ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୨୦୧୭ ରୁ ୨୦୨୫ ହୋଇଗଲା... ୮ ବର୍ଷ ହେଲା ଦିଆଯାଇନି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

Published By : Prameya | February 22, 2025 9:33 AM

ଭୁବନେଶ୍ୱର,୨୨/୦୨ : ୨୦୧୭ ମସିହାରୁ ୨୦୨୫ ହୋଇଗଲା । ତଥାପି ଏଯାଏ ମିଳିଲାନି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଖାଲି ଏ ପୁରସ୍କାର ନୁହେଁ, ଅନ୍ୟାନ୍ୟ ପୁରସ୍କାର ମଧ୍ୟ ବାକି ପଡ଼ିଛି । ସଭାପତି, ଉପସଭାପତି ଓ ସଚିବ ପଦବି ଖାଲି ସହ ମୁରବି ଶୂନ୍ୟ ଏକାଡେମୀର ସାଧାରଣ ଓ କାର୍ଯ୍ୟକାରୀ ପରିଷଦ ଦୀର୍ଘ ମାସ ହେଲା ଖାଲି ପଡ଼ିଛି । ଗୋଟିଏ ପଟେ ପୁରସ୍କାର ମିଳୁନି, ଅନ୍ୟପକ୍ଷରେ ପଦବି ପୂରଣ ହେଉନି । ଏକାଡେମୀ ଅବସ୍ଥା ସାଂଘାତିକ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଅଙ୍ଗ ସାହିତ୍ୟ ଏକାଡେମୀ ଅଚଳପ୍ରାୟ । ଏନେଇ ବିଧାନସଭାରେ ବି ଚର୍ଚ୍ଚା ହୋଇଛି । ଗୃହରେ ବିଭାଗୀୟ ମନ୍ତ୍ରୀ ଖୁବ୍‌ଶୀଘ୍ର ଠିକ୍‌ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ସରକାରୀ ତଥ୍ୟ ଆଧାରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଓଡ଼ିଆ ଭାଷାରେ ଲିଖିତ ଶ୍ରେଷ୍ଠ ବିବେଚିତ ପୁସ୍ତକର ଲେଖକଙ୍କୁ ଏକାଡେମୀ ପୁରସ୍କାର ୧୧ଟି ବିଭାଗ ଯଥା ଉପନ୍ୟାସ, ଗଳ୍ପ, କାବ୍ୟକବିତା, ନାଟକ, ଏକାଙ୍କିକା, ପ୍ରବନ୍ଧ ଓ ସମାଲୋଚନା, ଜୀବନୀ ଓ ଭ୍ରମଣ ସାହିତ୍ୟ, ଅନୁବାଦ, ଶିଶୁ ସାହିତ୍ୟ, ଗୀତିକବିତା, ଐତିହାସିକ ଗବେଷଣା, ବିଜ୍ଞାନ ସାହିତ୍ୟ ପାଇଁ ପ୍ରଦାନ କରାଯାଇଥାଏ । ଏହା ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ । ୨୦୨୪ ଓ ୨୦୨୫ ପାଇଁ ଏପର୍ଯ୍ୟନ୍ତ ବିଜ୍ଞାପନ ପ୍ରକାଶ ପାଇନାହିଁ । ଏତଦ୍‌ ବ୍ୟତୀତ ଏକାଡେମୀ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର (ସର୍ବୋଚ୍ଚ ପୁରସ୍କାର), ସାରସ୍ୱତ ସାଧକ/ ସାଧିକା ସମ୍ବର୍ଦ୍ଧନା, ଏକାଡେମୀ ଭକ୍ତି ସାହିତ୍ୟ ପୁରସ୍କାର, ପ୍ରକାଶକ ସମ୍ମାନ, ଯୁବ ପୁରସ୍କାର ଓ ସାରଦା ପ୍ରସନ୍ନ ନାୟକ ଗୀତିକବିତା ସମ୍ମାନ ପ୍ରଦାନ ନିମନ୍ତେ ବିଭାଗ ଦ୍ୱାରା ନିୟମାବଳୀ ପ୍ରସ୍ତୁତ ହୋଇଛି । ଏଥିମଧ୍ୟରୁ ସାରଦା ପ୍ରସନ୍ନ ନାୟକ ଗୀତିକବିତା ସମ୍ମାନ ୨୦୨୧ ମସିହାଠାରୁ ଏବଂ ଅନ୍ୟାନ୍ୟ ପୁରସ୍କାର ଓ ସମ୍ବର୍ଦ୍ଧନାଗୁଡ଼ିକ ୨୦୨୩ ମସିହାଠାରୁ ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ରହିଛି ।  

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ବିଭିନ୍ନ ଖବରକାଗଜ ମାଧ୍ୟମରେ ୨୦୨୩ ମାର୍ଚ୍ଚ ୨୧ରେ ବିଜ୍ଞାପନ ଅନୁଯାୟୀ ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ଆଗ୍ରହୀ ପାଠକ, ଲେଖକ ଓ ପ୍ରକାଶକମାନଙ୍କ ଠାରୁ ପ୍ରତି ବିଭାଗ ପାଇଁ ପ୍ରସ୍ତାବ ସହିତ ପ୍ରତ୍ୟେକ ପୁସ୍ତକରୁ ୩କିତା ପୁସ୍ତକ ଏକାଡେମୀରେ ଧାର୍ଯ୍ୟ ତାରିଖରେ ଗ୍ରହଣ କରାଯାଇଛି । ଏକାଡେମୀ ପୁରସ୍କାର ପ୍ରଦାନ ଜନିତ ସମସ୍ତ ପ୍ରକ୍ରିୟା ଚାଲୁ ରହିଛି । ଏହାକୁ ଖୁବ୍‌ଶୀଘ୍ର ପ୍ରଦାନ କରାଯିବା ନିମନ୍ତେ ସରକାରଙ୍କ ପକ୍ଷରୁ ଉକ୍ତ ଏକାଡେମୀର ଗଠନ ହେବାକୁ ଥିବା ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ପରିଷଦରେ ଏହାକୁ ଯଥାରୀତି ଉପସ୍ଥାପନ କରାଯାଇ ବିଧିବଦ୍ଧ ଭାବେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ବିଧାନସଭାରେ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଏହି ଖବରଟିକୁ ପଢନ୍ତୁ- ଯଅ, ବାଜରାରୁ ପ୍ରସ୍ତୁତ ହେବ ମଦ, ରାଜ୍ୟ ଅବକାରୀ ନୀତି ବୈଠକରେ ନିଷ୍ପତ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.