ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଚାମ୍ପିଅନ୍ସ ଟ୍ରଫି; ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍, ଜାଣନ୍ତୁ କାହା ପଲ୍ଲା ଭାରି

Published By : Ankita S | February 22, 2025 9:56 AM

ଲାହୋର, ୨୨/୦୨: ଦିନକୁ ଦିନ ରୋମାଞ୍ଚକର ହେଉଛି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଗ୍ରୁପ୍‌ ବି’ରେ ଆଜି (ଶନିବାର) ଦୁଇ ପାୱାର ହାଉସ୍‌ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ଉଭୟ ଦଳ ଏଥର ଟାଇଟଲ ଦାବିଦାର ରହିଛନ୍ତି । ତେଣୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ । ପାକିସ୍ତାନ ଆସିବା ପୂର୍ବରୁ ଉଭୟ ଉପମହାଦେଶରେ କିଛି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ପ୍ରସ୍ତୁତି କରିଛନ୍ତି ।

ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଇଂଲଣ୍ଡ ଦଳ ଭାରତରେ ଦିନିକିଆ ସିରିଜ ପରାଜିତ ହୋଇ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିଛି । ପାକିସ୍ତାନ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ମଧ୍ୟ ଶ୍ରୀଲଙ୍କାରେ ୨ଟି ଯାକ ଦିନିକିଆ ପରାଜିତ ହୋଇଥିଲା । ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଦଳ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ଇଂଲଣ୍ଡ ୩ଟି ଓ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍‌ ଜିତିଛନ୍ତି । ଇଂଲଣ୍ଡ ଦଳ ଶ୍ରେଷ୍ଠ ଏକାଦଶ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ମାତ୍ର ଅଷ୍ଟ୍ରେଲିଆ ଦଳରେ ବହୁ ଖେଳାଳି ଅନୁପସ୍ଥିତ ରହିଛନ୍ତି । ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ଦଳର ସଦସ୍ୟ ପ୍ୟାଟ୍‌ କମିନ୍ସ, ମିଚେଲ ମାର୍ଶ, ଜୋସ ହାଜେଲଉଡ୍‌, କାମେରନ ଗ୍ରୀନ ପ୍ରମୁଖ ଆହତ ହୋଇ ବାଦ ପଡ଼ିଛନ୍ତି । 

ସେହିପରି ମାର୍କସ ଷ୍ଟଇନିସ୍‌ ଦିନିକିଆରୁ ହଠାତ୍‌ ଅବସର ଘୋଷଣା କରିଥିବାବେଳେ ମିଚେଲ ଷ୍ଟାର୍କ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯିବା ସମସ୍ତଙ୍କୁ ଚକିତ କରିଥିଲା । ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ରୂପେ ଏକ ଯୁବ ତଥା ଅନଭିଜ୍ଞ ପେସ୍‌ ବାହିନୀ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଆଡାମ ଜାମ୍ପା ଏକମାତ୍ର ସ୍ପିନର ଭାବେ ଖେଳିବେ । ଆବଶ୍ୟକ ପଡ଼ିଲେ ତାଙ୍କୁ ଗ୍ଲେନ ମ୍ୟାକ୍ସୱେଲ୍‌ ଓ ଟ୍ରେଭିସ ହେଡ୍‌ ସ୍ପିନ ବୋଲିଂରେ ସହାୟତା କରିପାରିବେ । ଇଂଲଣ୍ଡ ୨ଦିନ ପୂର୍ବରୁ ଏକାଦଶ ଘୋଷଣା କରିସାରିଛି । ଭାରତ ଗସ୍ତରେ ଆହତ ହୋଇଥିବା ଜାମି ସ୍ମିଥ୍‌ ଫିଟ୍‌ ହୋଇ ଏକାଦଶକୁ ଫେରିଛନ୍ତି । ସେ ଆଜି ୱିକେଟ୍‌ କିପର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବ୍ୟାଟିଂ ଅର୍ଡରରେ ସାମାନ୍ୟ ପରିବର୍ତ୍ତନ କରିବ । ସ୍ମିଥ୍‌ଙ୍କୁ ୩ନଂ ସ୍ଥାନରେ ଖେଳାଇବାକୁ ଟିମ୍‌ ମ୍ୟାନେଜମେଣ୍ଟ ଯୋଜନା କରୁଛି । ଫଳରେ ଜୋ ରୁଟ୍‌ ୪, ହ୍ୟାରୀ ବ୍ରୁକ୍‌ ୫, ବଟଲର ୬ ଓ ଲିଭିଙ୍ଗଷ୍ଟୋନ ୭ନଂ ସ୍ଥାନରେ ବ୍ୟାଟିଂ କରିପାରିବେ । 

