ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ରବିବାର ହାଇ ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭାରତ-ପାକିସ୍ତାନ ମ୍ୟାଚ୍ ଦୁବାଇରେ ହେବାକୁ ଥିବା ବେଳେ ଆଜି (ଶନିବାର) ଭାରତର ଜାତୀୟ ସଙ୍ଗୀତ ଲାହୋର ଷ୍ଟାଡିୟମ୍ରେ ବାଜିଛି । ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଗ୍ରୁପ୍ ବି ମ୍ୟାଚ୍ ପୂର୍ବରୁ ଶୁଣିବାକୁ ମିଳିଥିଲା ‘ଜନ ଗଣ ମନ..’ ସଙ୍ଗୀତ । ଇଂଲଣ୍ଡର ସଙ୍ଗୀତ ଶେଷ ହେବା ପରେ, ଅଷ୍ଟ୍ରେଲିଆର ସଙ୍ଗୀତ ଗାନ କରିବାର ସମୟ ଥିଲା । ଏହି ସମୟରେ ଭାରତର ଜାତୀୟ ସଙ୍ଗୀତ 'ଭାରତ ଭାଗ୍ୟ ବିଧାତା'ର ଏକ ଧାଡ଼ି ବାଜିବା ଆରମ୍ଭ ହୋଇଥିଲା । ସବୁଠୁ ମଜାଦାର କଥା ହେଉଛି ଯେ, ଚଳିତ ଚାମ୍ପିଅନ୍ସ ଟ୍ରଫିରେ ନିଜର କୌଣସି ମ୍ୟାଚ୍ ପାକିସ୍ତାନରେ ଖେଳିବ ନାହିଁ ଭାରତ । ଏହା ସତ୍ତ୍ବେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ପାକିସ୍ତାନ ଦ୍ବାରା ଲାହୋର ଷ୍ଟାଡିୟମରେ ଭାରତର ଜାତୀୟ ସଙ୍ଗୀତ ବାଜିବାକୁ ନେଇ ଚର୍ଚ୍ଚା ଲାଗିରହିଛି ।
ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଭୁଲକୁ ଖୁବଶୀଘ୍ର ସୁଧାରିଥିଲେ ହେଁ, ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଭାଇରାଲ୍ କରି ଦେଇଛନ୍ତି । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ବିଟ୍ର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାକୁ ନେଇ ମିମ୍ ଏବଂ ଭିଡିଓ ପୋଷ୍ଟ ହୋଇଛି । ସୋସିଆଲ ମିଡିଆ ୟୁଜର୍ସ ପିସିବିକୁ ଉପହାସ ବି କରିଛନ୍ତି । ପିସିବିର ଏହି ଭୁଲ୍କୁ ନେଇ କେହି କେହି ମଜା କରୁଥିବା ବେଳେ କେହି ଏହା ପାକିସ୍ତାନର ବଡ଼ ଭୁଲ ବୋଲି କହିଛନ୍ତି ।
Yeh kya tha benstokes
— NOYAAN. (@KoitohoonAlt) February 22, 2025
Australia ki jagah india ka anthem laga diya😂 pic.twitter.com/CjSKKcxEGY
BIG BLUNDER IN PAKISTAN!
— Rishi Agrawal (@RishiAgrawal_) February 22, 2025
They played India's anthem instead of playing Australia's anthem 😂#ENGvsAUS#ChampionsTrophy2025 pic.twitter.com/GIWX1aKzwO
ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ । ଏହା ପୂର୍ବରୁ ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ଛନକା ପଶିଛି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ, ପୂର୍ବତନ ପାକିସ୍ତାନ କ୍ରିକେଟର ଆଜମ ଖାନ ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ଦଳକୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ଦଳ ଭଲ ଖେଳିବ ସେହି ଦଳ ମ୍ୟାଚ୍ ଜିତିବ । ଭାରତ ସହ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଥିବା ପାକିସ୍ତାନକୁ ଉଦଘାଟନୀ ମ୍ୟାଚ୍ରେ ୬୦ ରନ୍ରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ସେପଟେ ଭାରତ ନିଜର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ଶୋଚନୀୟ ଭାବରେ ପରାସ୍ତ କରିଥିଲା ।