ପଶ୍ଚିମବଙ୍ଗ,୨୨/୦୨: ଚମକତା ୱହି ହେ, ଯୋ ତୁଫାନ ସେ ଲଡତା ହୈ, ସଫଲ୍ ୱହି ହୈ, ଯୋ ହାର୍ ମାନକର ଭି ଖଡା ରହତା ହୈ ।ଏମିତି କିଛି ସଫଳ କାହାଣୀ ଆସେ ଯାହା ପ୍ରେରଣା ଦିଏ । ଜୀବନରେ କିଛି କରିବାକୁ ମୋଟିଭେସନ ମିଳିଥାଏ । ପରିସ୍ଥିତି ଯାହା ବି ହେଉ ନା କାହିଁକି ମନରେ ଯଦି ଦୃଢ ଇଚ୍ଛାଶକ୍ତି ଅଛି ସବୁ ଅସମ୍ଭବ ସମ୍ଭବ ହୁଏ । ସଫଳତା ମିଳେ । ସଂଘର୍ଷ ଜିତେ । ଠିକ ସେମିତି ଏକ କାହାଣୀ ହେଉଛି ଅଭିଜିତ୍ ରଏଙ୍କର । ଯିଏ କି ଜୀବନର ସବୁ ବାଧାବିଘ୍ନକୁ ସାମ୍ନା କରି ଜେଇଇ ପରୀକ୍ଷାରେ ୧୯୧ତମ ରାଙ୍କ ହାସଲ କରିଛନ୍ତି । ଆଇଆଇଟି ଖଡଗପୁରରେ ଆଡମିସନ ନେଇଛନ୍ତି ।
ପଶ୍ଚିମବଙ୍ଗ ମାଲଦାର ଅଭିଜିତ୍ ରଏ । ଘର କହିଲେ ଟିଣ ଆଜବେଷ୍ଟ ଛପର ଛାତ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ । ତାଙ୍କ ବାପା ନିଖୋଜ । ଦୀର୍ଘ ବର୍ଷ ହେବ କେଉଁଆଡେ ଚାଲି ଯାଇଛନ୍ତି । କୌଣସି ଖୋଜଖବର ନାହିଁ । ମାଆ ମାନସିକ ଭାବେ ଅସୁସ୍ଥ । ଅଭିଜିତଙ୍କ ସାହା ଭରସା କେବଳ ଜେଜେବାପା । ଘରର ସବୁ କିଛି ଦାୟିତ୍ବ ବୁଢା ଜେଜେବାପାଙ୍କ ଉପରେ । ପରିବାର ଗୁଜୁରାଣ ମେଣ୍ଟାଇବାକୁ ଅଭିଜିତଙ୍କ ଜେଜେବାପା ଇ-ରିକ୍ସା ଚଲାନ୍ତି । ସେଥିରୁ ଯେତିକି ରୋଜଗାର ହୁଏ ଘର ଚଳେ । ସେହି ରୋଜଗାରରୁ ହିଁ ଜେଜେବାପା ଅଭିଜିତଙ୍କୁ ମଣିଷ ପରି ମଣିଷ ଟିଏ କରିଛନ୍ତି ।
ଅଧିକ ପଢନ୍ତୁ...ଡାକ୍ତରରୁ IAS ଅଫିସର ହେଲେ; ମନ ବୁଝିଲାନି ଚାକିରି ଛାଡି ୨୬୦୦୦ କୋଟିର କମ୍ପାନୀ ଛିଡା କଲେ
ଏତେ ଅସୁବିଧା ସତ୍ତ୍ବେ ତାଙ୍କର ଲକ୍ଷ୍ୟ ଓ ଧୌର୍ଯ୍ୟ ମଜବୁତ ଥିଲା । ଜୀବନର ସବୁ କଷ୍ଟ ସହି ସଫଳତାର କାହାଣୀ ଲେଖିଛନ୍ତି ଅଭିଜିତ୍ । ପାଠପଢା ପ୍ରତି ସମର୍ପଣ ଭାବ ତାଙ୍କ ପାଇଁ ଆଶାର କିରଣ ହୋଇଥିଲା । ବିନା କୋଚିଂରେ ଆତ୍ମବିଶ୍ବାସ ବଳରେ ଜେଇଇ ପରୀକ୍ଷାରେ ସଫଳତା ହାସଲ କରି ଆଇଆଇଟି ଖଡଗପୁର ଯାଏ ଯାତ୍ରା ପ୍ରସ୍ତୁତ କରିଛନ୍ତି । ଜେଇଇ ଭଳି କଠିନ୍ ପରୀକ୍ଷାରେ ୧୯୧ ରାଙ୍କ୍ ହାସଲ କରିଛନ୍ତି ଅଭିଜିତ୍ । ଏହା ସହିତ ଆଇଆଇଟି ଖଡଗପୁରରେ ଆଡମିସନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବାସ୍ତବରେ ବେଙ୍ଗଲ ବଏ ଅଭିଜିତଙ୍କର ଏହି ସଫଳତାର କାହାଣୀ ଅନେକଙ୍କ ପାଇଁ ପ୍ରେରଣାଦୀୟ ହୋଇଛି । ଯାହା ସମସ୍ତଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଛି । ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ରୀଙ୍କୁ ଏହା ମୋଟିଭେଟ କରିବ ନିଶ୍ଚିନ୍ତ ।