ଇଂଲଣ୍ଡ ପକ୍ଷରୁ ହ୍ୟାରୀ ବ୍ରୁକ୍‌ଙ୍କ ଉପରେ ନଜର ରହିବ । ସେ ଗତ ଭାରତ ଗସ୍ତରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ମାତ୍ର ପାକିସ୍ତାନରେ ତାଙ୍କ ରେକର୍ଡ ବେଶ୍‌ ଚମତ୍କାର ରହିଛି । ସେ ପାକିସ୍ତାନରେ ୮୪.୧୦ ହାରରେ ରନ ସଂଗ୍ରହ କରିଛନ୍ତି । ଗତ ବର୍ଷ ସେ ପାକିସ୍ତାନରେ ଟେଷ୍ଟ ତ୍ରିଶତକ ଅର୍ଜନ କରିଥିଲେ । ଆଜି ତାଙ୍କ ବ୍ୟାଟ୍‌ରୁ ଉନ୍ନତ ଇନିଂସ ଦେଖିବାକୁ ମିଳିପାରେ । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍‌ ହେଡଙ୍କ ଉପରେ ନଜର ରହିବ । ସେ ଗତ ୨/୩ ବର୍ଷ ହେଲା ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ତାଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିପାରେ । ଜୋସ ବଟଲର ଓ ଗ୍ଲେନ ମ୍ୟାକ୍ସୱେଲ୍‌ ସ୍ୱତନ୍ତ୍ର ଆକର୍ଷଣ ସାଜିବେ । ଉଭୟ ଦଳର ଏହି ଦୁଇ ଖେଳାଳି ୨୦୧୩ ଓ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲେ । 

ସେହିପରି ଷ୍ଟିଭେନ ସ୍ମିଥ ଏଥର ଏକମାତ୍ର ଖେଳାଳି ଯିଏ ୨୦୧୭ ସଂସ୍କରଣରେ ମଧ୍ୟ ଅଧିନାୟକ ରହିଥିଲେ । ବ୍ୟାଟରଙ୍କୁ ସୁହାଇବ ପିଚ: ନବ ନିର୍ମିତ ଗଦାଫି ଷ୍ଟାଡ଼ିୟମ୍‌ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ ରହିବ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହୋଇପାରିବ । ଟସ୍‌ ମଧ୍ୟ କିଛି ପ୍ରଭାବ ପକାଇବ ନାହିଁ । କାରଣ ରାତ୍ରିରେ କାକର ପଡ଼ିବାର ସମ୍ଭାବନା ନାହିଁ । ଗତ ତ୍ରିରାଷ୍ଟ୍ରୀୟ ସିରିଜରେ ଗଦାଫି ଷ୍ଟାଡ଼ିୟମ୍‌ ୨ଟି ମ୍ୟାଚ୍‌ ଆୟୋଜନ କରିଥିଲା । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୬/୩୩୦ ରନ୍‌ କରିଥିଲା ଓ ଦ୍ୱିତୀୟରେ ବ୍ୟାଟିଂ କରି ପାକିସ୍ତାନ ପରାଜିତ ହୋଇଥିଲା । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩୦୫ ରନ୍‌ର ବିଜୟ ଲକ୍ଷ୍ୟକୁ ୮ଟି ବଲ୍‌ ବାକି ଥାଇ ହାସଲ କରିଥିଲା ।

ଅଧିକ ପଢନ୍ତୁ...Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ : ଟ୍ରେଭିସ ହେଡ୍‌, ମାଥ୍ୟୁ ସର୍ଟ, ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ଜୋସ ଇଂଲିଶ, ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟାକ୍ସୱେଲ୍‌, ସିନ ଆବୋଟ୍‌/ବେନ ଡାର୍ସିୟସ, ନାଥାନ ଏଲିସ୍‌, ଆଡାମ ଜାମ୍ପା, ସ୍ପେନ୍‌ସର ଜନସନ । 

ଇଂଲଣ୍ଡ ସମ୍ଭାବ୍ୟ ଦଳ : ଜୋସ ବଟଲର (ଅଧିନାୟକ), ଫିଲ ସଲ୍ଟ, ବେନ ଡକେଟ, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ଜାମି ସ୍ମିଥ, ଲାଏମ ଲିଭିଙ୍ଗଷ୍ଟୋନ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ମାର୍କ ଉଡ୍‌, ଆଦିଲ ରସିଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.