ଭୁବନେଶ୍ୱର,୨୨/୦୨ : ପ୍ରଥମ ଥର ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜନ ହେବାକୁ ଯାଉଛି । ଏହି ମେଳା ଶନିବାରଠାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ । ମିଶନ ଶକ୍ତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇ କହିଛନ୍ତି, ସାରା ଓଡ଼ିଶାରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା, ସେମାନଙ୍କ ଉତ୍ପାଦ ଏବଂ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ହେଉଛି ଏହି ମେଳାର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଏବଂ ଉତ୍ପାଦକ ଗୋଷ୍ଠୀ (ପିଜି)ଦ୍ୱାରା ୩୦୦ରୁ ଅଧିକ ଷ୍ଟଲ ଖୋଲାଯିବ ।
ଏହି ୯ ଦିନିଆ ପ୍ରଦର୍ଶନୀରେ ହସ୍ତଶିଳ୍ପ ଓ ଜୈବିକ ଉତ୍ପାଦର ବିବିଧ ସାମଗ୍ରୀ ପ୍ରଦର୍ଶିତ ହେବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ବଜାର ସହିତ ସଂଯୋଗ କରିବ । ଯାହା ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱାର୍କିଂ ସୁଯୋଗ ପାଇଁ ଦ୍ୱାର ଖୋଲିବ । ମହିଳା ସଶକ୍ତୀକରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାର ସ୍ୱପ୍ନ ସାକାର ହେବ । ଆଗାମୀ ଦିନରେ ପୁରୀ, ମାଲକାନଗିରି, ସମ୍ବଲପୁର ଏବଂ ବଲାଙ୍ଗିର ଭଳି ୪ଟି ଜିଲ୍ଲାରେ ଏକ ସଙ୍ଗେ ଏହି ଆଞ୍ଚଳିକ ମେଳା ଆୟୋଜିତ ହେବ ।
ଏହି ଖବରଟିକୁ ପଢନ୍ତୁ-୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି