜାର ୯୦୪ଟି, ପୁରୀରେ ୧୦ ହଜାର ୩୩୬ଟି, ସୁନ୍ଦରଗଡ଼ରେ ୯,୮୦୨ଟି ଓ ବାଲେଶ୍ୱରରେ ୯,୨୪୮ଟି ଇଭି ପଞ୍ଜିକରଣ କରାଯାଇଛି । ୧୯ଟି ଜିଲ୍ଲା ଚାରିଚକିଆ ଇଭି ଶୂନ । ୫ଟି ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଚାରିଚକିଆ ଇଭି ପଞ୍ଜିକୃତ ହୋଇଛି । ୮ ଜିଲ୍ଲା ଏମିତି ଅଛି, ଯେଉଁଠି ଇଭି ସଂଖ୍ୟା ହଜାରେ ବି ଟପିନି ।
ସରକାରୀ ତଥ୍ୟକୁ ତର୍ଜମା କଲେ, ୨୦୨୨ ମସିହା ପରଠୁ ଇଭି ବିକ୍ରି ଗ୍ରାଫ୍ ଅଚାନକ ଉପରମୁହାଁ ହୋଇଛି । ୨୦୨୨ରେ ମୋଟ ୨୮ ହଜାର ୪୪୬ଟି ଓ ୨୦୨୩ରେ ୪୪ ହଜାର ୫୪୯ଟି ଇଭି କିଣିଛନ୍ତି ଓଡି଼ଶାବାସୀ । ଏମିତି ନୁହେଁ ଯେ, ସରକାର ବୈଦ୍ୟୁତିକ ଯାନର ବହୁଳ ପ୍ରସାରଣ ପାଇଁ କିଛି ପଦକ୍ଷେପ ନେଉନାହାନ୍ତି । ବୈଦ୍ୟୁତିକ ଯାନ ନିୟମ ୨୦୧୧ ଅନୁସାରେ କ୍ରେତାମାନଙ୍କୁ ସବ୍ସିଡି ଦିଆଯାଉଛି । ଏହି ମୋଟରଯାନ ପାଇଁ ଟିକସକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି । କିନ୍ତୁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଚାର୍ଜିଂ ଷ୍ଟେସନ ନାହିଁ । ରାଜଧାନୀକୁ ବାଦ୍ ଦେଲେ, ୩୮ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ସମେତ ୨୩ଟି ଟ୍ରକ ଟର୍ମିନାଲ ଓ ଅନ୍ୟାନ୍ୟ ଜାଗାରେ ୧୮ଟି ଚାର୍ଜିଂଷ୍ଟେସନ ଅଛି । ଇଭି କିଣିବା ପୂର୍ବରୁ ଗ୍ରାହକମାନେ ଦୁଇଥର ଭାବିବାକୁ ବାଧ୍ୟ ହେଉଛନ୍ତି ।
ଜାତୀୟ ସଡ଼କ ସୁରକ୍ଷା ପରିଷଦ ପୂର୍ବତନ ସଦସ୍ୟ ସୟେଦ ମକବୁଲ ଅଲ୍ଲୀଙ୍କ କହିବା ମୁତାବକ, ସ୍କୁଟରଗୁଡି଼କ ଘରେ ଚାର୍ଜ ହୋଇଯାଉଛି । କିନ୍ତୁ ଚାରିଚକିଆ ଗାଡି଼ ପାଇଁ ଚାର୍ଜିଂ ଷ୍ଟେସନ ଦରକାର । ଗୋଟିଏ ଚାର୍ଜିଂ ଷ୍ଟେସନରେ ଅତିକମ୍ରେ ୧୦ରୁ ଅଧିକ ଚାର୍ଜିଂ ପଏଣ୍ଟ ରହିଲେ, ଇଭିର ଇନ୍ଧନ ସମସ୍ୟା ଦୂରେଇ ପାରିବ । ସବୁ ରାଜ୍ୟ ଓ ଜାତୀୟ ରାଜପଥର ୪୦-୫୦ କିମି ବ୍ୟବଧାନରେ ଗୋଟିଏ ଲେଖାଏଁ ଚାର୍ଜିଂ ପଏଣ୍ଟ ନିର୍ମାଣ ହେଉ । ଏହାସହ ପାର୍କିଂ ସ୍ଥଳ ଓ ଶୌଚାଳୟ ରହୁ । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ ସିଙ୍ଗାପୁର ଭଳି ସହରରେ ବ୍ୟାଟେରି ସ୍ୱାଇପିଂ ଷ୍ଟେସନ ରହୁଛି । ଗାଡି଼ ଚାଳକମାନେ ଖାଲି ବ୍ୟାଟେରିକୁ ବ୍ୟାଟେରି ଷ୍ଟେସନ କର୍ମଚାରୀଙ୍କୁ ଧରାଉଛନ୍ତି । ମାତ୍ର ୫ ମିନିଟ୍ରେ ସ୍ପେୟାର ବ୍ୟାଟେରିକୁ ଗାଡି଼ରେ ସଂଯୋଗ କରି ପାରୁଛନ୍ତି । ବ୍ୟାଟେରି ସ୍ୱାଇପିଂ ହେଉଥିବା ଇଭି ବିକାଯିବା ସହ ଏହି ବ୍ୟବସ୍ଥା ରାଜ୍ୟରେ ଲାଗୁ ହେବା ଉଚିତ୍ ।
ଏହି ଖବରଟିକୁ ପଢନ୍ତୁ-ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ମାର୍ଚ୍ଚ ୭ରୁ ଦ୍ୱିତୀୟ ପର୍ଯ୍ୟାୟ