ନୂଆଦିଲ୍ଲୀ: ରବିବାର (୨୩ ଫେବ୍ରୁଆରୀ) ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ହାଇ ଭୋଲଟେଜ୍ ମ୍ୟାଚ୍ । ବାଂଲାଦେଶ ବିପକ୍ଷରେ ବିଜୟ ସହିତ ଭାରତ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିସାରିଛି । ସେପଟେ ଘରୋଇ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ପାଖରୁ ପାକିସ୍ତାନ ପରାଜୟ ବରଣ କରିଛି । ଏଭଳି ସ୍ଥିତିରେ ରବିବାର ମ୍ୟାଚ୍ରେ ଭାରତ ପାଖରୁ ମ୍ୟାଚ୍ ଛଢ଼ାଇ ନେବାକୁ ଉଦ୍ୟମ କରିବ ପାକିସ୍ତାନ। ସେହିଭଳି ଭାରତ ନିଜର ବିଜୟ ଧାରାକୁ ବଜାୟ ରଖିବା ପାଇଁ ପାକିସ୍ତାନକୁ ହରାଇବା ପାଇଁ ଚେଷ୍ଟା କରିବ । ରବିବାର ଭାରତ ବନାମ ପାକିସ୍ତାନ ବ୍ଲକବଷ୍ଟର ମୁକାବିଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଅଧିନାୟକ ରୋହିତ ଶର୍ମା ଭାରତର ପ୍ଲେଇଂ ଇଲେଭେନ ବା ଚୂଡ଼ାନ୍ତ ଏକାଦଶରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିପାରନ୍ତି ।
ଅଭିଜ୍ଞ ଓପନର୍ ରୋହିତ ଶର୍ମା ପୁଣି ଥରେ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିବାକୁ ଚେଷ୍ଟା କରିପାରନ୍ତି । ସେ ବାଂଲାଦେଶ ବିପକ୍ଷରେ ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ ଏବଂ ୪୦ରୁ ଅଧିକ ରନ କରିଥିଲେ । ତାଙ୍କର ଓପନିଂ ସାଥି ଏବଂ ଉପ-ଅଧିନାୟକ ଶୁଭମନ ଗିଲ୍ ଗତ ମ୍ୟାଚ୍ ଭଳି ପାକିସ୍ତାନ ବିପକ୍ଷରେ ପୁଣି ଥରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ବାଂଲଦେଶ ବିପକ୍ଷରେ ଶୁଭମନ ଗିଲ୍ ଅପରାଜିତ ଶତକ କରିଥିଲେ । ବିରାଟ କୋହଲି ନମ୍ବର ୩ରେ ଆସିବାକୁ ଥିବା ବେଳେ ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର ଏବଂ ପଞ୍ଚମ ସ୍ଥାନରେ ଆସିବେ କେଏଲ ରାହୁଲ ।
ରାହୁଲଙ୍କ ପରେ, ନମ୍ବର ୬ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାୱାର-ହିଟର ଏବଂ ଦ୍ରୁତ ବୋଲିଂ ବିକଳ୍ପ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ପିନ୍-ବୋଲିଂ ଯୋଡ଼ି ସ୍ପିନ୍ ଦାୟିତ୍ୱ ତୁଲାଇବା ସହିତ ବ୍ୟାଟିଂ ଲାଇନଅପରେ ଯୋଗଦାନ ଦେବେ । ଏକ ସମ୍ଭାବ୍ୟ ରଣନୈତିକ ପରିବର୍ତ୍ତନରେ ପାକିସ୍ତାନ ବ୍ୟାଟରଙ୍କ ବିପକ୍ଷରେ ବିବିଧତା ଆଣିବା ପାଇଁ କୁଲଦୀପ ଯାଦବଙ୍କ ସ୍ଥାନରେ ଲେଗ୍-ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଦ୍ରୁତ ବୋଲିଂ ପାଇଁ ହର୍ଷିତ ରାଣା ଏବଂ ଅଭିଜ୍ଞ ମହମ୍ମଦ ଶାମି ରହିବେ ।
ପାକିସ୍ତାନ ବିପକ୍ଷରେ ସମ୍ଭାବ୍ୟ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ଏବଂ ମହମ୍ମଦ ଶାମି ।